ନେପାଳରେ ଟେଲିଗ୍ରାମ ବନ୍ଦ

  ନେପାଳ ସରକାର ଟେଲିଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।  ଦେଶରେ ବୃଦ୍ଧି ପାଉଥିବା ଅନଲାଇନ୍ ଆର୍ଥିକ ଠକେଇ ଏବଂ ବେଆଇନ ଅର୍ଥ କାରବାର ଭଳି ଗୁରୁତର ଅପରାଧକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନେପାଳ ଦୂରସଞ୍ଚାର ପ୍ରାଧିକରଣ ଦେଶର ସମସ୍ତ ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ତୁରନ୍ତ ଟେଲିଗ୍ରାମକୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ପ୍ରାଧିକରଣ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, "ନେପାଳରେ ଟେଲିଗ୍ରାମ ଆପ୍ ମାଧ୍ୟମରେ ଅନଲାଇନ୍ ଠକେଇ ସଂଖ୍ୟା କ୍ରମାଗତ ଭାବେ ବଢୁଛି ଏବଂ ଏହା ମନି ଲଣ୍ଡରିଂ ଭଳି ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା  ସୂଚାଉଛି । ତେଣୁ ସମସ୍ତ ସମ୍ପୃକ୍ତ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କୁ ତୁରନ୍ତ ଟେଲିଗ୍ରାମ ଆପ୍‌କୁ ବନ୍ଦ/ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ନେପାଳ ପୁଲିସର ସାଇବର ବ୍ୟୁରୋ ବାରମ୍ବାର ଏହି ଆପକୁ ଆର୍ଥିକ ଠକେଇ ପାଇଁ ଏକ ମାଧ୍ୟମ ଭାବରେ ଚିହ୍ନଟ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।  ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ଲାଟଫର୍ମକୁ ବନ୍ଦ କରିବା ପାଇଁ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଥିଲା ।  ନେପାଳରେ ଟେଲିଗ୍ରାମର ଲୋକପ୍ରିୟତା ବଢ଼ିବା ସହିତ ଏହାର ଅପବ୍ୟବହାର ମଧ୍ୟ ବୃଦ୍ଧି ପାଇଥିଲା । ମିଥ୍ୟା ଚାକିରି ଅଫର, କ୍ରିପ୍ଟୋ ସ୍କାମ ଏବଂ ଅନ୍ୟାନ୍ୟ ପ୍ରତାରଣାମୂଳକ କାର୍ଯ୍ୟକଳାପ ପାଇଁ ଏହି ପ୍ଲାଟଫର୍ମକୁ ବ୍ୟବହାର କରାଯାଉଥିଲା ।    ନେପାଳ ଏହିଭଳି ପ୍ରତିବନ୍ଧକ ଲଗାଇବାରେ ପ୍ରଥମ ଦେଶ ନୁହେଁ । ଏହା ପୂର୍ବରୁ ଭିଏତନାମ ମଧ୍ୟ ସମାନ ପଦକ୍ଷେପ ନେଇଥିଲା ।  ନେପାଳରେ ପୂର୍ବରୁ ନଭେମ୍ବର ୨୦୨୩ ରେ ଟିକ୍‌ଟକ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହା ପରେ କମ୍ପାନୀ ସରକାରୀ ନିୟମ ମାନିବାକୁ ରାଜି ହେବା ପରେ ଅଗଷ୍ଟ ୨୦୨୪ ରେ ହଟାଇ ଦିଆଯାଇଥିଲା ।