ଚିକିତ୍ସା ଅବହେଳା ନା ସଂକଟାପନ୍ନ! ଘଣ୍ଟାକ ଭିତରେ ଗଲା ୬ ଜୀବନ
କୋରାପୁଟ : ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ଆଇସିୟୁ ଓ ସାଧାରଣ ୱାର୍ଡ଼ରେ ୫ ରୋଗୀଙ୍କ ଜୀବନ ଚାଲିଯାଇଛି । ପରେ ମୃତୁ୍ୟସଂଖ୍ୟା ୬ରେ ପହଁଚିଥିବା ଜାଣିବାକୁ ମିଳିଛି । ଚିକିତ୍ସା ଅବହେଳା ନା ଔଷଧର ପାଶ୍ୱର୍ ପ୍ରତିକ୍ରିୟା ପାଇଁ ଅକାଳରେ ରୋଗୀଙ୍କ ଜୀବନ ଚାଲିଯାଇଛି ସେନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ । ଅପରପକ୍ଷରେ ରାଜ୍ୟ ସରକାର ଏହାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ପାଇଁ ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି । ମୃତକ ୫ଜଣକ ମଧ୍ୟରେ ଆଇସିୟୁରେ ୪ ଜଣ ଥିବାବେଳେ ଜଣେ ରୋଗୀ ସାଧାରଣ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ ।
ସେମିଳିଗୁଡ଼ାର ସୁକ୍ରା ମାଝୀ, ମିନିଗୁଡ଼ାର ରୁକ୍ମି ପେଣ୍ଟିଆ, କଳାହାଣ୍ଡି କୋକସରାର ଫୁଲମତୀ ମାଝୀ, ବୋରିଗୁମ୍ମାର ଭଗବାନ ପରଜା ଓ କୋରାପୁଟ ମାଛରାର ବତି ଖରାଙ୍କର ମୃତୁ୍ୟ ହୋଇଥିବା ଜାଣିବାକୁ ମିଳିଛି ।
ଗତ ୩ତାରିଖ ରାତି ୧୦ ଟାରୁ ୧୧ ଟା ମଧ୍ୟରେ ମୃତୁ୍ୟ ଘଟିଥିଲା । ମୃତ୍ୟ ଘଟଣାକୁ ନେଇ ମେଡ଼ିକାଲ କର୍ତ୍ତୃପକ୍ଷ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ମୃତୁ୍ୟ ଘଟଣାରେ ଚିକିସôାରେ ଅବହେଳା କିଛି ରହିଛି କି ? ଦିଆଯାଇଥିବା ଔଷଧର ପାର୍ଶ୍ୱ ପ୍ରତିକ୍ରିୟା କିଛି ରହିଛି ନା ସ୍ୱାଭାବିକ ମୃତୁ୍ୟ ଘଟିଛି ଏସବୁର ଟିକିନିଖି ଅନୁଧ୍ୟାନ କରାଯିବ । ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ଅଧିକ୍ଷକ ପ୍ରଫେସର ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । ୧ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତୁ୍ୟ ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।ତେବେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିଲା ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଇସିୟୁରେ ଚିକିସôିତ ହେଉଥିବା ୪ ରୋଗୀ ଗୁରୁତର ଅସୁସ୍ଥ ଥିଲେ । ମୁଣ୍ଡରେ ଓ ପେଟରେ ଗଭୀର କ୍ଷତ ହୋଇ ଥିଲା । ସ୍ୱାସ୍ଥ୍ୟ ସ୍ଥିତି ଅତି ଗୁରୁତର ଥିଲା । ସେହିଭଳି ସର୍ଜରୀ ୱାର୍ଡରେ ରୋଗୀ ଜଣକର ପେଟ ସଂକ୍ରମଣ ହୋଇ ସେପଟିସିମାରେ ଆକ୍ରାନ୍ତ ହୋଇଥିଲା । ଅପରେସନ ପାଇ ପ୍ରସ୍ତୁତ କରିବା ବେଳେ ତାଙ୍କର ମୃତୁ୍ୟ ଘଟିଥିବା ଜଣାପଡ଼ିଛି । କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲରେ ଏକା ଦିନରେ କିଛି ସମୟ ଅନ୍ତରାଳରେ ୫ ଜଣଙ୍କ ମୃତୁ୍ୟ ହେବା ଘଟଣାକୁ ରୋଗୀଙ୍କ ମଧ୍ୟରେ ଓ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୋରାପୁଟ ମେଡ଼ିକାଲ କଲେଜ ଆଇସିୟୁରେ ୪ ରୋଗୀଙ୍କର ମୃତୁ୍ୟ ସମ୍ପର୍କରେ ଅଭିଯୋଗ ମିଳିବା ମାତ୍ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଘଟଣାର ବିଧିବଦ୍ଧ ତଦନ୍ତ ନିମନ୍ତେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ବରିଷ୍ଠ ବିଶେଷଜ୍ଞମାନଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି । ଘଟଣାର କ୍ଷେତ୍ରସ୍ତରୀୟ ତଦନ୍ତ କରି ୨ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ନିମନ୍ତେ ଟିମଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ରିପୋର୍ଟ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।