୨୧ରେ ଶୁଭାରମ୍ଭ ସମନ୍ୱିତ ଗ୍ଲୋବାଲ ଫାଇନାନ୍ସିଆଲ ଟେକ୍ନୋଲୋଜି କ୍ଷମତା ହବ : ଡିଜିଟାଲ ପ୍ରତିଭା କେନ୍ଦ୍ର ହେବ ଓଡ଼ିଶା
ଭୁବନେଶ୍ୱର : ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଉଚ୍ଚ ÿଶିକ୍ଷା ବିଭାଗ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟୱାର୍କ (ଜିଏଫଟିଏନ) ସହଭାଗିତାରେ ସମନ୍ୱିତ ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କ୍ଷମତା ହବ୍ର ଆନୁଷ୍ଠାନିକ ଶୁଭାରମ୍ଭ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ । ଏ ସଂପର୍କରେ କୃଷି ଭବନସ୍ଥିତ ଅଡ଼ିଟୋରିଅମରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।
ଓଡ଼ିଶାର ଯୁବକଯୁବତୀମାନଙ୍କ ଦକ୍ଷତା ଯେତେ ବୃଦ୍ଧି ହେବ ଓଡ଼ିଶାର ଅର୍ଥନୀତି ସେତେ ସୁଦୃଢ ହେବ । ସେକଥାକୁ ହୃଦୟଙ୍ଗମ କରି ଏନୟୁଏସ ସହଭାଗିତାରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ୧.୮ ଟ୍ରିଲିୟନ ଡଲାର କ୍ଷମତା ବିଶିଷ୍ଟ ବିଶ୍ୱ ଡିଜିଟାଲ୍ ଅର୍ଥନୀତିର ଏକ ଅଗ୍ରଣୀ ଅଂଶୀଦାର ହେବା ପାଇଁ ଆମେ ଆମ ଯୁବକଯୁବତୀଙ୍କୁ ପ୍ରସ୍ତୁତ କରୁଛୁ, ବିଶ୍ୱସ୍ତରରେ ଡିଜିଟାଲ୍ ପ୍ରତିଭା କେନ୍ଦ୍ର ଭାବରେ ଓଡ଼ିଶାର ଭୂମିକାକୁ ଏହି ଭବିତବ୍ୟ ପଦକ୍ଷେପ ସୁଦୃଢ଼ କରିବ ଏବଂ ଓଡିଶା ଜିଡିପି ସଶକ୍ତ ହେବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼ା ମୁକେଶ ମହାଲିଙ୍ଗ ଆଶାବ୍ୟକ୍ତ କରିଛନ୍ତି । ଗ୍ଲୋବାଲ୍ ଫାଇନାନ୍ସିଆଲ୍ ଟେକ୍ନୋଲୋଜି କାପାବିଲିଟି ହବ୍ ରେ ପିଲାମାନେ ବିଶ୍ୱସ୍ତରୀୟ ଶିକ୍ଷାଲାଭ ପାଇବେ ଯାହାଦ୍ୱାରା ତାଙ୍କର ଚାହିଦା ବିଶ୍ୱବଜାରରେ ଆଶାତୀତ ଭାବେ ବଢିବ ବୋଲି ସେ କହିଛନ୍ତି ।
ଆମ ସରକାର ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ପ୍ରଯୁକ୍ତି ବିଦ୍ୟା ସହାୟତାରେ ପ୍ରତିଭା ନିର୍ମାଣ କରିବାକୁ ସରକାର ପ୍ରତିବଦ୍ଧ । ଏହି ନବସୃଜନ ମାନେ ଆଗାମୀ ଦିନରେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତ ପ୍ରକାଶ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ ସ୍ୱାଗତ ଭାଷଣ ଏବଂ ଉଚ୍ଚ ÿଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଭାସୀ ମାଧ୍ୟମରେ ଜିଏଫଟିଏନର ଗ୍ରୁପ୍ ସିଇଓ ସୋପନେନ୍ଦୁ ମହାନ୍ତି ଏବଂ ଫୋରମ୍ସର ସହ-ସିଇଓ ଜେମ୍ସ ବୋଏ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶହେରୁ ଉର୍ଦ୍ଧ ଏବଂ ଅଭାସି ମାଧ୍ୟମରେ ରାଜ୍ୟର କୋଣ ଅନୁକୋଣର ୨୦୦ ରୁ ଉର୍ଦ୍ଧ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।