୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ 

୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ 

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପାଇଁ ଛତିଶଗଡ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଛତିଶଗଡ ଯିବା ପୂର୍ବରୁ ଅର୍ଥାତ୍‌ ଆସନ୍ତା ୨୩ ତାରିଖରେ ସର୍ବଦଳୀୟ ବୈଠକ ବସିବ । ଏନେଇ ଆଜି ରାଜୀବ ଭବନରେ ମହାନଦୀ କମିଟିର ଦ୍ୱିତୀୟ ବୈଠକ ବସିଥିଲା । ଉପ ମୁଖ୍ୟମନ୍ତ୍ରୀ ତଥା ମହାନଦୀ କମିଟି ଅଧ୍ୟକ୍ଷ କେ.ଭି.ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍‌ଦ୍‌ଦୋସ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ଥିଲେ । 

    ଏହି ବୈଠକର ନିଷ୍କର୍ସ ଆଧାରରେ ଛତିଶଗଡ ଯାଇ ପକ୍ଷ ରଖିବେ ସରକାର । ଫେବ୍ରୁଆରୀ ୭ ତାରିଖରେ ହେବ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି। ଛତିଶଗଡ ସରକାରଙ୍କ ସହ କଥା ହେବା ପରେ ଟ୍ରିବ୍ୟୁନାଲଙ୍କ ନିକଟରେ ପକ୍ଷ ରଖିବେ ଓଡ଼ିଶା ସରକାର । ମହାନଦୀ କମିଟିର ଦ୍ୱିତୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହାସହ ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିବା ଟ୍ରିବ୍ୟୁନାଲ କମିଟିର ଅବଧି ୧୩ ମାର୍ଚ୍ଚରେ ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।