କର୍ଲାମୁଣ୍ଡାରେ ସାର ଯୋଗାଣ ସ୍ଥିତିର ନିରୀକ୍ଷଣ
ଭୁବନେଶ୍ୱର : ସଂପ୍ରତି କର୍ଲାମୁଣ୍ଡା ବ୍ଲକ୍ରେ ୟୁରିଆ ସାରର ଅଭାବ ପରିପ୍ରେକ୍ଷୀରେ ସୂଚନା ପାଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିଦେ୍ର୍ଦଶରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ଘଟଣାସ୍ଥଳରେ ପହଞ୍ଚି ବଣ୍ଟନ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଏହି ସମୟରେ ତହସିଲଦାର କର୍ଲାମୁଣ୍ଡା, ବ୍ଲକ୍ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଉପସ୍ଥିତ ଥିଲେ । ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାର ବଣ୍ଟନ କାମ ସୁରୁଖୁରୁରେ ଚାଲିଛି । ଜିଲ୍ଲା କୃଷି ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ମାର୍କଫେଡେ ଜରିଆରେ ୪ତାରିଖରେ କର୍ଲାମୁଣ୍ଡା ପାକ୍ସକୁ ୩୦.୪୨ ମେଟ୍ରିକ୍ ଟନ୍, ରିସିଡା ପାକ୍ସକୁ ୩୦.୬୦ ମେଟ୍ରିକ୍ ଟନ୍ ଓ ଜୋରାଡବରା ପାକ୍ସକୁ ୩୦.୬୦ ମେଟ୍ରିକ୍ ଟନ୍ ଏହିପରି ସମୁଦାୟ କର୍ଲାମୁଣ୍ଡା ବ୍ଲକ୍କୁ ୯୧.୬୨ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯାଇଛି । ଏଥିସହ ଉପସ୍ଥିତ ଥିବା ଚାଷୀଙ୍କ ତୁଳନାରେ କର୍ଲାମୁଣ୍ଡା ବ୍ଲକ୍ର ୩ଟି ପ୍ୟାକ୍ସରେ ଯଥେଷ୍ଟ ସାର ଗଚ୍ଛିତ ଅଛି ବୋଲି ଜଣାପଡିଛି ।
ସମସ୍ତ ପାକ୍ସକୁ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ତଥା ତାଙ୍କ ଦଳ ପରିଦର୍ଶନ କରି ପରିସ୍ଥିତି ନିରୀକ୍ଷଣ କରିଛନ୍ତି । ଆବଶ୍ୟକ ସ୍ଥଳେ ଆସନ୍ତା ଦୁଇଦିନ ଭିତରେ ଅଧିକ ୟୁରିଆ ସାର ମାର୍କଫେଡେ ଜରିଆରେ ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ନିରୀକ୍ଷଣରୁ ଜଣାପଡ଼ିଛି ଯେ, କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ଯଥେଷ୍ଟ ପରିମାଣର ସାର ମହଜୁଦ ଅଛି । ଆଗାମୀ ଦିନରେ ସରକାରଙ୍କ ତରଫରୁ ଅଧିକ ୟୁରିଆ ସାରର ଯୋଗାଇ ନିମନ୍ତେ ବ୍ୟବସ୍ଥା କରାଯାଉଛି । ଗତକାଲି ଏହି ତିନୋଟି ବ୍ଲକରେ ୩ ଟି ପାକ୍ସ ଓ ୨୦ ଟି ବେସରକାରୀ ସାର ଡିଲରଙ୍କ ଦୋକାନରେ ପ୍ରବର୍ତ୍ତନ କାର୍ଯ୍ୟ କରାଯାଇ ୬ ଟି ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କେସିଙ୍ଗା ବ୍ଲକରେ ଗୋଟିଏ ସାର ଡିଲରଙ୍କ ଦୋକାନକୁ ଜବତ କରାଯାଇଛି । ଚାଷୀମାନେ ଶାନ୍ତିଶୃଙ୍ଖଳାର ସହ ୟୁରିଆ ସାରର ବଣ୍ଟନରେ କୃଷି ବିଭାଗର ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରିବା ନିମନ୍ତେ ଅନୁରୋଧ କରାଯାଉଛି ।