ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟକେନ୍ଦ୍ର
ଫୁଲବାଣୀରୁ ପାର୍ଥ ବିଶ୍ୱାଳ :
ଅପହଁଚ ଇଲାକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଅବସ୍ଥା କେମିତି ଥିବ ତାହାତ ସହଜେ ଅନୁମେୟ । ସେପଟେ ପ୍ରସବ ବେଦନାରେ ଛଟପଟ ହେଉଥା’ନ୍ତି ପ୍ରସୂତି । ଗର୍ଭରେ ପୁଣି ଗୋଟିଏ ନୁହେଁ, ତିନୋଟି ସନ୍ତାନ । କେମିତି ସୁରକ୍ଷିତ ପ୍ରସବ କରାଇବେ ସେନେଇ ପିଏଚସି ଡାକ୍ତରଙ୍କ ଅକଲଗୁଡ଼ୁମ ହୋଇଗଲା । ତେବେ ଜଣେ ବିଶେଷଜ୍ଞ ଡାକ୍ତର ମୋବାଇଲ୍ ଫୋନ୍ରେ ପରାମର୍ଶ ଦେବା ପରେ ସୁରକ୍ଷିତ ଭାବେ ତିନି ସନ୍ତାନଙ୍କର ପ୍ରସବ ହୋଇପାରିଛି । ଯାହାକି ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟିକରିଛି । ଏହି ଘଟଣା ପରେପରେ ଅନେକ ଥ୍ରୀ ଇଡ଼ିୟଟ ଚଳଚ୍ଚିତ୍ର କଥା ମନେ ପକାଉଛନ୍ତି ।
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆକନ୍ଧ ଅଞ୍ଚଳ ଭାବେ ପରିଚିତ ବେଲଘର ପଞ୍ଚାୟତ । ସେହି ପଞ୍ଚାୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବରେ ଏକକାଳୀନ ତିନିଟି ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ ହେଉଛନ୍ତି ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ ରଂଜିତା ମାଝି (୨୬) । ଉଭୟ ମା ଓ ତିନି ଶିଶୁ ସୁସ୍ଥ ଥିବା ଜଣା ପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଗତ ରବିବାର ରଂଜିତାଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ କଂସ ଆମ୍ବୁଲାନ୍ସ ଯୋଗେ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିସôା କରିଥିଲେ । ତେବେ ଏକକାଳୀନ ତିନୋଟି ସନ୍ତାନ ପ୍ରସବ କରାଇବା ଏକ ଆହ୍ୱାନ ସୃଷ୍ଟି କରିଥିଲା । ସେହି ସମୟରେ ଡାକ୍ତର ସୁନା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ତୁରନ୍ତ ଜଣାଇଥିଲେ । ଏହାପରେ ଡାକ୍ତର କର ଫୋନ ମାଧ୍ୟମରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଙ୍କୁ ଜଣାଇବା ସହିତ ସହାୟତା କରିବା ପାଇଁ ଅନୁରୋଧ କରିଥିଲେ । କନଫେରେନ୍ସ କଲ୍ରେ ରହି ସେ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଓ ଭଗବାନଙ୍କ ଦୟାରୁ ତିନିଟି ସନ୍ତାନ ପ୍ରସବ କରାଯାଇପାରିଥିଲା । ବେଲଘର ପରି ଏକ କୁଟିଆକନ୍ଧ ଅଞ୍ଚଳରେ କାର୍ଯ୍ୟରତ ଡାକ୍ତର ସୁନା ଓ କରଙ୍କ ଉଦ୍ୟମରେ ସୁରକ୍ଷିତ ଭାବେ ତିନୋଟି ସନ୍ତାନ ପ୍ରସବ ହୋଇଥିବାବେଳେ ମା’ ମଧ୍ୟ ସୁରକ୍ଷିତ ଅଛନ୍ତି । ତେବେ ଅଧିକ ଚିକିସôା ପାଇଁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତିନି ନବଜାତ ସନ୍ତାନ ସହ ମା ରଂଜିତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିସôାଳୟରେ ଭିର୍ତ୍ତ କରାଯାଇଛି । ସେଠାରେ ସ୍ୱତନ୍ତ୍ର ନବଜାତ ଶିଶୁକେନ୍ଦ୍ରରେ ମା’ ଓ ତିନି ଶିଶୁ ପୁତ୍ରଙ୍କୁ ରଖାଯାଇଛି । ସମସ୍ତେ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ବାଲିଗୁଡା ଉପଖଣ୍ଡ ଚିକିସôା ଅଧିକାରୀ ଶ୍ରବଣ କୁମାର ସାହୁକାର । ସେହି ମହିଳାଙ୍କର ଏହା ଚତୁର୍ଥ ପ୍ରସବ ହୋଇଥିବା ବେଳେ ଜଣେ ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ଥିବା ଏବଂ ତିନୋଟି ପୁତ୍ର ସନ୍ତାନକୁ ପାଇ ଖୁସିଥିବା କହିଛନ୍ତି । .