୨୩ରେ ଅଳଙ୍କାର ସ୍ଥାନାନ୍ତରଣ : ସକାଳ ୭ଟା ୧୭ରୁ ୧୧ଟା ୧୭ ମାହେନ୍ଦ୍ରବେଳା
ପୁରୀ: ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିରରେ ଯେହେତୁ ଦେବୀମାତାମାନଙ୍କର ଷୋଳପୂଜା ଚାଲିଛି, ତେଣୁ ସେହିଦିନ ଭୋର ୪ଟାରେ ଶ୍ରୀମନ୍ଦିରର ଦ୍ୱାର ଫିଟିବ । ଦର୍ଶନାର୍ଥୀମାନଙ୍କ ଦର୍ଶନ ବ୍ୟବସ୍ଥା ନେଇ ମଧ୍ୟ କଟକଣା ଜାରି କରାଯିବ । କେବଳ ପାଳିଆ ସେବାୟତମାନେ ଭିତରକୁ ଯାଇପାରିବେ । ସେମାନଙ୍କୁ ପାସ୍ ଯୋଗାଇ ଦିଆଯିବ ।
ଅସ୍ଥାୟୀ ଖଟଶେଯ, ଫୁଲଶେଯ ଓ ଚାଙ୍ଗଡ଼ା ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ କହିଥିଲେ ଯେ, ୨୩ତାରିଖ ଦିନ ମାହେନ୍ଦ୍ର ବେଳା ସକାଳ ୭ଟା ୧୭ମିନିଟ୍ରୁ ୧୧ଟା ୧୭ମିନିଟ୍ ପର୍ଯ୍ୟନ୍ତ ରହିଛି । ସେହି ସମୟରେ ମଧ୍ୟରେ ସ୍ଥାନାନ୍ତର କାର୍ଯ୍ୟ ସଂପନ୍ନ କରାଯିବ । ୨୩ ତାରିଖ ଦିନ ସ୍ଥାନାନ୍ତର କାର୍ଯ୍ୟ ଶେଷ ନହେଲେ ୨୪ ତାରିଖ ଦିନ କରାଯିବ । ୨୩ତାରିଖ ଦିନ କୌଣସି ଯାତ୍ରୀ ବା ଭକ୍ତଙ୍କୁ ନାଟମଣ୍ଡପ କିମ୍ବା ବେହରଣ ଦ୍ୱାର ପର୍ଯ୍ୟନ୍ତ ଯିବାକୁ ଦିଆଯିବ ନାହିଁ ।
ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ । ସ୍ଥାନାନ୍ତର ସମୟରେ ରତ୍ନଭଣ୍ଡାର ସବ୍କମିଟିର ୯ଜଣ ଯାକ ସଦସ୍ୟ ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ୨ଜଣ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ତଦାରଖ କମିଟିର କେଉଁ ୨ଜଣ ସଦସ୍ୟ ଉପସ୍ଥିତ ରହିବେ ତାହା କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିଶ୍ୱନାଥ ରଥ ନିଷ୍ପତ୍ତି ନେବେ । ଗତବର୍ଷ ଜୁନ୍ ମାସ ୧୪ତାରିଖ ଦିନ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଣାଯାଇଥିଲା । ସେହିଦିନ ଭିତର ରତ୍ନଭଣ୍ଡାରର ଚାବି ପ୍ରଥମ ଥର ପାଇଁ ଖୋଲାଯାଇଥିଲା । ୨୦୨୪ ମସିହା ଜୁଲାଇ ୧୮ ତାରିଖ ଦିନ ଭିତର ରତ୍ନଭଣ୍ଡାରରୁ ଖଟଶେଯ ଘରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ୨୦୨୩ ମସିହା ଅଗଷ୍ଟ ୨୩ତାରିଖରେ ସିନ୍ଧୁକ, ଆଲମିରା ସ୍ଥାନାନ୍ତର ହୋଇଥିଲା । ଏକ ବର୍ଷ ପୂର୍ବେ ଏଏସ୍ଆଇ ସର୍ଭେ କରି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ ।
ଆଜି ଜିଲ୍ଳାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଆସନ୍ତା ୨୩ତାରିଖ ପୂର୍ବରୁ ଭଣ୍ଡାର ଘର ମରାମତି ଠିକ୍ ହୋଇଛି କି ନାହିଁ ତାହା ତଦାରଖ କରିବେ । ସ୍ଥାନାନ୍ତର ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ପ୍ରତିକୂଳ ପ୍ରଭାବ ପଡ଼ିବନାହିଁ । ତେବେ ସାଧାରଣ ଭକ୍ତଙ୍କ ପାଇଁ କଟକଣା ରହିବ । ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ପ୍ରବେଶ କରିପାରିବେ । ମାତ୍ର ଭିତର କାଠ ଦର୍ଶନ ହେବନାହିଁ । ସେହିପରି କୌଣସି ପରିସ୍ଥିତିରେ ଭକ୍ତମାନେ ନାଟମଣ୍ଡପ କିମ୍ବା ବେହରଣ ଦ୍ୱାର ପର୍ଯ୍ୟନ୍ତ ଯାଇପାରିବେନାହିଁ । ନାଟମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିସାରିଛି । ହୁଣ୍ଡି ସ୍ଥାନାନ୍ତର କରାଯିବା ପରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସ୍ଥାନାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଆସନ୍ତା ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ନେଇ ଆଲୋଚନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହି ବୈଠକରେ ଜିଲ୍ଳାପାଳ, ଏସ୍.ପି, ଏ.ଏସ୍.ଆଇର ଅଧିକାରୀ, ଛତିଶାନିଯୋଗ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।