ୟୁଏଇ ମ୍ୟାଚ ପୂର୍ବରୁ ପାକ୍ ଟିମର ହାଇଡ୍ରାମା
ଆଜି ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ହେବାର ଥିଲା । ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ପାକିସ୍ତାନ କିନ୍ତୁ ପହଁଚିଲାନି । ରେଫରୀ ଆଣ୍ଡି ପାଏକ୍ରଫ୍ଟଙ୍କୁ ହଟାଇବା ଦାବିରେ ପାକ୍ ଟିମ୍ ଅଡ଼ି ବସିଥିଲେବି ଆଇସିସି କିନ୍ତୁ ଏହି ଦାବିକୁ ଗ୍ରହଣ କରିନଥିଲା । ଶେଷରେ ବାଧ୍ୟହୋଇ ପାକିସ୍ତାନ ଟିମ୍ ଷ୍ଟାଡ଼ିୟମ ଭିତରକୁ ଆସିଥିଲା । ଫଳରେ ଘଣ୍ଟାଏ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା ।
ଭାରତ-ପାକିସ୍ତାନ ମ୍ୟାଚ ବେଳେ ରେଫରୀ ଉଭୟ ଦଳକୁ ହ୍ୟାଣ୍ଡସେକ୍ ନକରିବା ପାଇଁ କହିଥିଲେ । ଏନେଇ ପାକିସ୍ତାନ ମ୍ୟାଚ ପରେ ଆପତ୍ତି ଉଠାଇବା ସହ ଏସିସି ଓ ଆଇସିସିକୁ ଅବଗତ କରିଥିଲା । ରେଫରୀଙ୍କୁ ହଟାଇବା ପାଇଁ ଦାବି କରିଥିଲା । ଆଜି ମଧ୍ୟ ସମାନ ଦାବିରେ ଅଡ଼ି ବସିବାରୁ ଖେଳ ହେବକି ନାହିଁ ଆଶଙ୍କା ପ୍ରକାଶ ପାଇଥିଲା । ମ୍ୟାଚ୍ ସମୟ ଗଡ଼ି ଯାଇଥିଲେବି ପାକ୍ ଟିମ୍ ଷ୍ଟାଡ଼ିୟମକୁ ଆସିନଥିଲା । ଫଳରେ ପାକିସ୍ତାନ ଏସିଆ କପରୁ ଓହରି ଯାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ଅପରପକ୍ଷରେ ପିସିବି ଅଧ୍ୟକ୍ଷ ପୂର୍ବତନ ଅଧ୍ୟକ୍ଷ ରମିଜ୍ ରାଜା ଓ ନଜାମ ସେଠୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ପାକିସ୍ତାନ ଟିମ୍ ଅପରାହ୍ନ ୫ଟାରେ ହୋଟେଲରୁ ଷ୍ଟାଡ଼ିୟମ ଅଭିମୁଖେ ଆସିବାର ଥିଲା । କିନ୍ତୁ ଷ୍ଟାଡ଼ିୟମକୁ ନଯିବା ପାଇଁ ପିସିବି ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଥିଲା । ପାକିସ୍ତାନ ପକ୍ଷରୁ ଦୁଇଟି ଦାବି କରାଯାଇଥିଲା । ଗୋଟିଏ ହେଉଛି ରେଫରୀଙ୍କୁ ହଟାଯାଉ । ଅପରପକ୍ଷରେ ଭାରତୀୟ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ମନ୍ତବ୍ୟ ରାଜନୀତିକ ଥିଲା । ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପିସିବି ଦାବି କରିଥିଲେବି ଆଇସିସି ଏହାକୁ ଗ୍ରହଣ କରିନଥିଲା ।..