ଅନୁପ ଲାଖୋଟିଆଙ୍କ ଦାଦାଗିରି : ଜଗତପୁର ଥାନାରେ ମାମଲା

 ଭୁବନେଶ୍ୱର: ଭବାନୀ ଆଲୁମିନା ପ୍ରଡକ୍ଟସର ମାଲିକ ଅନୁପ ଲାଖୋଟିଆଙ୍କ ଦାଦାଗିରି ଏବେ ଚର୍ଚ୍ଚାରେ  । ଡିଭାଇନ ୟୁନାଇଟେଡ଼ କମ୍ପାନୀର କାରଖାନା ପରିସରକୁ ଲୋକ ପଠାଇ ସେ କର୍ମଚାରୀ ଓ ମାଲିକଙ୍କୁ ଧମକଚମକ ଦେଇଛନ୍ତି ବୋଲି ନିଦେ୍ର୍ଦଶକ ମଧୁସ୍ମିତା ଠାକୁର ଏତଲା ଦେଇଛନ୍ତି  । ତାଙ୍କ ଏତଲା ଆଧାରରେ ଲଖୋଟିଆଙ୍କ ନାମରେ ମାମଲା ହୋଇଥିବା ଜାଣିବାକୁ ମିଳିଛି  ।
ଅଭିଯୋଗ ଅନୁଯାୟୀ, ତାଙ୍କ କାରଖାନା ଭିତରକୁ ଅନୁପ ଲୋକ ପଠାଇ ଧମକଚମକ ଦେଇଥିଲେ  । ଏମିତିକି କାରଖାନାରୁ ଚାଲିଯିବାକୁ କହିଥିଲେ  । କାଳେ ପ୍ରମାଣ ରହିଯିବ ସେଥିପାଇଁ ସିସିଟିଭି କ୍ୟାମେରାକୁ ବି ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି  । ଇଡ଼କୋ ଜମିର ସେ ଲିଗାଲ ଓନର ନୁହଁନ୍ତି  । ସେହି ଜମି ନଳିନୀକାନ୍ତ ଗୁମାନସିଂହଙ୍କ ନାମରେ ରହିଛି  । ଶ୍ରୀ ଗୁମାନସିଂହଙ୍କୁ ବି ସେ ଠକିଥିବା ମଧୁସ୍ମିତା ଅନୁମାନ କରୁଛନ୍ତି  । ଲାଖୋଟିଆଙ୍କ ସହଯୋଗୀ ମାନସ, ପ୍ରଶାନ୍ତ ପଟ୍ଟନାୟକ ଓ ଅନ୍ୟ କେତେକ ବ୍ୟକ୍ତି କାରଖାନାକୁ ବନ୍ଦ କରିଦେବେ ବୋଲି ଧମକ ଦେଉଛନ୍ତି  । ଲାଖୋଟିଆଙ୍କ ନିଦେ୍ର୍ଦଶରେ ସେମାନେ ଏମିତି ଧମକ ଦେଉଛନ୍ତି ବୋଲି ଅନ୍ୟ ସହଯୋଗୀମାନେ କହିଥିଲେ  । ଗତକାଲି ରାତିରେ ମଧ୍ୟ ଲାଖୋଟିଆ ମଧୁସ୍ମିତାଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ  । ଏମିତିକି ଆଇଆଇସିଙ୍କ ସାମ୍ନାରେ ସେ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇଥିବା ନେଇ ମଧୁସ୍ମିତା ଅଭିଯୋଗ କରିଛନ୍ତି  । ଲାଖୋଟିଆଙ୍କ ସହଯୋଗୀଙ୍କ ମାଡ଼ରେ ତାଙ୍କ କମ୍ପାନୀର କର୍ମଚାରୀମାନେ ଆହତ ହୋଇଛନ୍ତି  । ତାଙ୍କ ବ୍ୟବସାୟକୁ ସେ ନିଜର ଟଙ୍କା ବଳ ଓ ପ୍ରଭାବରେ ହାତେଇବାକୁ ଚାହୁଁଛନ୍ତି  । ଲାଖୋଟିଆଙ୍କ ବିରୋଧରେ ଅନେକ ସଂଗୀନ ଅଭିଯୋଗ ଆସିଥିବା ନେଇ ମଧୁସ୍ମିତା ଏତଲାରେ ଦର୍ଶାଇଛନ୍ତି  ।