୨୪୧ ଗାଡ଼ିର ଆର୍ସି ବାତିଲ୍ : ବାରମ୍ବାର ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିର ହୋଇଛି ତାଲିକା
ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସଚେତନତା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଏନଫୋର୍ସମେଣ୍ଟ ବ୍ୟାପକ କରାଯାଇଛି । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟବ୍ୟାପୀ ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ସହଭାଗିତାରେ ମୋଟରଯାନର ନିୟମ ଉଲ୍ଲଙ୍ଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଉଛି ।
ସେହିଭଳି ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରଯାଇଛି । ବାରମ୍ବାର ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରି ସଡ଼କରେ ବିପଦ ସୃଷ୍ଟି କରୁଥିବା ଯାନର ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୪୧ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ଗାଡ଼ି ମଧ୍ୟରେ ଅନେକ ଗାଡ଼ି ୫୦ରୁ ଅଧିକ ଥର ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିଥିବା ବେଳେ, ଏପରି କିଛି ଗାଡ଼ି ମଧ୍ୟ ରହିଛି, ଯେଉଁ ଗାଡ଼ିଗୁଡ଼ିକ ଶହେରୁ ଅଧିକ ଥର ମୋଟର ଯାନ ଆଇନ ଉଲ୍ଲଙ୍ଘନ କରିଛନ୍ତି ।