୨୫ ମିନିଟ୍ର ‘ସିନ୍ଦୂର’...ବଡ଼ ଷ୍ଟ୍ରାଇକ୍ର ମୁଖ୍ୟ ୫ଟି କାରଣ

 ନୂଆଦିଲ୍ଲୀ : ୧୯୭୧ ଭାରତ-ପାକିସ୍ତାନ୍ ଯୁଦ୍ଧ ପରେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ୍ ସିନ୍ଦୂର ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ୍ ବୋଲି କୁହାଯାଉଛି । କାରଣ ୧୯୭୧ ଯୁଦ୍ଧ ପରଠାରୁ ଆଜି ପର୍ଯ୍ୟନ୍ତ ଭାରତ ପାକ୍ ବିରୋଧରେ କରି ଆସିଥିବା  ଏୟାର ଷ୍ଟ୍ରାଇକ୍ କିମ୍ବା ସର୍ଜିକାଲ୍ ଷ୍ଟ୍ରାଇକ୍ରେ କେବଳ ସୀମିତ ସଂଖ୍ୟକ ଆତଙ୍କୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ବୁଧବାର ମଧ୍ୟ ରାତିରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍ରେ ପାକିସ୍ତାନ୍ ସୀମାରେ ଥିବା ୯ଟି ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଛି, ଆଉ ଏଥିରେ ୮୦ ଆତଙ୍କୀ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି । ଆଜି ଏକ ପ୍ରେସ୍ମିଟ୍ ଜରିଆରେ ସ୍ଥଳସେନା କର୍ଣ୍ଣେଲ୍ ସୋଫିଆ କୁ୍ୟରେସି ଏବଂ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ବ୍ୟୋମିକା ସିଂ ସର୍ବସାଧାରଣଙ୍କୁ ସୂଚନା ଦେବା ପରେ ଏହା ସ୍ପଷ୍ଟ ହୋଇଛି ।
ତେବେ ଏହି ଅପରେସନ୍ ସିନ୍ଦୂର ପଛରେ ପ୍ରମୁଖ ଭାବେ ୫ଟି କାରଣ ରହିଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି । ତାହା ହେଲା ପାକିସ୍ତାନ୍ର ପଞ୍ଜାବରେ ବଢ଼ୁଥିବା ଆତଙ୍କୀ କାର୍ଯ୍ୟକଳାପ ତଥା ମୁଖ୍ୟାଳୟକୁ ଧ୍ୱଂସ କରିବା, ପିଓକେ ସମେତ ଏହାର ଆଖପାଖରେ ଗଢ଼ି ଉଠିଥିବା ଆତଙ୍କୀ ବଡ଼ ତାଲିମ କେନ୍ଦ୍ରକୁ ଧ୍ୱଂସ କରିବା, କେବଳ ୨୫ ମିନିଟ୍ ମଧ୍ୟରେ ୯୭୦ କିମିର ଆତଙ୍କୀ ଆଡ୍ଡାଗୁଡ଼ିକୁ ନିପାତ କରିବା, ଅଧିକରୁ ଅଧିକ ଆତଙ୍କୀକୁ ନିପାତ କରିବା ଏବଂ ଏକାଧିକ ଆତଙ୍କୀ ସଂଗଠନ ଆଡ୍ଡାକୁ ମଧ୍ୟ ଟାର୍ଗେଟ୍ କରି ତାକୁ ଉଡ଼ାଇବା ଇତ୍ୟାଦି ।
ଏହିକ୍ରମରେ ପ୍ରଥମେ ପାକିସ୍ତାନ୍ ପଞ୍ଜାବର ୩ ଜିଲ୍ଲା ଭୱାଲପୁର, ସିଆଲକୋଟ ଏବଂ ଶୈଖପୁରାରେ ଗଢ଼ିଉଠି ଥିବା ଆତଙ୍କୀ କେନ୍ଦ୍ର ଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ଭୱାଲପୁରରେ ଥିବା ମାର୍କାଜ୍ ଶୁଭାନାଲ୍ଲା କ୍ୟାମ୍ପ୍, ସିଆଲକୋଟରେ ମେହମୁନା ଜୋୟା କ୍ୟାମ୍ପ୍ ଏବଂ ଶୈଖପୁରାରେ ମାର୍କାଜ୍ ତାଇବା କ୍ୟାମ୍ପ୍ରେ ଭୀଷଣ ମିସାଇଲ୍ ମାଡ଼ କରାଯାଇଥିଲା । ଦ୍ୱିତୀୟରେ ପିଓକେ ଓ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଥିବା ୯ଟି ଆତଙ୍କୀ ତାଲିମ ଅନୁଷ୍ଠାନରେ ମିସାଇଲ୍ ଷ୍ଟ୍ରାଇକ୍ କରାଯାଇଛି । ତୃତୀୟରେ କେବଳ ୨୫ ମିନିଟ୍ ମଧ୍ୟରେ ୯୭୦ କିମି ବିଶିଷ୍ଟ ସୀମାନ୍ତ ଅଞ୍ଚଳକୁ ଧ୍ୱଂସ କରାଯାଇଛି । ଆଉ କେବଳ ସ୍କାଲ୍ପ ଓ ହାମର୍ ମସାଇଲ୍ ଏହି ଧ୍ୱଂସର ମୁଖ୍ୟ କାରଣ ସାଜିଥିଲେ । ଚତୁର୍ଥରେ ଏହି ଅପରେସନ୍ରେ ଆକ୍ରମଣ କରାଯାଇଥିବା ୯ଟି ସ୍ଥାନରେ ତାଲିମ ନେଉଥିବା ଜୈଶ ଏ ମହମ୍ମଦ, ଲସ୍କର ଏ ତୋଏବା ଏବଂ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କୀ ସଂଗଠନର ୮୦ ଜଣ ଆତଙ୍କୀଙ୍କ ମୃତୁ୍ୟ ହୋଇଛି । ୫ମ ଏବଂ ଶେଷ ତଥା ମୁଖ୍ୟ କାରଣ ହେଉଛି ଏହି ୯ଟି ସ୍ଥାନରେ ତାଲିମ ନେଉଥିବା ବିଭିନ୍ନ ଆତଙ୍କୀ ସଂଗଠନ ସମେତ ଅନ୍ୟ ଆତଙ୍କୀ ସଂଗଠନର ସଦସ୍ୟମାନେ ମଧ୍ୟ ନିହତ ହୋଇଛନ୍ତି ।