‘ଅନ୍ୟାୟ ବିରୋଧୀ ସଂଗ୍ରାମର ଡିଏନଏ ଥିଲେ ମହତାବ’
-
ସ୍ଥାପନ ହେବ ମହତାବଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତ
-
ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ କୁଟୁମ୍ବ ଯୋଜନା
ଭୁବନେଶ୍ୱର : ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନ ଏବଂ ତା’ ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେକୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ୱର ଉଠିଛି, ତା’ର ନେତୃତ୍ୱ ମହତାବ ନେଇଛନ୍ତି । ସେହି ଆନ୍ଦୋଳନ ପଛରେ ଡକ୍ଟର ମହତାବଙ୍କ ଦୃଢ ପ୍ରେରଣା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ମହତାବଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହା କହିଛନ୍ତି ।
ଭୁବନେଶ୍ୱର ଶହୀଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଡକ୍ଟର ମହତାବଙ୍କ ମହାପ୍ରୟାଣ ଦିବସରେ ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଦିବସ ପାଳନ କରାଯିବା ଏକ ଅପୂର୍ବ ସଂଯୋଗ । ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଡକ୍ଟର ମହତାବଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଅବସରରେ ଭୁବନେଶ୍ୱର ମଧ୍ୟବର୍ତ୍ତୀ ଅଞ୍ଚଳରେ ଡକ୍ଟର ମହତାବଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗଙ୍କ ପାଇଁ କୁଟୁମ୍ବ ଯୋଜନା ପ୍ରକ୍ରିୟାରେ ରହିଛି ।
ଖୁବ୍ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେ କହିଥିଲେ ବରପୁତ୍ରମାନଙ୍କୁ ସମ୍ମାନ ଦେବା ଆମର ନୈତିକ ଦାୟିତ୍ୱ । ଆମ ସରକାର ରାଜ୍ୟର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ତଥା ଜରୁରୀକାଳୀନ ପରିସ୍ଥିତିରେ ଲଢେଇ କରିଥିବା ସଂଗ୍ରାମୀ ମାନଙ୍କୁ ଯଥୋଚିତ ସମ୍ମାନ ଦେଉଛନ୍ତି । ବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନସନ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କା କରାଯାଇଛି । ସେମାନଙ୍କ ଅନ୍ତେ ତାଙ୍କ ପତ୍ନୀ ଓ ଅବିବାହିତ ଝିଅ ମଧ୍ୟ ଏହି ସୁବିଧା ପାଇବେ । ସେହିପରି ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ମାସିକ ପେନସନକୁ ୯ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । କେନ୍ଦ୍ର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରତୀକ ଭତ୍ତା ଭାବେ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏଥିସହିତ ଜରୁରୀ କାଳୀନ ପରିସ୍ଥିତି ସମୟରେ ମିଶା ଆଇନ୍ରେ ଗିରଫ ହୋଇଥିବା ୧୫୨ ଜଣ ଲୋକତନ୍ତ୍ର ସେନାନୀଙ୍କ ପାଇଁ ମଧ୍ୟ ମାସିକ ୨୦ ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଅଧିକ ଲୋକତନ୍ତ୍ର ସେନାନୀଙ୍କୁ ପେନସନ ଦିଆଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେଯେ, ଓଡିଶାରେ ଯଦି ଡକ୍ଟର ମହତାବ ଜନ୍ମ ନେଇନଥାନ୍ତେ ତେବେ ଓଡିଶା ପ୍ରଦେଶର ଆମେ ଯେଉଁ ମାନଚିତ୍ର ପାଇଛୁ, ତାହା ଦେଖିବାକୁ ମିଳିନଥାନ୍ତା । ଓଡିଶାରେ ଭିତ୍ତିଭୂମି, ଶିଳ୍ପ, କୃଷି, ଜଳସେଚନ ଆଦି ପ୍ରତ୍ୟେକ କ୍ଷେତ୍ରର ବିକାଶର ମୂଳଦୁଆ ସ୍ଥାପନ କରିଥିଲେ ଡକ୍ଟର ମହତାବ । ଅନ୍ୟତମ ଅତିଥି ଭାବେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେଯେ, ଏ ମାଟିରେ ଶହ ଶହ ସ୍ୱାଧୀନତା ସଂଗ୍ରାମୀ ଦେଶ ମାତୃକାର ସ୍ୱାଧୀନତା ପାଇଁ ଲୁହ ଓ ଲହୁ ଢାଳି ଆମକୁ ମୁକ୍ତିର ସ୍ୱାଦ ଚଖାଇଛନ୍ତି । ସେମାନଙ୍କ ଅନନ୍ୟ ଦେଶଭକ୍ତି ଓ ଉତ୍ସର୍ଗୀକୃତ ଅବଦାନ ଆଗରେ କୌଣସି ଶକ୍ତି ସମତୁଲ ହେବ ନାହିଁ ବୋଲି ସେ କହିଥିଲେ । କଟକ ସାଂସଦ ତଥା ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟର ଅଧ୍ୟକ୍ଷ ଭର୍ତ୍ତୃହରି ମହତାବ ତାଙ୍କ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେଯେ, ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିବସ ନାମିତ ହୋଇନଥିଲା । ୧୯୮୭ରୁ ଏହି ଦିବସକୁ ସ୍ୱାଧୀନତା ସଂଗ୍ରାମୀ ଦିବସ ଭାବେ ପାଳନ କରିବା ପାଇଁ ସ୍ଥିର କରାଯାଇଛି । ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ପିଢି ପରେ ପିଢିଙ୍କ ମଧ୍ୟରେ ଆମ ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ନୀତି, ଆଦର୍ଶ ଓ ତ୍ୟାଗକୁ ଉଜ୍ଜିବୀତ କରି ରଖି ସେମାନଙ୍କ ମଧ୍ୟରେ ଦେଶ ପ୍ରେମକୁ ଜାଗ୍ରତ କରିବା ।
ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେଯେ, ଓଡିଶାକୁ ଭାରତ ବର୍ଷର ପ୍ରଥମ ରାଜ୍ୟ ଭାବେ ପରିଣତ କରିବାକୁ ଯେଉଁ କେତେଜଣ କାମ କରୁଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଡକ୍ଟର ମହତାବ । ନୂଆ ଓଡିଶା ଗଠନର ସ୍ୱପ୍ନ ସେ କେବଳ ନିଜେ ଦେଖୁନଥିଲେ, ଓଡିଶାର ଯୁବ ବର୍ଗଙ୍କୁ ମଧ୍ୟ ପ୍ରେରଣା ଦେଉଥିଲେ । ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେଯେ, ଯୁଗ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଆମେ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ କେବେ ଭୁଲିବା ଉଚିତ୍ ନୁହେଁ । ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ପ୍ରମୁଖ ଡକ୍ଟର ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଦିବସ ମହୋତ୍ସବର ସଭାପତି ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଡକ୍ଟର ମହତାବଙ୍କ ସ୍ମୃତି ସମ୍ବଳିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରି ବୁଲି ଦେଖିଥିଲେ ।
Samir Kumar Rout