ଇସ୍ରାଏଲ୍କୁ ଯୁଦ୍ଧାସ୍ତ୍ର ଚିନ୍ତା: ଇରାନରେ ୫୮୫, ଇସ୍ରାଏଲ୍ରେ ୨୪ ମୃତ

 ନୂଆଦିଲ୍ଲୀ: ଯୁଦ୍ଧାସ୍ତ୍ର ସଙ୍କଟରେ ଇସ୍ରାଏଲ୍ । ଯଦି ଇରାନ୍ ପୁଣି ମିଶାଇଲ୍ ମାଡ଼ କରେ, ତେବେ ଇସ୍ରାଏଲ୍ ଏଥିରୁ ବର୍ତ୍ତିବା କଷ୍ଟକର ହୋଇଯିବ । ଯାହାବି ଯୁଦ୍ଧାସ୍ତ୍ର କିମ୍ବା ମିଶାଇଲ୍ ରହିଛି ଏଥିରେ ମାତ୍ର ୧୦ରୁ ୧୨ ଦିନ ତିଷ୍ଠିପାରିବ ଇସ୍ରାଏଲ୍ । ଆମେରିକାର ଗଣମାଧ୍ୟମ (ଖବର କାଗଜ) ସଂସ୍ଥା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ (ଡବ୍ଲୁ୍ୟଏସ୍ଜେ) ଏବଂ ଇସ୍ରାଏଲ୍ ଗଣମାଧ୍ୟମ ‘ଦ ମେକର୍’ ପକ୍ଷରୁ ଏହି ତଥ୍ୟ ଜଣାପଡ଼ିଛି ।
ରିପୋର୍ଟ ଅନୁସାରେ ଇସ୍ରାଏଲ୍ ଇରାନ ଉପରେ ଯେଉଁ ଭୀଷଣ ଆକ୍ରମଣ କରିଛି, ସେଥିରେ ଆରୋ ମିସାଇଲ୍ (ଦୂରଗାମୀ)ର ଭୂମିକା ପ୍ରମୁଖ ଥିଲା । ଗୋଟିଏ ଆରୋ ମିସାଇଲ୍ର ଦାମ ୩ ନିୟୁତ ଡଲାର (ପ୍ରାୟ ୨୬ କୋଟି) ହୋଇଥିବା ବେଳେ ଏକା ରାତିରେ ଇସ୍ରାଏଲ୍ ୨୮୫ ନିୟୁତ ଡଲାରର ମିସାଇଲ ମାଡ଼ କରୁଥିଲା । ଏଥିଯୋଗୁ ଇସ୍ରାଏଲ ନିକଟରେ ଏବେ ଲଙ୍ଗରେଞ୍ଜ ତଥା ଦୂରଗାମୀ ମିଶାଇଲ୍ର ଅଭାବ ପରିଲକ୍ଷିତ ହୋଇଛି । ଖାଲି ମିସାଇଲ୍ ନୁହେଁ, ଅର୍ଥର ଅଭାବ ମଧ୍ୟ ଦେଖିବାକୁ ମିଳିଛି । ଇରାନ-ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଦେଖାଦେବା ପରେ ଗତ ଶୁକ୍ରବାର ଇସ୍ରାଏଲ୍ ଆରମ୍ଭ କରିଥିବା ଅପରେସନ୍ ‘ରାଇଜିଂ ଲାୟନ୍’ରେ ଏହି ବୃହତ ପରିମାଣର ମିସାଇଲ୍ ବ୍ୟବହାର ହୋଇଥିବା ଡବ୍ଲୁ୍ୟଏସ୍ଜେରେ ପ୍ରକାଶ ପାଇଛି । ସେପଟେ ଇରାନ୍ ମଧ୍ୟ ଦୁଇ ହଜାର କିମି ରେଞ୍ଜ୍ର ୪୦୦ଟି ବାଲିଷ୍ଟିକ୍ ମିସାଇଲ୍ ଇସ୍ରାଏଲ୍କୁ ମାଡ଼ କରିଥିଲା । କିନ୍ତୁ ଇସ୍ରାଏଲ୍ ଏୟାର୍ ଡିଫେନ୍ସ ସିଷ୍ଟମ୍ ଏହାକୁ ସଫଳତାର ସହ ଖସାଇ ଦେଇଥିଲେ ମଧ୍ୟ ସେଥିରୁ କିଛିମାତ୍ରା ମିଶାଇଲ୍ ଇସ୍ରାଏଲ୍କୁ ମାଡ଼ ହୋଇଥିଲା । ଅପରପକ୍ଷେ ତେଲଅଭିବ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ୍ ଆକ୍ରମଣରେ ଇରାନ୍ର ଏକ ତୃତୀୟାଂଶ ମିସାଇଲ୍ ଲଞ୍ଚର୍ ନଷ୍ଟ ହୋଇଛି । କିନ୍ତୁ ଇସ୍ରାଏଲ୍ ଇରାନ୍ର ଆକାଶ ସ୍ଥଳକୁ ସେ ସମ୍ପୂର୍ଣ୍ଣ ରୂପ କବ୍ଜା କରିଛି ବୋଲି ଭ୍ରମରେ ଅଛି । ସେପଟେ ଇସ୍ରାଏଲ୍ ପ୍ରତିରକ୍ଷା ବିଭାଗ ବ୍ୟବହାର କରୁଥିବା ମୂଲ୍ୟବାନ ତଥା ଭିନ୍ନ ଧରଣର ମିସାଇଲ୍ ଓ ଏୟାର୍ ଡିଫେନ୍ସ ସିଷ୍ଟମ ଏବେ ଶେଷ ହେବାକୁ ଯାଉଛି । ତା’ରି ମଧ୍ୟରେ ରହିଛି ଆଇରନ୍ ଡୋମ୍, ଡାଭିଡ୍ସ ସ୍ଲିଙ୍ଗ୍, ଦି ଆରୋ ସିଷ୍ଟମ ଏବଂ ଆମେରିକା ନିର୍ମିତ ଆଣ୍ଟିବାଲିଷ୍ଟିକ୍ ମିସାଇଲ୍ ସିଷ୍ଟମ ‘ଥାଡ୍’ । ଏହି ଅସ୍ତ୍ର ସଙ୍କଟ ମଧ୍ୟରେ ଯଦି ଆମେରିକା ତୁରନ୍ତ କୌଣସି ପ୍ରକାରର ସହାୟତା ନ ଯୋଗାଏ ଅଥବା ଅସ୍ତ୍ର ଶସ୍ତ୍ର ନ ଯୋଗାଏ ତେବେ ଇସ୍ରାଏଲ୍ ମାତ୍ର ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ ବୋଲି ଡବ୍ଲୁଏସ୍ଜେରେ ପ୍ରକାଶ ପାଇଛି ।