ଅଣଦେଖା ବ୍ରହ୍ମବରଦା ଥାନା : ୨୬ ସ୍ଥାନରେ ୧୧କର୍ମଚାରୀ ତୁଲାଉଛନ୍ତି କାମ
ବ୍ରହ୍ମବରଦା: ସରକାର ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗ୍ରାମାଞ୍ଚଳମାନଙ୍କରେ ଥାନା ଓ ଫାଣ୍ଡି ପରି ପ୍ଲାଟଫର୍ମର ଉପଲବ୍ଧ କରିଛନ୍ତି । ଏଗୁଡିକୁ ସଠିକ ଢଙ୍ଗରେ ନିୟନ୍ତ୍ରିତ କରିବା ପାଇଁ ଆଇନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପୋଲିସ ହେଡ କ୍ୱାଟରମାନ ମଧ୍ୟ ପ୍ରତିଷ୍ଠିତ କରାଯାଇଛି । ଉନ୍ନତ ଭିତିଭୂମି ସାଙ୍ଗକୁ ବଡବଡ ବିଲଡିଂ, ଚାକଚକ୍ୟ ସ୍ମାର୍ଟ ଗୃହ ସହିତ ପ୍ରତି ଥାନାମାନଙ୍କରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏମିତି କିଛି ଥାନା ଅଛି ଯାହାକୁ ଲକ୍ଷ କଲେ ସରକାରଙ୍କ ଏତେସବୁ ଯୋଜନା ବେଳେ ବେଳେ ଦେଖଣୀୟ ପରି ମନେ ହେଉଛି । କାରଣ ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ସହିତ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯେତେ ବେଳେ ସରକାର ସ୍ଲୋଗାନ ଦେଉଛନ୍ତି ସେତେ ବେଳେ ଥାନାରେ ଆବଶ୍ୟକ ମୁତାବକ କର୍ମଚାରୀ ନିୟୋଜିତ କରିବା ଦିଗକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି । ଯାହାର ବ୍ୟତିକ୍ରମ ବ୍ରହ୍ମବରଦା ଥାନା କ୍ଷେତ୍ରରେ ଦେଖିବାକୁ ମିଳିଛି । ଏଠାରେ ଆବଶ୍ୟକ ମୁତାବକ କର୍ମଚାରୀ ଅଭାବରୁ ଥାନା ସଠିକ ଢଙ୍ଗରେ ଚାଲିବା ବହୁ କଷ୍ଟକର ହୋଇପଡିଛି । ଅଭିଯୋଗକାରୀଟିଏ ଥାନାକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ସହ ନ୍ୟାୟ ପାଇବାରେ ବହୁ ବିଳମ୍ବ ଘଟୁଛି । ଉକ୍ତ ଅଂଚଳରେ ଏବେ ଚୋରି, ଲୁଟପାଟ, ଅପହରଣ ପରି ସଙ୍ଗିନ ମାମଲା ବଢିବଢି ଚାଲିଥିବାବେଳେ କର୍ମଚାରୀ ଅଭାବରୁ କଡାକଡି ଭାବେ ରାତ୍ରିକାଳୀନ ପାଟ୍ରୋଲିଂ ହେଇପାରୁନାହିଁ । ଫଳରେ ଅଂଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ସୂଚନାନୁଯାୟୀ କି ୨୦୨୩ ମସିହା ଜାନୁଆରୀ ୯ରେ ବ୍ରହ୍ମବରଦା ଫାଣ୍ଡି ଥାନାର ମାନ୍ୟତା ପାଇଥିଲା । କିନ୍ତୁ ସରକାର ବ୍ରହ୍ମବରଦା ଫାଣ୍ଡିକୁ ଥାନାର ମାନ୍ୟତା ଦେଇ ଆବଶ୍ୟକ ମୁତାବକ କର୍ମଚାରୀ ନିୟୋଜିତ କରିବା କଥାଟା ଭୁଲି ଯାଇଛନ୍ତି । ବ୍ରହ୍ମବରଦା ଫାଣ୍ଡି ଥାନାର ମାନ୍ୟତା ପାଇବାର ମାତ୍ର ୨ବର୍ଷ ଭିତରେ ପାଂଚ ପାଂଚ ଜଣ ଆଇଆଇସିଙ୍କ ଅନ୍ୟତ୍ର ବଦଳି ଏହା ସ୍ପଷ୍ଟ ପ୍ରମାଣିତ କରୁଛି କି ସମ୍ପୃକ୍ତ ବିଭାଗ ଦ୍ୱାରା ବ୍ରହ୍ମବରଦା ଥାନା ବହୁ ଅଣଦେଖାର ଶୀକାର ହୋଇଛି । କିନ୍ତୁ ଦେଖିବାକୁ ଗଲେ ଉକ୍ତ ଅଂଚଳରେ ଏବେ ଅପରାଧିକ ମାମଲା ବୃଦ୍ଧି ପାଇବା ସହିତ ପ୍ରତିଦିନ ବିଭିନ୍ନ ପ୍ରକାରର ଅଭିଯୋଗ ଥାନାକୁ ଆସିବାରେ ଲାଗିଛି । ଯାହାକୁ କି ତଦନ୍ତ କରି ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା କାମ ହେଲା ପୁଲିସ କର୍ମଚାରୀ ମାନଙ୍କର । ହେଲେ କର୍ମଚାରୀ ଅଭାବରୁ ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେଉଛି । ଉକ୍ତ ଥାନା ଅଧୀନରେ ରସୁଲପୁର ବ୍ଳକର ୬ଟି ପଂଚାୟତ ମଧ୍ୟରେ ବ୍ରହ୍ମବରଦା, ବନ୍ଧଢିଅ, ମହେଶ୍ୱରପୁର, ମଙ୍ଗରାଜପୁର, ରାଉତରାପୁର, ଅର୍ଥଙ୍ଗା ରହିଥିବା ବେଳେ ଯାଜପୁର ବ୍ଲକର ଝାଲପଡା ଓ ରୁଦ୍ରପୁର ଆଦି ୨ଟି ପଂଚାୟତ ରହିଛି । ସେହିପରି ଧର୍ମଶାଳା ବ୍ଲକର ମଙ୍ଗଳପୁର ନାମକ ଗୋଟିଏ ପଂଚାୟତ ରହିଛି । ମୋଟ ୯ଗୋଟି ପଂଚାୟତ ବ୍ରହ୍ମବରଦା ଥାନା ଅଧୀନରେ ରହିଛି । ଅନ୍ୟ ପକ୍ଷରେ ବ୍ରହ୍ମବରଦା ଥାନା ଅଧୀନରେ ଥିବା ଅଧିକାଂଶ ଅଂଚଳରେ ଉଭୟ ହିନ୍ଦୁ, ସଂଖ୍ୟାଲଘୁ ଓ ଦଳିତ ଶ୍ରେଣୀର ଲୋକେ ବସବାସ କରୁଥିବାରୁ ପ୍ରତ୍ୟେକ ଦିନ ଜମିଜମା, ରାହାଜାନି, ଜୁଆଖେଳ, ମଦ, ଗଞ୍ଜେଇ ଓ ମାଡ ଫୌଜଦାରୀ ପରି ମାମଲା ଥାନାକୁ ଆସିଥାଏ । କିନ୍ତୁ ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀମାନଙ୍କ ଆବଶ୍ୟକତା ରହିଛି । କାରଣ ବ୍ରହ୍ମବରଦା ଥାନାର ଭୌଗଳିକ ଅବସ୍ଥିତି ଓ ପରିସୀମା ଓ ଆଇନ ଅନୁଯାୟୀ ଏଠାରେ ସର୍ବମୋଟ ୨୬ ଜଣ କର୍ମଚାରୀଙ୍କର ଆବଶ୍ୟକ ଥିବା ବେଳେ ମାତ୍ର ୧୧ଜଣ କର୍ମଚାରୀଙ୍କ ଦ୍ୱାରା ଥାନା ଚାଲିଛି । ଏଠାରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଏବେ ଜଣେ ଆଇଆଇସିଙ୍କୁ ଛାଡିଦେଲେ ୨ଜଣ ଏସ୍ଆଇ ସ୍ଥାନରେ ଅଛନ୍ତି ଜଣେ ଏସ୍ଆଇ ଓ ୨ଜଣ ଏଏସ୍ଆଇଙ୍କ ସ୍ଥାନରେ ମଧ୍ୟ ଜଣେ ଏଏସଆଇ ରହିଛନ୍ତି । ତା ଛଡା ୧୨ଜଣ କନେଷ୍ଟବଳଙ୍କ ସ୍ଥାନରେ ଜଣେ ରାଇଟରଙ୍କୁ ମିଶାଇ ମାତ୍ର ୫ଜଣ କନେଷ୍ଟବଳ ନିଯୁକ୍ତ ହୋଇଥିବାବେଳେ ୮ଜଣ ହୋମଗାର୍ଡଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ । ତାଛଡା କେବଳ ଜଣେ ମାତ୍ର ମହିଳା କନେଷ୍ଟବଳଙ୍କୁ ଏଠାରେ ନିଯୁକ୍ତ କରାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ୨୬ କର୍ମଚାରୀଙ୍କ ବୋଝ୧୧ଜଣ ମୁଣ୍ଡାଇ ଚାଲିଛନ୍ତି । କିନ୍ତୁ ଗୋଟିଏ ବର୍ଷ ଭିତରେ ବ୍ରହ୍ମବରଦା ଥାନାରେ ପଞ୍ଜୀକରଣ ହେଉଥିବା ମାମଲା ଗୁଡିକ ସଂଖ୍ୟା ଢେର ଅଧିକ ହୋଇଥିବା ବେଳେ ସେହି ଅନୁପାତରେ ଥାନାର କର୍ମଚାରୀମାନଙ୍କ ସଂଖ୍ୟା ବହୁ ନଗନ୍ୟ ରହିଛି । ଏଠାରେ୨୦୨୪ମସିହାରେ ୨ଗୋଟି ହତ୍ୟା ମାମଲା, ୫ଗୋଟି ବଳାକôାର ମାମଲା ସହିତ ଅନ୍ୟାନ୍ୟ ଫୌଜଦାରୀ, ଚୋରି, ଅବକାରୀ, ଦୁର୍ଘଟଣା, ଅସଦାଚରଣ ଓ ପୋସ୍କୋ ପରି ମାମଲାକୁ ମିଶାଇ ମୋଟ ୨୬୩ ଟି ମାମଲା ରୁଜ୍ଜୁ ହୋଇଛି । ତାହା ମଧ୍ୟରୁ ୨୦୯ଗୋଟି ମାମଲା ସମାଧାନ ହୋଇ ୫୪ଗୋଟି ମାମଲାର ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । କିନ୍ତୁ ବର୍ତମାନର ବ୍ରହ୍ମବରଦା ଥାନା ଆଇଆଇସି ଅଂଶୁମାଳା ଦାସ ୨୧ଜୁଲାଇ ୨୦୨୪ରୁ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ୧୨୯ଗୋଟି ମାମଲା ରୁଜୁ ହୋଇଥିବା ସେ କହିଛନ୍ତି । ତା ସହିତ ୨୦୨୫ ମସିହାମାନେ ଚଳିତ ବର୍ଷ ଆରମ୍ଭରୁ ୧୯ତାରିଖ ମଧ୍ୟରେ ଥାନାରେ ୧୪ଗୋଟି ମାମଲା ରୁଜୁ ହୋଇସାରିଲାଣି ବୋଲି ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । ଶ୍ରୀମତୀ ଦାସଙ୍କ ଦାସ ଦେଇଥିବା ତଥ୍ୟକୁ ଲକ୍ଷ୍ୟ କଲେ ଜଣାପଡୁଛିକି ବ୍ରହ୍ମବରଦା ଥାନାକୁ ଦୈନିକ ଛୋଟବଡ଼ ମାମଲାଟିଏ ନିଶ୍ଚୟ ଆସିଥାଏ । କିନ୍ତୁ ଥାନାକୁ ଏତେ ସବୁ ମାମଲା ଆସୁଥିଲେ ମଧ୍ୟ ତାହା ମାତ୍ର ୧୧ଜଣ କର୍ମଚାରୀ ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି । ଯାହାଦ୍ୱାରା ସେମାନେ ମଧ୍ୟ ଆବଶ୍ୟକତା ଠାରୁ ଅଧିକ କାର୍ଯ୍ୟଭାର ହେତୁ ଅତ୍ୟଧିକ ଚାପଗ୍ରସ୍ତ ରହୁଥିବାର ଅଭିଯୋଗ ହୋଇଛି । କିନ୍ତୁ ଏନେଇ ବ୍ରହ୍ମବରଦା ଥାନା ପକ୍ଷରୁ ଉପରିସ୍ଥ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଫଳ ଶୂନ । ତା ସହିତ ଦୈନିକ ରାସ୍ତା ମାନଙ୍କରେ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ସାବାଡ କରିବା କିମ୍ୱା ତାଙ୍କ ଠାରୁ ଜରୀମାନା ଆଦାୟ କରିବା ପାଇଁ ଶ୍ୱାସ ପରିକ୍ଷଣ ଜନ୍ତ୍ରଟିଏ ବି ବ୍ରହ୍ମବରଦା ଥାନାରେ ନାହିଁ । ଯାହା ଅତ୍ୟନ୍ତ ନୈରାଶ୍ୟଜନକ କଥା । ତେଣୁ ବ୍ରହ୍ମବରଦା ଥାନାଂଚଳର ସମସ୍ୟାକୁ ଉପଲବ୍ଧି କରି ଆବଶ୍ୟକ ମୁତାବକ କର୍ମଚାରୀ ନିୟୋଜିତ କରିବା ସହିତ ବିଭିନ୍ନ ଉପକରଣ ଯୋଗାଇ ଦେବା ପାଇଁ ଅଂଚଳବାସୀ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ନିବେଦନ କରିଛନ୍ତି ।