୨୭ରେ କେରଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ: ଚଳିତ ବର୍ଷ ସଅଳ କେରଳ ଛୁଇଁବ ମୌସୁମୀ । ସାଧାରଣତଃ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁଥାଏ । ହେଲେ ଚଳିତ ବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଭାରତୀୟ କୃଷିର ଜୀବନରେଖା ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଆସିଲେ ସମ୍ପ୍ରତି ଚାଲିଥିବା ଗ୍ରୀଷ୍ମଲହର ବି ଉଭେଇଯିବ । ସାଧାରଣତଃ ମୌସୁମୀ ଜୁନ୍ ପହିଲାରେ କେରଳ ଛୁଇଁବା ସହ ଜୁଲାଇ ୮ ବେଳକୁ ସାରା ଭାରତରେ ପହଁଚି ଯାଇଥାଏ । ୨୦୦୫ରୁ ଆଇଏମଡ଼ି ପକ୍ଷର କେରଳରେ କେବେ ମୌସୁମୀ ପହଁଚିବ ସେନେଇ ପୂର୍ବାନୁମାନ କରାଯାଇଆସୁଛି । ଏଥିପାଇଁ ଏକ ସ୍ୱତନ୍ତ୍ର ମଡ଼େଲ ମଧ୍ୟ ରହିଛି । ପୂର୍ବାନୁମାନର ୪ ଦିନ ପୂର୍ବରୁ ବା ୪ ଦିନ ପରେ ମୌସୁମୀ ଛୁଇଁବାର ନଜିର ରହିଛି ।
୨୦୨୦ରେ ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥିବାବେଳେ, ୨୦୨୧ରେ ଜୁନ୍ ୩, ୨୦୨୨ରେ ମେ’ ୨୯, ୨୦୨୩ରେ ଜୁନ୍ ୮ ଓ ୨୦୨୪ରେ ମେ’ ୩୦ରେ ମୌସୁମୀ କେରଳରେ ପହଁଚିଥିବା ରେକର୍ଡ଼ କରାଯାଇଛି । ୨୦୧୫କୁ ଛାଡ଼ିଦେଲେ ବାକି ସବୁ ବର୍ଷ ଆଇଏମଡ଼ିର ଆକଳନ ଅନୁସାରେ ମୌସୁମୀ କେରଳ ଛୁଇଁବାର ନଜିର ରହିଛି । ୬ଟି ମାପଦଣ୍ଡକୁ ଅନୁଶୀଳନ କରି ମୌସୁମୀ ନେଇ ପୂର୍ବାନୁମାନ କରାଯାଇଥାଏ । ଉତ୍ତର ପଶ୍ଚିମ ଭାରତରେ ସର୍ବନିମ୍ନ ତାପମାତ୍ରା, ଦକ୍ଷିଣ ଉପଦ୍ୱୀପାଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା, ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସମୁଦ୍ର ଚାପ, ଦକ୍ଷିଣ ଚୀନ ସାଗରରେ ଓଏଲ୍ଆର, ଉତ୍ତର ପୂର୍ବ ଭାରତ ମହାସାଗରରେ ନିମ୍ନମୁଖୀ ଟ୍ରପୋସ୍ଫେରିକ ଜୋନାଲ ୱିଣ୍ଡ ଓ ଇଣ୍ଡୋନେସିଆ ଅଞ୍ଚଳରେ ଉଦ୍ଧ୍ୱର୍ମୁଖୀ ଟ୍ରପୋସ୍ଫେରିକ ଜୋନାଲ ୱିଣ୍ଡକୁ ଅନୁଶୀଳନ କରି ମୌସୁମୀର ଗତିବିଧି ପରଖା ଯାଇଥାଏ ।