ରାଜଧାନୀରେ ଶିବା ଗ୍ୟାଙ୍ଗର ଭାଇଗିରି

ଭୁବନେଶ୍ୱର:  ରାଜଧାନୀରେ ଚାଲୁଥିବା ବାରଗୁଡିକ ବାରମ୍ବାର ଅବକାରୀ ନିୟମ ଉଲ୍ଳଂଘନ କରୁଛନ୍ତି । ହେଲେ ସେଥିପ୍ରତି ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନର ନିଘା ନାହିଁ  । ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅନେକ ଅନିୟମିତତା ଓ ଅପରାଧିକ କାର୍ଯ୍ୟକଳାପ ହେଉଛି  । ଯାହାର ସାଂଘାତିକ ନିଜର ଆଜି ଦେଖିବାକୁ ମିଳିଛି  । ଡମଣା ଛକରେ ଏକ ବାରରେ ବାଉନ୍ସର ଉପରେ ୫ ରାଉଣ୍ଡ ଗୁଳି ମାଡ଼ ହେବାରୁ ସେ ଗୁରୁତର ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଡମଣା ଛକରେ ଥିବା କସ୍ମସ୍ ବାର ଏଣ୍ଡ ପବ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲାର ୪ ଜଣ ଯୁବକ ମଦ ପିଇବା ପରେ ବିଲ୍କୁ ନେଇ ବାର ମ୍ୟାନେଜରଙ୍କ ସହ ଗଣ୍ଡଗୋଳ କରିଥିଲେ  । ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳରୁ ନିବୃତ୍ତ ରହିବାକୁ ବାରରେ ମୁତୟନ ଥିବା ବାଉନ୍ସର ଯୁବକମାନଙ୍କୁ କହିଥିଲେ । ପରେ ଯୁବକମାନେ ଯଦିଓ ବାରରୁ ବାହାରି ଚାଲିଯାଇଥିଲେ କିନ୍ତୁ ପରେ ଡମଣା ଛକ ନିକଟରେ ଛକି ରହିବା ସହ ସେମାନଙ୍କୁ ଗଣ୍ଡଗୋଳରୁ ନିବୃତ୍ତ ରଖିଥିବା ବାଉନ୍ସର ସୂୟା ନାୟକଙ୍କୁ ରାସ୍ତାରେ ଅଟକାଇ ତାଙ୍କୁ ଗୁଳିମାଡ କରିଥିଲେ  । ସୂୟାଙ୍କ ଉପରକୁ ସେମାନେ ୫ ରାଉଣ୍ଡ ଗୁଳି ମାରିଥିବା ବେଳେ, ସେଥିରୁ ଦୁଇଟି ଗୁଳି ତାଙ୍କ ଡାହାଣ ଗୋଡରେ ବାଜିଥିଲା  । ରକ୍ତାକ୍ତ ଅବସ୍ଥାରେ ସୂୟା ରାସ୍ତାରେ ପଡି ଚିକôାର କରୁଥିବା ଦେଖି ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ  । ପରେ ଗୁରୁତର ଆହତ ସୂୟାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ଚନ୍ଦ୍ରଶେଖରପୁର ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଆରମ୍ଭ କରିଛି ।
ପ୍ରତ୍ୟେକ ଦିନ ରାଜଧାନୀରେ ଥିବା କେଉଁ ନା କେଉଁ ବାରରେ କିଛି ନା କିଛି ଗଣ୍ଡଗୋଳ ଘଟଣା ଦେଖିବାକୁ ମିଳୁଛି । ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନଙ୍କ ସହ ବାର ମାଲିକମାନଙ୍କର ମଧୁଚନ୍ଦ୍ରିକା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ମଧ୍ୟ ଏଥିପ୍ରତି ଏହି ଦୁଇ ବିଭାଗର ଏଥିପ୍ରତି କିଛି ବି ଦୃଷ୍ଟି ଦେଉନାହାନ୍ତି  । ଯାହାର ଫଳସ୍ୱରୂପ; ବାରଗୁଡିକ ନିୟମ ବାହାରେ ବିଳମ୍ବିତ ରାତି ଯାଏଁ ଏପରିକି ଭୋର ପର୍ଯ୍ୟନ୍ତ ଖୋଲା ରଖୁଥିବାରୁ ସେଠାରେ ବିଭିନ୍ନ ସମୟରେ ଅଘଟଣ ଘଟୁଛି  ।