ପାକର ଗାଲୁଆମୀ ପୁଣି ଲଢ଼େଇ

 ନୂଆଦିଲ୍ଲୀ:  ଅପରାହ୍ନ ୫ଟାରୁ ଅସ୍ତ୍ରବିରତି  । ଉଭୟ ଭାରତ ଓ ପାକିସ୍ତାନ ଏଥିରେ ସହମତ ହୋଇଛନ୍ତି  । ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଏନେଇ ଏକ୍ସରେ ସୂଚନା ଦେବା ପରେ ଭାରତ ଓ ପାକିସ୍ତାନ ବି ଏନେଇ ଘୋଷଣା କରିଥିଲେ  । ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଅସ୍ତ୍ରବିରତି ସଂକ୍ରାନ୍ତରେ ସୂଚନା ଦିଆଯାଇଥିଲା  । ବିଶ୍ୱର ବିଭିନ୍ନ ଦେଶ ବି ଏହାକୁ ସ୍ୱାଗତ କରିଥିଲେ  । କିନ୍ତୁ ପାକିସ୍ତାନର ପୁରୁଣା ଦୋଷ ଗଲାନାହିଁ  । ରାତି ୮ଟା ବେଳକୁ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା  । ଯାହାର କଡ଼ା ଜବାବ ଦେଇଥିଲା ଭାରତ  । ଜାମ୍ମୁର ଶାମ୍ବାରେ ଏୟାର ସାଇରନ୍ ବାଜିବା ସହ ସେଠାରେ ଆକ୍ରମଣର ସୂଚନା ମିଳିଥିଲା  । ଖାଲି ସେତିକିନୁହେଁ ଆଖନୁର, ରାଜୈାରୀ ଓ ଆରଏସ ପୁରା କ୍ଷେତ୍ରରେ ବି ପାକ୍ ପକ୍ଷରୁ ଆକ୍ରମଣ ହୋଇଥିଲା  । ବାରମୁଲାରେ ବି ବିସ୍ଫୋରଣର ଶବ୍ଦ ଶୁଭିଥିଲା  । ଅପରପକ୍ଷରେ ଏହାର କଡ଼ା ଜବାବ ଦେବା ପାଇଁ ବର୍ଡ଼ର ସିକୁ୍ୟରିଟି ଫୋର୍ସକୁ ନିଦେ୍ର୍ଦଶ ଦିଆଯାଇଥିଲା  । ଜାମ୍ମୁରୁ ନେଇ କଚ୍ଛ ଯାଏଁ, ଆକାଶରେ ପାକିସ୍ତାନୀ ଡ୍ରୋନ ଉଡ଼ିଥିଲା  । ଅଳ୍ପ କିଛି ମାଡ଼ ହୋଇଥିବାବେଳେ ବାକି ସବୁ ଭାରତ ଆକାଶରେ ହିଁ ଧୂଅାଁ କରିଦେଇଥିଲା  । ପାକିସ୍ତାନ ପଟୁ ଘନଘନ ବୋମା ଓ ଗୁଳିମାଡ଼ କରାଯାଇଛି  । ଶ୍ରୀନଗର ସେନା ମୁଖ୍ୟାଳୟକୁ ପାକ୍ ଆକ୍ରମଣ କରିବାର ଯୋଜନା କରିଥିଲେବି ଭାରତର ସେନା ବାହିନୀ ଡ୍ରୋନଗୁଡ଼ିକୁ ତଳକୁ ଖସାଇ ଦେଇଥିଲା  । ଶ୍ରୀନଗରର ଲାଲ ଚୌକ ଉପରେ ବି ପାକର ଡ୍ରୋନ ଦେଖିବାକୁ ମିଳିଥିଲା  । ଗୁଜୁରାଟର କଚ୍ଛ ସହର ଉପରକୁ ପାକ୍ ଆକ୍ରମଣ କରିବାର ଉଦ୍ୟମ କରିବାରୁ ତୁରନ୍ତ ବ୍ଳାକଆଉଟ୍ କରାଯାଇଥିଲା  ।
ଏହା ପୂର୍ବରୁ ପାକ୍ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା  । ଉଭୟ ଭାରତ ଓ ପାକିସ୍ତାନ ଏନେଇ ଘୋଷଣା ବି କରିଥିଲେ  । ବିଶ୍ୱର ବିଭିନ୍ନ ରାଷ୍ଟ୍ର ବି ଏହାକୁ ସ୍ୱାଗତ କରିଥିଲେ  । ଘଟଣାଟି ଥିଲା ଏମିତି; ଶନିବାର ଭୋର ସାଢ଼େ ୩ଟା  । ପାକିସ୍ତାନର ଏୟାର ଫୋର୍ସ ଉପରେ ଭାରତ କରିଥିଲା ଆକ୍ରମଣ  । ରାୱଲପିଣ୍ଡି ଚକଲାଲାର ରାୱଲପିଣ୍ଡି, ଚକୱାଲର ମୁରିଦ୍ ଓ ଝାଙ୍ଗ୍ ଜିଲ୍ଲା ସୋରକୋଟର ରାଫିକୁଇ ଉପରେ ମିସାଇଲ୍ ମାଡ଼ ହୋଇଥିଲା  । ଏକଥା ଭାରତ ଦାବି କରିନି  । ବରଂ ନିଜେ ପାକ୍ ହିଁ ସ୍ୱୀକାର କରିଛି  ।  ଏହାର ଠିକ୍ ୧୨ ଘଣ୍ଟା ପରେ, ଅର୍ଥାତ୍ ଆଜି ଦିନ ସାଢ଼େ ୩ଟାରେ ପାକିସ୍ତାନ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କୁ ଫୋନ୍ କରିଥିଲେ । ଅସ୍ତ୍ରବିରତି ପାଇଁ ପାକ୍ର ପ୍ରସ୍ତାବକୁ ଭାରତ ଗ୍ରହଣ କରିଥିଲା  । ଖାଲି ସେତିକିନୁହେଁ ଆସନ୍ତା ୧୨ରେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ନେଇ ବି ନିଷ୍ପତ୍ତି ହୋଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ତିନି ସେନା ମୁଖ୍ୟ ବୈଠକରେ ଉପସ୍ଥିତ ଥିଲେ  ।
ପାକ୍ ଡିଜିଏମଓଙ୍କ ସହ ଭାରତ ଡିଜିଏମଓଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଅସ୍ତ୍ରବିରତି ନେଇ ସୂଚନା ଦେଇଥିଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି  । ସେ କହିଥିଲେଯେ, ପାକ୍ ଡିଜିଏମଓ ଭାରତ ପ୍ରତିପକ୍ଷଙ୍କ ସହ ଫୋନ୍ ଯୋଗେ ଏନେଇ କଥା ହୋଇଛନ୍ତି  । ଯୁଦ୍ଧବିରତି ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି  । ଉଭୟ ପକ୍ଷ ମଧ୍ୟରେ ଆଜି ଅପରାହ୍ନ ୫ଟାରୁ ସ୍ଥଳ, ଜଳ ଓ ଆକାଶରେ ଆକ୍ରମଣ ହେବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି  । 
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫ ଏକ୍ସ ଯୋଗେ ସୂଚନା ଦେଇ କହିଥିଲେଯେ, ଆମେରିକାର ମଧ୍ୟସ୍ଥତାରେ ରାତିରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା  । ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ କରିଛନ୍ତି  । ଉଭୟ ଦେଶକୁ ସେ ଅଭିନନ୍ଦନ ଜଣାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ  । 
ଭାରତ-ପାକିସ୍ତାନ ମୁହାଁମୁହିଁ ଘଟଣା ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବାବେଳେ ଆଜି ଏନେଇ ସମାଧାନର ବାଟ ବାହାରିଛି  । ଉଭୟ ଭାରତ ଓ ପାକିସ୍ତାନ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ କରିଛନ୍ତି  । ଆଜି ସଂଧ୍ୟା ୫ଟାରୁ ଉଭୟ ପକ୍ଷ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି  । ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ଫଙ୍କ ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି  । ଉଭୟ ଦେଶ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ସେ ଏକ୍ସ ଯୋଗେ ସୂଚନା ଦେଇଥିଲେ  । ପାକ୍ ଡିଜିଏମଓ ପ୍ରଥମେ ଭାରତ ଡିଜିଏମଓଙ୍କୁ ଏନେଇ କଲ୍ କରିବା ପରେ ଆଲୋଚନା ହୋଇଥିଲା  ।
ସେହିପରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଆମେରିକା ପ୍ରତିପକ୍ଷଙ୍କ ସହ ଗତ କିଛିଦିନ ଧରି ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ନେଇ ଆଲୋଚନା କରାଯାଇଛି  । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିୟମିତ ଭାବେ ସୂଚନା ଦିଆଯାଉଥିଲା  । ଭାରତ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଂକଳ୍ପବଦ୍ଧ  । ଆଗକୁ ମଧ୍ୟ ତାହା ଜାରିରହିବ ବୋଲି ଜୟଶଙ୍କର ସ୍ପଷ୍ଟ କରିଛନ୍ତି  ।