୪୪୩୩ ନୂତନ ନର୍ସିଂ ଅଫିସର ପଦ ସୃଷ୍ଟି
ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ସରକାର ବଦ୍ଧପରିକର : ମୁକେଶ
ଭୁବନେଶ୍ୱର : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ଟି ନୂତନ ‘ନର୍ସିଂ ଅଫିସର’ ପଦ ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡିଶା ନର୍ସିଂ ସେବା କ୍ୟାଡରର ପଦଗୁଡିକ ସୃଷ୍ଟି କରାଯାଇଛି । ଏହି ପଦଗୁଡିକ ସୃଷ୍ଟି ହେବାଫଳରେ ସେମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ସବହେଲଥ ସେଣ୍ଟରଗୁଡିକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ । ସରକାରଙ୍କ ଏହି ସିଦ୍ଧାନ୍ତ ଫଳରେ ରୋଗୀ ସେବା ଓ ନର୍ସିଙ୍ଗ ପରିଚାଳନାରେ ଶୃଙ୍ଖଳାବଦ୍ଧତା ବୃଦ୍ଧି ପାଇବ । ହସ୍ପିଟାଲ ପ୍ରତିଷ୍ଠାନରେ ନର୍ସିଂ ସେବାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶକୁ ଆଗାମୀ ଦିନରେ ଅଧିକ ଦକ୍ଷ ଓ ପ୍ରତିବଦ୍ଧ କରିବାରେ ସହାୟକ ହେବ । ସୂଚନା ଅନୁସାରେ, ଏହି ଦ୍ଭ ପଦବୀଗୁଡିକୁ ଅର୍ଥ ବିଭାଗ ସହମତି ଦେଇଛି । ଏହାର ଆଗାମୀ ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂଗୁଡିକ ବିଭାଗ ପକ୍ଷରୁ ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି ଜାଣିବାକୁ ମିଳିଛି ।