ରାଉରକେଲାରେ ଜନଜାତୀୟ ଗୌରବ ଦିବସ ; ୧୩୪୫ କୋଟିର ପ୍ରକଳ୍ପ ଉଦଘାଟିତ
- ଜନଜାତିଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ : ମୋହନ
- ୬୦୯ କୋଟିର ପ୍ରକଳ୍ପ ଶିଳାନ୍ୟାସ
- ରାଉରକେଲା ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ରାସ୍ତାକୁ ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ
- ଗୁଜୁରାଟରୁ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର : ବିର୍ସା ମୁଣ୍ଡା ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି । ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ୱତନ୍ତ୍ର ଫର୍ଦ୍ଦ ଯୋଡିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟ ସ୍ତରୀୟ ୧୫୧ତମ ଜୟନ୍ତୀ ତଥା ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ଏହା କହିଛନ୍ତି । ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରୁ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି । ରାଜ୍ୟ ସ୍ତରୀୟ ଜନଜାତୀୟଦ୍ଭ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରର ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ଭଗବାନ ବିର୍ସା ମୁଣ୍ଡା ରାସ୍ତା ଭାବେ ନାମିତ କରିଛନ୍ତି ।ରାଉରକେଲାବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, କିଶୋର ବୟସରୁ ବିର୍ସା ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ୱ ନେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପ୍ରେରଣାଦାୟୀ ଉଦ୍ୟମରେ ଆଜି ମହାନ୍ ଜନଜାତି ନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି ଉତ୍ସବ ଭଗବାନ ବିର୍ସା ମୁଣ୍ଡାଙ୍କ ବୀରତ୍ୱ, ତ୍ୟାଗ ଓ ସାହସ ନିମନ୍ତେ ଉତ୍ସର୍ଗୀକୃତ । ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ପିଏମ୍ ଜନ୍ମନ୍ ଯୋଜନା, ଧର୍ତୀ ଆବା ଜନଭାଗିଦାରୀ ଅଭିଯାନ, ଆଦିକର୍ମ ଯୋଗୀ ଅଭିଯାନ ଭଳି ବିଭିନ୍ନ ଯୋଜନା ମାଧ୍ୟମରେ ଜନଜାତି ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଉଦ୍ୟମ ଜାରିରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ, ଜନଜାତି ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲାଗି ରାଜ୍ୟ ସରକାର ଅନେକ ପଦକ୍ଷପ ଗ୍ରହଣ କରିଛନ୍ତି । ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ମାଧ୍ୟମରେ ଜନଜାତି ପରିବାରଗୁଡିକୁ ଜୀବନ ଜୀବିକାରେ ସହାୟତା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରାଯାଉଛି । ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ହାର ରୋକିବା ପାଇଁ ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାରେ ଅର୍ଥିକ ସହାୟତା ପ୍ରଦାନ କରାଯାଉଛି । ମୋଦୀଜୀଙ୍କ ନେତୃତ୍ୱରେ ଜନଜାତି ସଶକ୍ତିକରଣର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ଦେଶର ମହାମହିମ ରାଷ୍ଟ୍ରପତି ଓ ସେ ନିଜେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଏସସି ଏସଟି ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲାପାଳ ସୁନ୍ଦରଗଡ ଡ. ଶୁଭଙ୍କର ମହାପାତ୍ର ଉପସ୍ଥିତ ଥିଲେ ।