କନଷ୍ଟେବଳଙ୍କୁ ବୀଭତ୍ସ ହତ୍ୟା

କନଷ୍ଟେବଳଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର : ପୁଲିସ୍‌ କନଷ୍ଟେବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘର ପଛପଟୁ ମୃତଦେହ ଉଦ୍ଧାର ସହ ଘଟଣାରେ ଜଡ଼ିତ ଜଣଙ୍କୁ ପୁଲିସ ଅଟକ ରଖିଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ହେଲେ ଉଦୟରଞ୍ଜନ ପଟ୍ଟନାୟକ । ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ମୃତଦେହଟି ୨ ଦିନରୁ ଉର୍ଦ୍ଧ୍ୱ ହେବା ନେଇ ଅନୁମାନ କରାଯାଉଛି । ଏସଡ଼ିପିଓ ଲରେନ୍ସ ରାଉତରାୟ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଖବର ପରିବାର ଲୋକ ପାଇବା ପରେ ଭାଙ୍ଗିପଡିବା ସହ ହତ୍ୟା ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁସାରେ ପୁଲିସ କନଷ୍ଟେବଳ ଉଦୟରଞ୍ଜନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପେଂଜିସାହିର ବାସିନ୍ଦା । ସେ ଦୀର୍ଘଦିନ ହେବ ଯାଜପୁର ବାଲିସାହିରେ ଘର କରି ରହୁଥିଲେ । କିନ୍ତୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ ପୁଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ଗତ ବର୍ଷ ଛୁଟିରେ ଥିଲେ । ତାଙ୍କର ୧୪ ବର୍ଷର ପୁଅ ସହ ରହୁଥିବା ପରିବାର ଲୋକେ କହିଛନ୍ତି । ସେ ନିକଟରେ ଚାକିରିରେ ଯୋଗଦେବାକୁ ଥିବା ବେଳେ ତାଙ୍କର ହତ୍ୟା ହୋଇଛି । ଘଟଣାକୁ ନେଇ ପୁଲିସ ବିଭିନ୍ନ ଦିଗକୁ ଅନୁଧ୍ୟାନ କରୁଛି । କିଏ କଣଦ୍ଭପାଇଁ ଉଦୟରଞ୍ଜନ ହତ୍ୟା କରିଥାଇପାରେ, କାହିଁକି ଏଭଳି ବୀଭତ୍ସ ହତ୍ୟାକଲା ହତ୍ୟାକାରୀ? ହତ୍ୟାପରେ କାହିଁକି ଫେରାର ନହୋଇ ନଜାଣିଲା ଭଳି ରହୁଥିଲା ହତ୍ୟାକାରୀ? ମୃତ କନଷ୍ଟେବଳଙ୍କ ସହ କ’ଣ ଶତ୍ରୁତା ରହିଛି? ଏଭଳି ଅନେକ ପ୍ରଶ୍ନ ଘେରରେ ରହିଥିବା ବେଳେ ତଦନ୍ତ ପରେ ଘଟଣା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ମୃତ କନଷ୍ଟେବଳଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ମାମଲା ରୁଜୁ କରିଛି ।