୫୧ ହଜାର ନିଯୁକ୍ତିପତ୍ର ଦେଲେ ମୋଦି

୫୧ ହଜାର ନିଯୁକ୍ତିପତ୍ର ଦେଲେ ମୋଦି

ଭୁବନେଶ୍ୱରରେ ୩୦୨ଙ୍କୁ ନିଯୁକ୍ତିପତ୍ର ଦେଲେ ଜୁଏଲ୍‌

  ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବ୍ୟାପୀ ଆୟୋଜିତ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ଆୟୋଜିତ ରାଜ୍ୟସ୍ତରୀୟ ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଭାରତୀୟ ଡାକ ବିଭାଗ, ରେଳବାଇ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, କେନ୍ଦ୍ରୀୟ ଜିଏସଟି, ସିଆରପିଏଫ ଭୁବନେଶ୍ୱର ଏମ୍ସ ଆଦି ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ମିଳିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଆଭାସୀ ପ୍ରସାରଣ କରାଯାଇଥିଲା ।

     କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଥିଲେ, ଏହି ମେଳାରେ ଓଡ଼ିଶାର ଅନେକ ଯୁବକ ଯୁବତୀ ନିଜର ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଦେଶର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ପ୍ରଦାନ କରାଯାଉଛି । ରୋଜଗାର ସୃଷ୍ଟି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଯୁବବର୍ଗଙ୍କ ସଶକ୍ତିକରଣ ଓ ଦେଶର ଉନ୍ନତିର ମୂଳମନ୍ତ୍ର । ଏହି କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପାଇଥିବା ଯୁବବର୍ଗଙ୍କ ଆଶା ଓ ଉତ୍ସାହ ଦେଖି କେନ୍ଦ୍ରମନ୍ତ୍ରୀ ପ୍ରଭାବିତ ହୋଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଆହୁରି କହିଥିଲେ, ମୋଦୀ ସରକାର ଯୁବ ଶକ୍ତିକୁ ଦେଶର ପ୍ରଗତିର ମେରୁଦଣ୍ଡ ଭାବରେ ଦେଖୁଛନ୍ତି ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ  ଅଛନ୍ତି ।