୭ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ହେବ ମଡ଼େଲ ମଣ୍ଡ

 ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ମଡ଼େଲ ମଣ୍ଡି ସ୍ଥାପନ ହେବ  । ଏଥିପାଇଁ ୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ  । ସେହିପରି ସମ୍ବଲପୁରରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୩୮୨ କୋଟିର ଟେଣ୍ଡରକୁ ଅନୁମୋଦନ କରାଯାଇଛି  । ଭୁବନେଶ୍ୱର ବିମାନବନ୍ଦରରେ ବିଶ୍ୱସ୍ତରୀୟ ଏମଆରଓ ସୁବିଧା କରାଯିବାର ଥିବାବେଳେ ଓଡ଼ିଶା ନର୍ସିଂ ଶିକ୍ଷା ସେବା ନିୟମକୁ ବି ମଞ୍ଜୁରୀ ମିଳିଛି  । ରାଜ୍ୟ କ୍ୟାବିନେଟ୍ରେ ଏଭଳି ୭ ପ୍ରମୁଖ ପ୍ରସ୍ତାବ ଉପରେ ମୋହର ଲାଗିଛି  ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି  । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ  । କ୍ୟାବିନେଟ ବୈଠକରେ ମୋଟ୍ ୬ଟି ବିଭାଗର ୭ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଅନୁମୋଦନ ପ୍ରଦାନ କରାଯାଇଛି  । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସମବାୟ ବିଭାଗ, ଅର୍ଥ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଲେଖାଏଁ ଓ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ପ୍ରସ୍ତାବ ଉପରେ ମୋହନ ଲାଗିଛି  । 
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମଡ଼େଲ ମଣ୍ଡି ସ୍ଥାପନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଚାଷୀ ଓ ବ୍ୟବସାୟୀମାନେ ଗୋଟିଏ ଛାତ ତଳେ ସବୁ ସୁବିଧା ପାଇପାରିବେ  । ଏଥିପାଇଁ କଂକ୍ରିଟ ପିଣ୍ଡି, ଛାତ ଥିବା ପିଣ୍ଡି, ଦୀର୍ଘ ସମୟ ପାଇଁ ଉତ୍ପାଦ ସଂରକ୍ଷଣ କରିପାରୁଥିବା ବହୁମୁଖୀ ଗୋଦାମ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, କୃଷକ ସୁବିଧା କେନ୍ଦ୍ର, ପରିବହନ ସୁବିଧା, ବିଶ୍ରାମ ଓ ପରିମଳ ସୁବିଧା, ମହିଳାଙ୍କ ପାଇଁ ଶିଶୁ ଯନô କେନ୍ଦ୍ର, ମାନ ନିର୍ଦ୍ଧାରଣ ପାଇଁ ଉଚ୍ଚମାନର ଯନ୍ତ୍ରପାତି, ଶୀତଳୀକରଣ ପ୍ରକୋଷ୍ଠ ଆଦିର ବ୍ୟବସ୍ଥା କରାଯିବ  । ପ୍ରଥମ ଦଫାରେ ୩୦ ଜିଲ୍ଲାରେ ୩୮ଟି ମଣ୍ଡି ବିକଶିତ କରାଯିବ  । ସେଥିମଧ୍ୟରୁ ୧୪ଟି ବୃହତ୍, ୧୭ଟି ମଧ୍ୟମ, ୭ଟି କ୍ଷୁଦ୍ର ମଣ୍ଡି ରହିଛି  । ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬୨ ମଣ୍ଡିକୁ ଚୟନ କରାଯିବ  । ଓବିସିସି ଜରିଆରେ ଏହି ମଡ଼େଲ ମଣ୍ଡି ନିର୍ମାଣ କରାଯିବ  । ଏଥିପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି  । ଆରଏମସିଗୁଡ଼ିକ ୧୫୦ କୋଟି ଓ ରାଜ୍ୟ ସରକାର ୧୫୦ କୋଟି ଟଙ୍କା ପ୍ରଦାନ କରିବେ  । ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ବଜେଟ୍ରେ ୫୦ କୋଟିର ପ୍ରାବଧାନ କରାଯାଇଥିଲା  । 
ସମ୍ବଲପୁରରେ ଚବିଶ ଘଣ୍ଟିଆ ପାନୀୟ ଜଳଯୋଗାଣ ପାଇଁ ୩୮୨ କୋଟି ୪୦ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ଇଗଲ ଇନଫ୍ରା କମ୍ପାନୀ ଏହି ପ୍ରକଳ୍ପ କରିବା ସହ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ ମଧ୍ୟ କରିବ  । ସେପ୍ଟେମ୍ବର ପହିଲାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୦୨୭ ଅଗଷ୍ଟ ୩୧ରେ ସମାପ୍ତ ହେବ  । ଏଥିରେ ହୀରାକୁଦ ଡ୍ୟାମ ସ୍ଥିତ ସମ୍ବଲପୁର ଡିଷ୍ଟି୍ରବୁ୍ୟଟାରୀ କେନାଲରେ ୧୧୦ ଏମଏଲଡ଼ି କ୍ଷମତା ସମ୍ପନ୍ନ ଇନଟେକ ୱେଲ ନିର୍ମାଣ, ଭିଏଫଡ଼ି ସହ ୩ଟି ୧୮୫ ଏଚପି କ୍ଷମତା ବିଶିଷ୍ଟ ସ୍ୱୟଂ-ଜଳ ଲୁବି୍ରକେଟେଡ଼ ଭର୍ଟିକାଲ ଟର୍ବାଇନ୍ ପମ୍ପ ସେଟ୍ ସ୍ଥାପନ, ଟିପୁପଡ଼ା ଠାରେ ୬୫ ଏମଏଲଡ଼ି ଜଳ ବିଶୋଧନ କେନ୍ଦ୍ର ନିର୍ମାଣ, ବୁର୍ଲାରେ ୩୫ ଏମଏଲଡ଼ି କ୍ଷମତା ବିଶିଷ୍ଟ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ ଆଦି କରାଯିବ  । ଓଡ଼ିଶା ନର୍ସିଂ ଶିକ୍ଷା ସେବା ନିୟମ-୨୦୨୫କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି  । ବର୍ତ୍ତମାନ ରାଜ୍ୟରେ ୮ ସରକାରୀ ନର୍ସିଂ କଲେଜ ଓ ୨୧ ଏଏନଏମ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଥିବାବେଳେ ଆଉ ୭ ନୂଆ ନର୍ସିଂ କଲେଜ ଖୋଲିବା ପ୍ରକ୍ରିୟା ଜାରିରହିଛି  । ନୂଆ ନିୟମକୁ ମଞ୍ଜୁରୀ ଦ୍ୱାରା ମୂଳ ଟୁ୍ୟଟର ପଦବୀ ପୂରଣ କରାଯିବା ସହ ଯୋଗ୍ୟ ଅଧ୍ୟାପକମାନଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଇପାରିବ  । ସଂଗ୍ରହାଳୟ ନିଦେ୍ର୍ଦଶାଳୟର ପରିଚାଳନା ନିମନ୍ତେ କ୍ୟାଡ଼ର ନିୟମାବଳୀ ପ୍ରଚଳନ ବ୍ୟବସ୍ଥାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି  । ଏହି ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗଙ୍କ ଅନୁମୋଦନ ଲାଭ କରିବା ପରେ ଓଡ଼ିଶା ଲୋକସେବା ଆୟୋଗଙ୍କ ସ୍ୱୀକୃତି ପାଇଛି  ।  ଓଡ଼ିଶା ଅମଲା ସେବା (ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ସଂଗଠନର ଚକଲା ଏବଂ ଏହାର ଅଧସ୍ତନ କାର୍ଯ୍ୟାଳୟ) ନିୟମାବଳୀ ୨୦୨୫ରେ ସଂଶୋଧନ କରାଯାଇଛି  । ଚକଲା ଓ ଏହାର ଅଧସ୍ତନ କାର୍ଯ୍ୟାଳୟରେ କନିଷ୍ଠ ସହାୟକମାନଙ୍କ ମୂଳ ପଦବୀ ସଂଖ୍ୟାର ୮୦% ସିଧାସଳଖ ନିଯୁକ୍ତି ମାଧ୍ୟମରେ ଏବଂ ୨୦% ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ  ।  ସେହିପରି ସମ୍ପ୍ରତି ୧୧୦ ସହରାଞ୍ଚଳ ନିକାୟ ସଂସ୍ଥାରେ ଏଲଇଡ଼ି ସାର୍ବଜନୀନ ଷ୍ଟି୍ରଟ୍ ଲାଇଟ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି  । ଏହି ପ୍ରକଳ୍ପକୁ ପାଣ୍ଠି ଯୋଗାଣ ନିମନ୍ତେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠିରେ ଉପଲବ୍ଧ ୧୫୦ କୋଟି ଟଙ୍କା ଉପଯୋଗ କରାଯାଉଛି  । ତେବେ ଏଥିପାଇଁ ୩୫୦ କୋଟି ଟଙ୍କା ଆବଶ୍ୟକ ରହିଛି  । ତେଣୁ ସହରାଞ୍ଚଳ ଭିତ୍ତଭୂମି ବିକାଶ ପାଣ୍ଠିର ନିଜସ୍ୱ ପାଣ୍ଠିରୁ ଉପଲବ୍ଧ ଥିବା ୨୦୦ କୋଟି ପର୍ଯ୍ୟନ୍ତ ପାଣ୍ଠି ବ୍ୟବହାର କରିବାକୁ କ୍ୟାବିନେଟରେ ପ୍ରସ୍ତାବ ରଖାଯାଇଛି  ।  ବିମାନ ସେବା ପାଇଁ ଓଡ଼ିଶାକୁ ଏକ ଆଞ୍ଚଳିକ ହବ୍ରେ ପରିଣତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏକ ବିଶ୍ୱସ୍ତରୀୟ ଏମଆରଓ ସୁବିଧା ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି  । ଏଥିପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ କରିବେ  । ଏୟାର ୱାର୍କ୍ସ ଇଣ୍ଡିଆକୁ ଏଥିପାଇଁ ମନୋନୀତ କରାଯାଇଛି  ।