ୱାକ୍ଫ ବିଲ୍ ସଂଶୋଧନ ଜରୁରୀ

 କେନ୍ଦୁଝର:  ୱାକ୍ଫ ବିଲ୍ ସଂଶୋଧନ ଦ୍ୱାରା ୱାକ୍ଫ ବୋର୍ଡରେ ସ୍ୱଚ୍ଛତା ରହିବା ସହିତ ମୁସଲିମ ସଂପ୍ରଦାୟର ମହିଳା ଏବଂ ଝିଅମାନଙ୍କୁ ସ୍ୱାବଲମ୍ବୀ ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର କେନ୍ଦୁଝରରେ ଅନୁଷ୍ଠିତ ୱାକ୍ଫ ସଂଶୋଧନ ବିଲ୍ ଉପରେ ହୋଇଥିବା ଜନ ଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲା ପକ୍ଷରୁ ସ୍ଥାନୀୟ ଅଡିଟୋରିୟମରେ  ଏହି ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ନାଏକ, ବିଧାୟକ ଡାକ୍ତର ଫକୀର ନାଏକ, ଜିଲା ବିଜେପି ସଭାପତି ଶୁକଦେବ ମହାନ୍ତ, ପୂର୍ବତନ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ଜିଲା ବିଜେପି ସମ୍ପାଦକ ନୀଳମଣୀ ମହାନ୍ତ, କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁସାହୁ ପ୍ରମୁଖ ଯୋଗ ଦେଇଥିଲେ । 
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ, ବିଜେପି ସରକାରଙ୍କ ସ୍ଲୋଗାନ ହେଉଛି ସବକା ସାଥ, ସବକା ବିକାଶ । କେନ୍ଦୁଝର ଜିଲା ଯୋଡା, ବଡବିଲ , କେନ୍ଦୁଝର ଭଳି ସହରରେ ହନୁମାନ ଜୟନ୍ତୀ ଭଳି କାର୍ଯ୍ୟକ୍ରମରେ ବିଶୃଙ୍ଖଳା ହୋଇନାହିଁ । ବରଂ ମୁସିଲିମ ସଂପ୍ରଦାୟର ଭାଇମାନେ ଏଥିରେ ସହଯୋଗ କରିଛନ୍ତି ।ୱାକଫ ବୋର୍ଡ ବାବଦରେ ସେ କହିଥିଲେ, ଏହି ବିଲରେ ସଂଶୋଧନ କରାଯାଇଛି । ଏହା ଅଧିକ କିଭଳି ସ୍ୱଚ୍ଛ ଏବଂ ଫଳପ୍ରସୂ ହେବ, ତାହା କରାଯାଇଛି । ତୁର୍କୀ ଭଳି ଦେଶରେ ୱାକଫ ବୋର୍ଡର ବିଲ ସଂଶୋଧନ କରାଯାଇ ସେଠାରେ ଭୂମୀହୀନ ଅଛନ୍ତି ବା ଯେଉଁମାନଙ୍କ ଜମିକୁ ଅନ୍ୟ ଦ୍ୱାରା ଜବର ଦଖଲ କରାଯାଇଛି, ତାହାକୁ ୱାକଫ ବୋର୍ଡ ସହଯୋଗ କରିବାକୁ ନିଶ୍ଚିତ କରାଯାଇଛି । କୋଟଲା ଫିରୋଜ ଶାହା ଷ୍ଟାଡିୟମ ଭିତରେ ଥିବା ମସଜିଦ୍କୁ ୱାକଫ ବୋର୍ଡ ନିଜର ଦାବି କରୁଛି । ଏଭଳି ଅନେକ ମସଜିଦ୍ ଭଳି କେରଳର ଏକାଧିକ ଖ୍ରୀଷ୍ଟିୟାନ ସଂପତ୍ତିକୁ ୱାକଫ ବୋର୍ଡ ମଧ୍ୟ ନିଜର ବୋଲି ଦାବି କରିଛି । ଯାହାକି ଅଗ୍ରହଣୀୟ । ପଶ୍ଚିମ ବଙ୍ଗର ବର୍ଦ୍ଧମାନ ଜିଲାର ସାନ୍ତାଳୀ ମାନଙ୍କ ଏକ ପୂଜାସ୍ଥଳୀକୁ ୱାକ୍ଫ ବୋର୍ଡ ନିଜର ବୋଲି ଦାବି କରୁଛି । ଏହା କେମିତି ସମ୍ଭବ । ତେଣୁ ଏସବୁ ର ଆଇନଗତ ସମାଧାନ ପାଇଁ ଏହି ବିଲ୍ ସଂଶୋଧନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।