ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ  ଭାରତୀୟ ଦଳ ଘୋଷଣା : ଫେରିଲେ ବୁମରା, ବାଦପଡିଲେ ନାୟାର

 ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକ ପରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି ।  ରବୀନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ପେସ ବୋଲର ଜସପ୍ରୀତ ବୁମରା ଦଳକୁ ଫେରିଛନ୍ତି । ଦେବଦତ୍ତ ପାଡିକ୍କଲଙ୍କୁ ମଧ୍ୟ ଭାରତର ଟେଷ୍ଟ ଦଳରେ ସାମିଲ କରାଯାଇଛି । ଶ୍ରେୟସ ଆୟରଙ୍କୁ ଏହି ସିରିଜରୁ ବାଦ ଦିଆଯାଇଛି । ସେହିପରି କରୁଣ ନାୟାର ଦଳରୁ ବାଦ ପଡ଼ିଛନ୍ତି । ଏନ. ଜଗଦୀସନଙ୍କୁ ବ୍ୟାକଅପ୍ ୱିକେଟକିପର ଭାବରେ ଦଳରେ ସାମିଲ କରାଯାଇଛି । ୨ଟି ଟେଷ୍ଟ ଖେଳିବାକୁ ଅକ୍ଟୋବରରେ ଭାରତ ଆସିବ ୱେଷ୍ଟଇଣ୍ଡିଜ୍ । ପ୍ରଥମ ଟେଷ୍ଟ  ଅକ୍ଟୋବର ୨ରେ ଅହମ୍ମଦାବାଦଠାରେ ଓ ୨ୟ ଟେଷ୍ଟ ଅକ୍ଟୋବର ୧୦ରେ ଦିଲ୍ଲୀରେ ଖେଳାଯିବ ।
ଟେଷ୍ଟ ଟିମରେ ଶୁବମନ ଗିଲ ୍(ଅଧିନାୟକ), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ ), ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ୍ଲ, ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), ୱାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ.ଜଗଦୀଶନ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ କୁଲଦୀପ ଯାଦବ ସାମିଲ ହୋଇଛନ୍ତି ।