କଳିଙ୍ଗରେ ହେବ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ : ଭାଗନେବେ ୨୨ ଦେଶର କ୍ରୀଡ଼ାବିତ

 ଭୁବନେଶ୍ୱର  : ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ । ଅକ୍ଟୋବର  ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫ର ଆୟୋଜନ କରାଯିବ ।  ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍ ଟେବୁଲ ଟେନିସ୍ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ ଆସୋସିଏସନ୍ ଏବଂ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯିବ । 
ପ୍ରାୟ ୨୨ଟି ଦେଶ ଯଥା ଭାରତ, ଚୀନ, ଜାପାନ, କୋରିଆ ରିପବ୍ଲିକ, ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ତାଇୱାନ, ହଙ୍ଗକଙ୍ଗ, ସିଙ୍ଗାପୁର, ଚାଇନିଜ ମକାଓ, ବାଙ୍ଗଲାଦେଶ, ଇରାନ, କଜାକିସ୍ତାନ, କିର୍ଗୀସ୍ତାନ, ମାଲେସିଆ, ମାଲଦୀପ, ମଙ୍ଗୋଲିଆ, ନେପାଳ, ଓମାନ, କତାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜବେକିସ୍ତାନରୁ ୫୦୦ରୁ ଉର୍ଦ୍ଧ୍ୱ କ୍ରୀଡାବିତ, ସପୋର୍ଟ ଷ୍ଟାଫ  ଆଦି ଅଂଶଗ୍ରହଣ କରିବେ । ଉଭୟ ପୁରୁଷ ଓ ମହିଳା ଟିମ୍ ଏହି ଚାମ୍ପିୟନସିପରେ ଅଂଶଗ୍ରହଣ କରିବେ । ଏହି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଟିମ୍ ଗୁଡିକ ଆଗାମୀ ଦିନରେ  ଲଣ୍ଡନରେ ଆୟୋଜିତ ହେବାକୁ ଥିବା ଆଇଆଇଟିଏଫ ୱାର୍ଲଡ଼ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍-୨୦୨୬ ପାଇଁ ଯୋଗ୍ୟ ବିବେଚିତ ହେବେ । ଆଜି କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଯୋଗିତା ଆୟୋଜନ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ, "ଓଡ଼ିଶାରେ ପ୍ରଥମ ଥର ପାଇଁ  ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ-୨୦୨୫ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଆଇଟିଏଫ ମାଷ୍ଟରସ୍ ୧୦୦ ଟେନିସ୍ ଟୁର୍ନାମେଣ୍ଟର ଆୟୋଜନ ମଧ୍ୟ ଭୁବନେଶ୍ୱରରେ ଅକ୍ଟୋବର ୧୧ ରୁ ୧୫ ତାରିଖ ପର୍ଯ୍ୟନ୍ତ କରାଯିବ । ଏକା ସମୟରେ ତିନୋଟି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବା ଆମ ସରକାରଙ୍କ କ୍ରୀଡା ଓ କ୍ରୀଡାବିତମାନଙ୍କର ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୂଚିତ କରୁଛି ।  ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଟେବୁଲ ଟେନିସ୍ ମହାସଂଘର ସଭାପତି  କମଲେଶ ମେହତା, ଓଡ଼ିଶା ଟେବୁଲ ଟେନିସ୍ ଆସୋସିଏସନର ସେକ୍ରେଟାରୀ ରବୀନ୍ଦ୍ର ପରିଡ଼ା, ଟୁର୍ଣ୍ଣାମେଣ୍ଟ ନିଦେ୍ର୍ଦଶକ ଏନ୍. ଗଣେଶନ୍, କ୍ରୀଡା ଓ ଯୁବସେବା ବିଭାଗର ନିଦେ୍ର୍ଦଶକ ଡ଼. ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ଥିଲେ ।