ଧୋନୀଙ୍କୁ ‘କ୍ୟାପ୍ଟେନ୍ କୁଲ୍’ ଟ୍ରେଡ୍ମାର୍କ
ନୂଆଦିଲ୍ଲୀ : ବହୁ କ୍ରିକେଟ୍ପ୍ରେମୀଙ୍କ ଶତମୁଖରେ ‘କ୍ୟାପ୍ଟେନ୍ କୁଲ୍’ ନାଁରେ ପ୍ରଶଂସା ସାଉଁଟିଥିବା ମହେନ୍ଦ୍ର ସିଂ ଧୋନୀ ଏବେ ଏହି ଚର୍ଚ୍ଚିତ ନାଁକୁ ଟ୍ରେଡ୍ମାର୍କ ଭାବେ ଅନୁମୋଦନ ପାଇଛନ୍ତି । କିଛିଦିନ ପୂର୍ବେ ଧୋନି ‘କ୍ୟାପ୍ଟେନ କୁଲ୍' ନାଁରେ ଟ୍ରେଡ୍ମାର୍କ ପଞ୍ଜିକରଣ ଆବେଦନ କରିଥିଲେ । ଯାହାକୁ ଏବେ ଅନୁମୋଦନ କରାଯାଇଛି । ଖେଳ ପ୍ରଶିକ୍ଷଣ, ପ୍ରଶିକ୍ଷଣ ସୁବିଧା ଓ ସ୍ପୋର୍ଟ୍ସ କୋଚିଂ ସେବା ପାଇଁ କ୍ଲାସ୍-୪୧ ଅଧୀନରେ ଧୋନୀ ଏହି ଟ୍ରେଡ୍ମାର୍କ ପଞ୍ଜୀକୃତ କରିଛନ୍ତି । ଏହି ଟ୍ରେଡ୍ମାର୍କ ତାଙ୍କ ନାଁକୁ ଆଇନର ସୁରକ୍ଷା ଦେବା ସହ ତାଙ୍କ ବ୍ରାଣ୍ଡ ଭ୍ୟାଲୁ୍ୟ ଓ ପରିଚୟକୁ ମଧ୍ୟ ମଜଭୁତ କରିବ ।
ଧୋନୀଙ୍କ ଓକିଲ ମାନସୀ ଅଗ୍ରୱାଲ୍ ଏହା ଉପରେ ସୂଚନା ଦେଇ କହିଛନ୍ତି, ବ୍ରାଣ୍ଡିଂ ଓ ପରିଚୟ ସହ ଜଡ଼ିତ ବିଶିଷ୍ଟତା ଆଇନ ସହିତ ଟ୍ରେଡ୍ କିପରି କାମ କରେ ତାହା ଏଠାରେ ଦର୍ଶାଯାଇଛି । ଧୋନୀଙ୍କ କ୍ୟାପ୍ଟେନ କୁଲ୍ ଟ୍ରେଡମାର୍କକୁ ପ୍ରଥମେ ଟ୍ରେଡମାର୍କ ଆକ୍ଟର ଧାରା ୧୧(୧) ଅଧୀନରେ ଆପତ୍ତି ମିଳିଥିଲା । ଏହାର କାରଣ ଥିଲା, ଏହି ନାଁରେ ପୂର୍ବରୁ ଗୋଟିଏ ଟ୍ରେଡ୍ମାର୍କ ପଞ୍ଜିକୃତ ଅଛି ଓ ନୂଆ ଟ୍ରେଡ୍ମାର୍କ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିପାରେ । କିନ୍ତୁ ଧୋନୀ ଯୁକ୍ତି ରଖିଥିଲେ ଯେ କ୍ୟାପ୍ଟେନ କୁଲ୍ ନାଁ ଧୋନୀଙ୍କ ସହ ଗତ ଅନେକ ବର୍ଷ ଜଡ଼ିତ ରହିଛି । ମିଡିଆ, ପ୍ରଶଂସକ ଓ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର କରି ଆସୁଛନ୍ତି । ଏହି ନାଁ ଏବେ କେବଳ ଉପନାମ ହୋଇନାହିଁ ବରଂ ଧୋନୀଙ୍କ କମର୍ସିଆଲ ପରିଚୟ ହୋଇସାରିଛି । ଧୋନୀଙ୍କ ଲୋକପ୍ରିୟତା, ମିଡିଆରେ କଭରେଜ୍ ଓ ପ୍ରଶଂସକଙ୍କ ପରିଚୟ କାରଣରୁ ଏହି ନାଁ ଅନ୍ୟ କାହା ପାଇଁ ଭ୍ରମ ସୃଷ୍ଟି କରିବ ନାହିଁ ବୋଲି ମାନସୀ ଯୁକ୍ତି ବାଢ଼ିଥିଲେ । ଟ୍ରେଡ୍ମାର୍କ ରେଜିଷ୍ଟ୍ରି ଏହି ଯୁକ୍ତିକୁ ସ୍ୱୀକାର କରିଛି ଓ କ୍ୟାପ୍ଟେନ କୁଲ୍ କେବଳ ଏକ ସାଧାରଣ ଶବ୍ଦ ନୁହେଁ ବରଂ ଧୋନୀଙ୍କ ପର୍ସନାଲିଟି, ବ୍ରାଣ୍ଡ ଓ ଛବିର ଅଂଶ ବୋଲି ମାନିଛି ।