ଅବହେଳିତ ଅବସ୍ଥାରେ ସୋନପୁର କଲେଜ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଗଠନର ୩୨ ବର୍ଷ ବିତିଛି । କିନ୍ତୁ ଜିଲ୍ଲାର ସର୍ବ ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ସୋନପୁର କଲେଜ ଅବହେଳିତ ହୋଇ ପଡି ରହିଛି । ସୋନପୁରର ପ୍ରବାହିତ ମହାନଦୀ କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସ୍ଥାନରେ ୧୯୬୪ ମସିହାରେ ସୋନପୁର କଲେଜ ସ୍ଥାପିତ ହୋଇଥିଲା । ୧୦ଏକର ୪୭୭ ଡ଼ିସିମିଲ ସ୍ଥାନରେ ଏହି କଲେଜରେ ଅନେକ ସୁନାମଧନ୍ୟ ଛାତ୍ରଛାତ୍ରୀ ବାହାରିଛନ୍ତି । ପ୍ରାରମ୍ଭରେ ଉକ୍ତ କଲେଜ ପ୍ରତିଷ୍ଠା କରିବା ପାଇଁ ଅଧ୍ୟାପକମାନେ ବି ଶ୍ରମଦାନ କରିଥିଲେ । ଏହି ଶିକ୍ଷାନୁଷ୍ଠାନରେ କେବଳ ଶିକ୍ଷାଦାନ କରାଯାଇନାହିଁ । ଏହାକୁ ମଣିଷ ତିଆରି କାରଖାନା ମଧ୍ୟ କୁହାଯାଇଥାଏ । ସତୁରୀ ଦଶକ ଶେଷ ସମୟରେ କଲେଜ ଅଧ୍ୟକ୍ଷ ଭାବରେ ପବିତ୍ର ମୋହନ ନାୟକ ଦାୟିତ୍ୱ ନେଇଥିଲେ । ସେହି ସମୟରେ ସୋନପୁର କଲେଜ କେବଳ ପଶ୍ଚିମ ଓଡିଶା ନୁହେଁ, ସାରା ଓଡିଶାରେ ଶିକ୍ଷାଦାନ ପ୍ରଶଂସନୀୟ ହୋଇଥିଲା । ଏବେ ଉକ୍ତ କଲେଜ ସମସ୍ୟାରେ ଛନ୍ଦି ହୋଇ ରହିଛି ।
ରାଜ୍ୟର ୪୮ଟି ସର୍ବପୁରାତନ ଅନୁଦାନ କଲେଜ ମଧ୍ୟରୁ ସୋନପୁର କଲେଜ ଅନ୍ୟତମ । କିନ୍ତୁ ଏହି ଶିକ୍ଷାନୁଷ୍ଠାନ ସରକାରୀ ମାନ୍ୟତା ମିଳିପାରିନାହିଁ । ଆଶାତୀତ ଅନୁସାଙ୍ଗିକ ବିକାଶ ହୋଇପାରି ନଥିବାରୁ ସ୍ୱଂୟ ଶାସିତ କଲେଜ ଭାବରେ ସ୍ତ୍ରୀକୃତି ହୋଇ ପାରିନାହିଁ । ଅନ୍ୟ ସମସାମୟିକ କଲେଜ ଅନୁପାତରେ ଏହି ଶିକ୍ଷାନୁଷ୍ଠାନର ବିକାଶ ହୋଇପାରିଲା ନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ଏଥିପାଇଁ ଆବଶ୍ୟକ ପୃଷ୍ଠଷୋକତାର ଅଭାବ ବୋଲି କୁହାଯାଇଥାଏ । ବର୍ତ୍ତମାନ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ବିଭାଗର ୨୩୦୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତିି । ବିଭିନ୍ନ ବର୍ଗର ୫୧ ଶିକ୍ଷକ ଅଧ୍ୟାପକ ପଦ ମଧ୍ୟରୁ ୮ପଦ ଖାଲି ରହିଛି । ରାସାୟନିକ ବିଜ୍ଞାନ ବିଭାଗର ୨ ଅଧ୍ୟାପକ ପଦ ଖାଲି ରହିଥିବା ବେଳେ ପଦାର୍ଥ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଭାଗର ଜଣେ ଲେଖାଏଁ ଅଧ୍ୟାପକ ପଦ ଖାଲି ରହିଛି । ଓଡିଆ ବିଭାଗରେ ଗୋଟିଏ ଅଧ୍ୟାପକ ପଦ ଖାଲି ଅଛି । ଶିକ୍ଷା, ସଂସ୍କୃତି, ରାଜନୀତି ବିଜ୍ଞାନ ବିଭାଗରେ ଜଣେ ଲେଖାଏଁ ଅଧ୍ୟାପକ ପଦ ଖାଲି ପଡ଼ିଛି । ୩୪ଟି ଅଣ ଶିକ୍ଷକ କର୍ମଚାରୀ ପଦ ଆବଶ୍ୟକ ରହିଥିବାବେଳେ ମାତ୍ର ୫ଜଣ କାର୍ଯ୍ୟ କରୁଛନ୍ତି । ମୁଖ୍ୟ କିରାଣୀ, ହିସାବ ନିରୀକ୍ଷକ, କନିଷ୍ଠ କିରାଣୀ ତଥା ଟାଇପିଷ୍ଟ, କନିଷ୍ଟ ଲାଇବ୍ରେରିଆନ ଓ ଷ୍ଟୋର କିପର ଆଦି ପଦ ଖାଲି ରହିଛି । ୬ଟି ଲାବୋରେଟାରୀ ସହାୟକ ମଧ୍ୟରୁ ଜଣେ ଅଛନ୍ତି । ମାଳି, ମହିଳା ସହାୟିକ, ସଫେଇ କର୍ମଚାରୀ, ପିଅନ , ଜଗୁଆଳି ଓ ଡେମୋନଷ୍ଟ୍ରେଟର ଆଦି ପଦ ଖାଲି ଅଛି । ଛାତ୍ରଛାତ୍ରୀମାନେ ଡେଭଲପମେଣ୍ଟ ପିସ୍ ନେଇ ବେସରକାରୀ ଅଧ୍ୟାପକ ଓ ଅଣ ଶିକ୍ଷକଙ୍କୁ ଦରମା ଦିଆଯାଉଛି । ତେଣୁ କଲେଜର ପାଣ୍ଠି ନିଅଣ୍ଟିଆ ରହୁଛି । ୧୨ଶହରୁ ଊର୍ଦ୍ଧ୍ୱ ଛାତ୍ର ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ପାଇଁ ଭଲ ଶୌଚାଳୟ କିମ୍ବା ସାଧାରଣ କମନ ରୁମ ନାହିଁ । ଏହି ପୁରାତନ କଲେଜରେ ସମ୍ମିଳନୀ କକ୍ଷ ନିର୍ମାଣ ହୋଇ ପାରିନାହିଁ । ଷ୍ଟାଫ କଲୋନୀ ନାହିଁ । ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ସୁବିଧା ନାହିଁ । ଉଦ୍ଭିଦ ବିଜ୍ଞାନ ବିଭାଗର ବଗିଚା ପରିତ୍ୟକ୍ତ ଅବସ୍ଥା ପଡ଼ିଛି । ଖରାଦିନରେ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ପାନୀୟ ଜଳ କଷ୍ଟ ଭୋଗିବାକୁ ଦେଖିବାକୁ ମିଳୁଛି । ଏପରିକି ଅଶିଦଶକ ସମୟରେ ନିର୍ମାଣ କରାଯାଇଥିବାର ଛାତ୍ରମାନଙ୍କ ହଷ୍ଟେଲ ବର୍ତ୍ତମାନ ଭଗ୍ନ ଅବସ୍ଥା ହେଲାଣି । ପିଜି ଖୋଲିବା ପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଛି । ଗତ କିଛି ବର୍ଷ ହେଲା ଉଦ୍ଭିଦ ବିଜ୍ଞାନ ଓ କମ୍ପୁ୍ୟଟର ସାଇନସ ନୂତନ ଭାବରେ ଅନର୍ସ ଖୋଲିଛି । ପ୍ରାୟ ୧୨ ବର୍ଷ ପୂର୍ବେ ୟୁଜିସି ଗ୍ରାଣ୍ଟ ୬୪ ଲକ୍ଷ ଟଙ୍କା କ୍ରୀଡ଼ା ଟ୍ରେନିଂ ସୁବିଧା ପାଇଁ ଆସିଥିଲା । ଯାହା ଖର୍ଚ୍ଚ ହୋଇ ନ ପାରି ଫେରି ଯାଇଥିଲା ।
୨୦୧୭ ମସିହାରେ ନାକ୍ କମିଟି ଆବଶ୍ୟକ ଆନୁସାଙ୍ଗିକ ବିକାଶ ନ ହେବା ଯୋଗୁଁ ବି-ଗ୍ରେଡ ଦେଇଥିଲା । ଏବେ ସୋନପୁର କଲେଜ ନାକ୍ କମିଟି ଆସିବା ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଉଛି । ଉଚ୍ଚ ଶିକ୍ଷା ବିଭାଗକୁ ଲିଖିତ ଦାବି ଦେବା ପରେ ବିଭାଗୀୟ ତରଫରୁ ୭୪ଲକ୍ଷ ୪୪ହଜାର ଟଙ୍କା ଦିଆଯାଇଛି । ପ୍ରାଥମିକସ୍ତରରେ ୧୪ଲକ୍ଷ ଟଙ୍କା ଆସିଛି । ଏହି ଅର୍ଥରେ ଆରଡି ବିଭାଗୀୟ ପକ୍ଷରୁ ଆବଶ୍ୟକ ୪ଟି ବଡ ହଲ କରାଯିବ । ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସୋନପୁର କଲେଜରେ ପରୀକ୍ଷା ଓ ମୂଲ୍ୟାୟନର ହବ୍ ହେଉଛି । ବେସରକାରୀ ପିଜି ଓ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱ ବିଦ୍ୟାଳୟ କେନ୍ଦ୍ର ଖୋଲାଯାଇଛି । ନୂତନ ଭାବରେ ଇ -ଭେଲୁୟସନ କେନ୍ଦ୍ର ଆରମ୍ଭ ହୋଇଛି । ପୂର୍ବ ସରକାରଙ୍କ ୫ଟି ପକ୍ଷରୁ ଉକ୍ତ କଲେଜର ଯୁକ୍ତ ଦୁଇ ପାଇଁ ୫୦ ଲକ୍ଷ ଓ ଯୁକ୍ତ ତିନି ପାଇଁ ୧କୋଟି ଅନୁଦାନ ନେଇ ବିକାଶ କାର୍ଯ୍ୟ ହୋଇଛି । କିନ୍ତୁ ସୋନପୁରର ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥିତ କରାଯାଇଥିବାର ଟ୍ରଷ୍ଟ୍ ଫଣ୍ଡ ଅର୍ଥ ସୋନପୁର କଲେଜରେ ଖର୍ଚ୍ଚ ହେଉ ନ ଥିବାର ଅଭିଯୋଗ ହେଉଛି । ଦିନେ ସୋନପୁର କଲେଜ ବଡ ଶିକ୍ଷାନୁଷ୍ଠାନ ଭାବରେ ଆତ୍ମପ୍ରକାଶ ପାଇବ ବୋଲି ଆଶା ପୋଷଣ ହେଉଥିଲା । କିନ୍ତୁ ସାମ୍ପ୍ରତିକ ସମୟରେ ୬୧ ବର୍ଷର ଉକ୍ତ ଶିକ୍ଷାନୁଷ୍ଠାନ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି ବୋଲି ଅଭିଯୋଗ ହେଉଛି । ତେଣୁ ଉକ୍ତ ଶିକ୍ଷାନୁଷ୍ଠାନର ଉନ୍ନତିକରଣ ନେଇ ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।