୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ନବରଙ୍ଗପୁର : ବହୁଚର୍ଚ୍ଚିତ ବ୍ୟବସାୟୀ ପ୍ରଦୀପ କୁମାର ଅଗ୍ରୱାଲ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅର୍ଥ ଅନାଦେୟ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ ପାଇଛି । ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଗାଦବାଗୁଡ଼ା ସାହିର ଶେଖ୍ ସମିମ, ଶେଖ୍ ସିତାବ ଓ ପଠାଣଗୁଡ଼ା ଗାଁର ଶେଖ୍ ସିରାଜ । ଏହି ହତ୍ୟା ଘଟଣାରେ ୬ ଜଣଙ୍କ ସମ୍ପୃକ୍ତି ରହିଥିଲା । ୨ ଅଭିଯୁକ୍ତଙ୍କୁ ନିଦେ୍ର୍ଦାଷରେ ଖଲାସ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତଙ୍କ ମାମଲା ବିଚାରାଧୀନ ରହିଛି । ସୂଚନାନୁଯାୟୀ, ନବରଙ୍ଗପୁର ଆର୍କେ କଲୋନୀରେ ରହୁଥିବା ବ୍ୟବସାୟୀ ପ୍ରଦୀପ କୁମାର ଅଗ୍ରୱାଲଙ୍କ ଘରକୁ ୨୦୧୭ ନଭେମ୍ବର ୨୮ ଅପରାହ୍ନ ୪ଟା ୩୦ରେ କେତେଜଣ ବ୍ୟକ୍ତି ଆସିଥିଲେ । ସେମାନେ ଚା’ ପିଇବାକୁ କହିଥିଲେ । ଜଣେ ହାତ ମିଶାଇଥିବାବେଳେ ଆଉ ଜଣେ ଧାରୁଆ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହ ଘଟଣା ପ୍ରଦୀପଙ୍କ ଝିଅ ତାଙ୍କ ଦାଦା ପ୍ରମୋଦ ଅଗ୍ରୱାଲଙ୍କୁ ଫୋନ ଯୋଗେ ଜଣାଇଥିଲେ । ସେ ଆସି ଦେଖିଲା ବେଳକୁ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଦୀପ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପ୍ରମୋଦଙ୍କ ଅଭିଯୋଗକ୍ରମେ ନବରଙ୍ଗପୁର ଥାନାରେ ନଂ.୩୨୨/୧୭ରେ ବ୍ୟବସାୟୀ ପ୍ରଦୀପ କୁମାର ଅଗ୍ରୱାଲ ହତ୍ୟା ଘଟଣା ମାମଲା ରୁଜୁ କରାଯାଇ ପୋଲିସ ଅଭିଯୋଗ ଫର୍ଦ କୋର୍ଟରେ ଦାଖଲ କରିଥିଲେ । ଏହି ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଥିଲା । କୋର୍ଟ କେସ୍ ନମ୍ବର ସିଟି ୪୧/୧୮ରେ ମାମଲା ବିଚାରାଧୀନ ଥିଲା । ୩୯ ଜଣ ସାକ୍ଷୀଙ୍କ ସମେତ ୨ ଝିଅଙ୍କ ବୟାନ ଆଧାରରେ ଜିଲ୍ଲା ଦୌରାଜଜ୍ ମହାନ୍ତି ଅଭିଯୁକ୍ତ ଶେଖ୍ ସମିମ, ଶେଖ୍ ସିତାବ ଓ ଶେଖ୍ ସିରାଜଙ୍କୁ ଧାରା ୩୦୨/୩୪ରେ ଆଜୀବନ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଜରିମାନା ଅନାଦେୟ ୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିଭଳି ଧାରା ୪୫୦/୩୪(ଘରଭିତରେ ପଶିବା)ରେ ୫ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ୬ ବର୍ଷ ଅଧିକ କାରାଦଣ୍ଡ ଭୋଗିବେ । ଅନ୍ୟପକ୍ଷରେ ପୀଡ଼ିତ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସହାୟତା ପ୍ରଦାନ କରିବେ ବୋଲି ରାୟ ପ୍ରକାଶ କରିଛନ୍ତି । ଏହି ଘଟଣାରେ ସେନାପତି ସାହିର ରାକେଶ ଭତରା ଓ ଜମାଲ କଲୋନୀର ରାଜା ଓରଫ ସୁଜିତ୍ ପଣ୍ଡା ନିଦେ୍ର୍ଦାଷରେ ରେ ଖଲାସ ହୋଇଛନ୍ତି । ଗାଦବାଗୁଡ଼ା ସାହିର ଶେଖ ନଜିମଙ୍କ ନାଁରେ ଅନ୍ୟ ଏକ ମାମଲା ରହିଥିବାରୁ ଘଟଣାଟି ବିଚାରାଧୀନ ରହିଛି । ଏହି ମାମଲାକୁ କ୍ୟାଡର ପବ୍ଲିକ ପ୍ରସିକୁ୍ୟଟର ମନୋଜ କମାର ଏକ୍କା ପରିଚାଳନା କରୁଥିଲେ ।