ଆଜି ସୃଷ୍ଟି ହେବ ଲଘୁଚାପ: ଏପଟେ ୧୧ ଜିଲ୍ଲାରେ ନିଅଣ୍ଟିଆ
ଭୁବନେଶ୍ୱର : ଦକ୍ଷିଣ ବିହାରରୁ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫ୍ ରହିଛି । ସେହିପରି ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହିସବୁ ବୈଶିଷ୍ଟ୍ୟକୁ ଅନୁଶୀଳନ କରି ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅପରପକ୍ଷରେ ଅଧିକାଂଶ ଜିଲ୍ଲାରେ ବର୍ଷା କମିଯାଇଥିବାରୁ ଏବେ ନିଅଣ୍ଟିଆ ବର୍ଷା ଜିଲ୍ଲା ସଂଖ୍ୟା ୧୧କୁ ବୃଦ୍ଧିପାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୩, ୧୪ ଓ ୧୫ରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତିନିଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ କୋରାପୁଟ ଓ ମାଲକାନାଗିରିର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ହେବାର ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ ଓ କନ୍ଧମାଳରେ ଝଡ଼ତୋଫାନ ଓ ବଜ୍ରପାତର ସମ୍ଭାବନା ରହିଛି । ସେହିସବୁ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଭିତରେ ବଡ଼ କଥାଟି ହେଉଛି, ଏବେ ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି, ଯାଜପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର । ଅପରପକ୍ଷରେ ଢେଙ୍କାନାଳ ଓ ଦେବଗଡ଼ରେ ବର୍ଷା କମ୍ ରହିଛି । ଆଉ କିଛିଦିନ ସେଭଳି ସ୍ଥିତି ଜାରିରହିଲେ ସେହି ଦୁଇ ଜିଲ୍ଲା ବି ନିଅଣ୍ଟିଆ ତାଲିକାରେ ରହିଯିବ ।