ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ପ୍ରକଳ୍ପ 

 ବିଶୋଇ : ଗ୍ରାମାଞ୍ଚଳର ବିକାଶ ଆଉ ଗ୍ରାମୀଣ ଜନତାଙ୍କ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରକଳ୍ପ କାର୍ଯ୍ୟର ସମସ୍ତ ବିବରଣୀ ସୂଚନା ଫଳକ ମାଧ୍ୟମରେ ସର୍ବସାଧାରଣ ଅବଗତ ହୋଇଥାନ୍ତି । କିନ୍ତୁ ବିଡମ୍ବନାର ବିଷୟ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଜଗନ୍ନାଥପୁର ଗ୍ରାମପଞ୍ଚାୟତ ଅଧୀନ କୁଡୁମଦା ଗାଁ ଠାରୁ କୁସୁମୀ ବ୍ଲକ ପର୍ଯ୍ୟନ୍ତ ଚାଲିଥିବା କୋଟି ଟଙ୍କା ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ବିନା ସୂଚନା ଫଳକରେ ୨୦/୨୫ ଦିନ ହେବ ଚାଲିଛି । ପ୍ରକଳ୍ପ ଅଟକଳ ମୂଲ୍ୟ କେତେ, ଶେଷ କେବେ, କେଉଁ ସଂସ୍ଥା କାର୍ଯ୍ୟଭାର ନେଇଛି ତାହା ସର୍ବସାଧାରଣ ଜାଣି ପାରୁନଥିବା ହେତୁ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେବା ନେଇ ଆଶଙ୍କା କରିଛନ୍ତି । ପ୍ରକଳ୍ପ ଆରମ୍ଭ ପୂର୍ବରୁ ଗାଁରେ କୌଣସି ସଭା ନ କରି ଠିକାଦାର ମନଇଚ୍ଛା ପ୍ରକଳ୍ପ କାମ ଜାରି ରଖିଛନ୍ତି । ଏପରିକି ପାଇପ ଲାଇନ୍ ବିଛାଇବା ପାଇଁ ଲୋକଙ୍କ ଚାଷ ଜମିକୁ ତାଡ଼ି ଦେଇଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଦୁଇଦିନ ପୂର୍ବରୁ କୁଡୁମଦା ଗାଁର ଜଣେ ଚାଷୀଙ୍କ ଚାଷ ଜମିରେ ବିନା ଅନୁମତିରେ ମନଇଚ୍ଛା ତଡ଼ାତଡି କରୁଥିବା ଠିକା ସଂସ୍ଥାର କର୍ମଚାରୀଙ୍କୁ ବାନ୍ଧି ରଖିଥିଲେ ଚାଷୀ ଜଣକ । ପରେ ପୁଲିସର ହସ୍ତକ୍ଷେପ ଫଳରେ ସମାଧାନ ହୋଇଥିଲା । ଏବେ ଚାଷବାସର ସମୟ ଆଉ ପ୍ରକଳ୍ପ ପାଇଁ ଜମିର ଅବସ୍ଥା ଯାହା ହେଇଛି ସେଥିରେ ଚାଷ କରିବା ସମ୍ଭବ ନୁହେଁ, ଯେଉଁଥିପାଇଁ ପ୍ରଭାବିତ ଚାଷୀ ବର୍ଷକର ଚାଷ ପାଇଁ କ୍ଷତିପୂରଣ ପ୍ରଦାନ ସହ ଚାଷ ଜମିର ମରାମତି ପାଇଁ ଦାବି କରିଛନ୍ତି । ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି କୁଡୁମଦା ଗାଁ ମୁଣ୍ଡରେ ପାଣି ଟାଙ୍କି ନିର୍ମାଣ ପାଇଁ ୪/୫ ମାସ ପୂର୍ବରୁ ପୋଖରୀ ସଦୃଶ୍ୟ ୯ ମିଟରର ଗର୍ତ୍ତ କରାଯାଇଛି । ଯେଉଁଥିରେ ପାଣି ଜମି ରହିଛି, ହେଲେ ତା’ଚାରି ପାଶ୍ୱର୍ରେ କୌଣସି ସୁରକ୍ଷା ବାଡ ନଥିବାରୁ ଗୃହ ପାଳିତ ପଶୁ ଠୁ ଆରମ୍ଭ କରି ମଣିଷ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏ ବାବଦରେ ସୁରକ୍ଷା ପାଇଁ ବାରମ୍ବାର ଗ୍ରାମବାସୀ ଯନ୍ତ୍ରୀ, ଠିକାଦାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସେମାନେ ଶୁଣୁନଥିବା ଅଭିଯୋଗ ହୋଇଛି । ତେଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।