ଅଳିଆ ଗଦା ଭିତରେ ଗାଡ଼ି ପ୍ରବେଶକୁ ନା
ଭୁବନେଶ୍ୱର : ସୈନିକ ସ୍କୁଲ୍ ସ୍ଥାନାନ୍ତର ଚକ୍ରାନ୍ତ ବିରୋଧରେ ତେଜିଲା ସ୍ୱର । ରାସ୍ତା ଓ ଡମ୍ପିୟାଡ଼ ସମ୍ପ୍ରସାରଣ ଆଳରେ ଷଡଯନ୍ତ୍ର ଅଭିଯୋଗ । ଏନେଇ ଆଜି ଓଡ଼ିଶା ଅଭିଭାବକ ମହାସଂଘ, ସୈନିକ ସ୍କୁଲ୍ ଅଭିଭାବକ ସଂଘ, ଭିଏସ୍ଏସ୍ ନଗର ଉନ୍ନୟନ କମିଟି, ଗାଡକଣ ଗ୍ରାମବାସୀ, ସିଟିଜେନ୍ ଫୋରମ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍କୁଲ୍ ଭିତରେ ହେଉ କି କୌଣସି ଗେଟ୍ରେ ହେଉ ଅଳିଆ ଗଦା ଭିତରକୁ ଅଳିଆ ଗାଡ଼ି ନଛାଡିବା ପାଇଁ ନିଷ୍ପତି ନିଆଯାଇଛି । ଏନେଇ ପ୍ରଶାସନକୁ ଦଶ ଦିନିଆ ଡେଡ୍ ଲାଇନ ଦିଆଯିବ । ସେହି ସମୟ ଭିତରେ ଆଲୋଚନା କରି ସୈନିକ ସ୍କୁଲ ସ୍ଥାନାନ୍ତରଣ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ନମିଳିଲେ ଚରମ ନିଷ୍ପତି ନିଆଯିବ । ୧୯୬୨ ମସିହାରୁ ପ୍ରତିଷ୍ଠିତ ଭୁବନେଶ୍ୱର ସୈନିକ ସ୍କୁଲ୍ ଦେଶର ସୁରକ୍ଷା ଓ ଉନ୍ନତି ପାଇଁ ସର୍ବୋକ୍ତୃଷ୍ଟ ଯୋଗଦାନ କରିଥିଛି । ସୈନିକ ସ୍କୁଲ ପରିସରରେ ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଶହ ଶହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ପାଇଁ ସ୍ମାରକୀ ସହିତ ଆମର ଯବାନ ଜ୍ୟୋତି ସର୍ବଦା ଜ୍ୱଳନ ରହିଛି । ଏହା ମଧ୍ୟ ଏକ ଐତିହ୍ୟ ସ୍ଥଳୀ ସଦୃଶ । ଯୋଗାଯୋଗ ଆବଶ୍ୟକ ନିମିତ୍ତ ରାସ୍ତା ପାଇଁ ଏଭଳି ଏକ ଗୌରବ ମୟ ଅନୁଷ୍ଠାନର ସ୍ଥାନାନ୍ତରଣକୁ ସମସ୍ତେ ଜୋରଦାର ବିରୋଧ କରୁଛନ୍ତି । ଏଥିପାଇଁ ଓଭର ବ୍ରିଜ୍ ଭଳି ବିକଳ୍ପ ପ୍ରସ୍ତାବ ମଧ୍ୟ ନିଆଯାଇପାରିବ । ପୂର୍ବରୁ ଡମ୍ପିୟାଡ଼ ପାଇଁ ଅନେକ ବିରୋଧ ଓ ଆନେ୍ଦାଳନ ସତ୍ୱେ ଏପର୍ଯ୍ୟନ୍ତ ତାର ସମାଧାନ ହୋଇ ପାରିନି । ଅଳିଆ ଗଦା ଉଠାଇବା ପରିବର୍ତ୍ତେ ସୈନିକ ସ୍କୁଲ ଭଳି ଗର୍ବ ଗୌରବମୟ ଅନୁଷ୍ଠାନ ଉଠେଇ ନେବା ନିଷ୍ପତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତେଣୁ ସମସ୍ତ ଅଞ୍ଚଳବାସୀ ଏହି ନିଷ୍ପତିକୁ ଜୋରଦାର ବିରୋଧ କରିଛନ୍ତି । ଆଜିର ବୈଠକରେ ନିଷ୍ପତ୍ତି ହୋଇଛି କି, କମିଟି ତିନୋଟି ଦଳରେ ବିଭକ୍ତ ହୋଇ ସୈନିକ ସ୍କୁଲ ମୁଖ୍ୟ ପ୍ରବେଶ ଦ୍ୱାର, ଦାଶରଜା ମନ୍ଦିର ପ୍ରବେଶ ଦ୍ୱାର ଓ ଧୀରୀକୁଟି ବସ୍ତି ପ୍ରବେଶ ଦ୍ୱାର ପାଖରେ ରହି ସମସ୍ତ ଅଳିଆ ଗାଡ଼ି ପ୍ରବେଶକୁ ବନ୍ଦ କରାଯିବ । ଗାଡ଼କଣ, ରଙ୍ଗାମାଟିଆ, ଆଦିମାତା କଲୋନୀ, ଆଚାର୍ଯ୍ୟବିହାର, ଭିଏସ୍ଏସ୍ ନଗର, ଡମଣା, ବାଣୀବିହାର, ଆଦି ଅଞ୍ଚଳର ମୁରବି ଏବଂ ବୁଦ୍ଧିଜୀବୀଙ୍କୁ ସାମିଲ କରିବାକୁ ନିଷ୍ପତି ହୋଇଇ । ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ରଶ୍ମି ରଞ୍ଜନ ପରିଡା, ସଂଜୀବ ମହାନ୍ତି, ଦିଲ୍ଲୀପ ଦାସ ଶର୍ମା, ଜୟନ୍ତ ପରିଡା, ଧରଣୀ ରାଉତ, ଅଶୋକ ପାଲଟାସିଂ, ସମୀର ମହାନ୍ତି, ଉମା ବାରିକ, ଚିନ୍ତାମଣି ବାରିକ, ପ୍ରଶାନ୍ତ ସାହୁ, ପ୍ରତାପ ସାହୁ ଗଗନ ପଣ୍ଡା, ଶଙ୍କର୍ଷଣ ବାରିକ, ଚିନ୍ତାମଣି ବାରିକ ଆଦି ବୈଠକରେ ଉପସ୍ଥିତ ଥିଲେ ।