ଅସ୍ତ୍ର ଛାଡିଲେ ମାଓ କମାଣ୍ଡର ସମେତ ୧୨
ରାୟପୁର : ଛତିଶଗଡରେ ପୁଣି ଅସ୍ତ୍ର ଛାଡିଲେ ମାଓ କମାଣ୍ଡର ସମେତ ୧୨ ଜଣ କ୍ୟାଡର ମାଓବାଦୀ । ସୋମବାର ପ୍ରତ୍ୟୁଷରେ ରାୟପୁରରୁ ପ୍ରାୟ ୧୦୦ କିଲୋମିଟର ପଶ୍ଚିମରେ ଥିବା ରାଜନନ୍ଦଗାଓଁ ଜିଲ୍ଲାରେ ମୋଟ ୧୨ ଜଣ କ୍ୟାଡର ସିପିଆଇ (ମାଓବାଦୀ)ର ଚିନ୍ତାଧାରା ପରିତ୍ୟାଗ କରି ସେମାନଙ୍କର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ଼ (ଏମ୍ଏମସି) ଜୋନର ଜଣେ ବରିଷ୍ଠ ମାଓ କମାଣ୍ଡର ତଥା କେନ୍ଦ୍ରୀୟ କମିଟି ସଦସ୍ୟ ରାମଧେର ମାଜ୍ଜୀଙ୍କ ନେତୃତ୍ୱରେ ଅନ୍ୟ କ୍ୟାଡର ସଦସ୍ୟମାନେ ଲାଲବାହିନୀ ଛାଡିଥିବା ଜଣାପଡିଛି ।
ରାମଧେରଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ଏଥିରେ ୪ ଜଣ ଡିଭିଜନାଲ କମିଟି ସଦସ୍ୟ ଓ ୬ ଜଣ ମହିଳା ଅଛନ୍ତି । କ୍ୟାଡରମାନେ ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ଇନସାସ ଆସଲ୍ଟ ରାଇଫଲ୍, ଗୋଟିଏ ସେଲ୍ଫ-ଲୋଡିଂ ରାଇଫଲ୍ (ଏସଏଲଆର), ଗୋଟିଏ ୩୦୩ ରାଇଫଲ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଥିଲେ । ସେମାନଙ୍କର ପୁନର୍ବାସନ ଏବଂ ସମାଜରେ ପୁନଃସମ୍ମିଶ୍ରଣ ସୁନିଶ୍ଚିତ କରିବା ପାଇଁ ଏବେ ସରକାରୀ ଆଇନଗତ ପ୍ରକ୍ରିୟା ଅନୁସରଣ କରାଯିବ । ୨୦୨୩ ଡିସେମ୍ବରରେ ଛତିଶଗଡ଼ରେ ବିଜେପି କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ପ୍ରାୟ ୨,୩୦୦ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି ।