ପ୍ଲାଟ୍ଫର୍ମ ପରିବର୍ତ୍ତନ କରିବାର ନିଷ୍ପତ୍ତି କିଏ ନେଇଥାଏ ?
ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଏବେ ସ୍ବୟଂଚାଳିତ ବ୍ଲକ ସିଗନାଲିଂ ସିଷ୍ଟମ ବ୍ୟବହାର କରୁଛି। ଏହାର ଅର୍ଥ ହେଉଛି ଯେ ଟ୍ରେନ୍କୁ ପରବର୍ତ୍ତୀ ଷ୍ଟେଶନରେ ପହଞ୍ଚିବା ପାଇଁ ଆଗକୁ ଥିବା ଟ୍ରେନ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ସେମାନଙ୍କ ମଧ୍ୟରେ ଗୋଟିଏ କିଲୋମିଟର ଦୂରତା ବଜାୟ ରଖାଯାଏ। ଟ୍ରେନ୍ କେଉଁ ପ୍ଲାଟ୍ଫର୍ମରେ ଅଟକିବ ତାହା ନିଷ୍ପତ୍ତି ସ୍ବୟଂଚାଳିତ ସିଗ୍ନାଲ ଦ୍ୱାରା ନୁହେଁ ବରଂ ଷ୍ଟେଶନ ମାଷ୍ଟରଙ୍କ ଦ୍ୱାରା ନିଆଯାଇଥାଏ। ଟ୍ରେନଗୁଡ଼ିକର ପ୍ରାଥମିକତା ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଉଦାହରଣ ସ୍ବରୂପ, ଯଦି ଏକ ପ୍ରିମିୟମ୍ କିମ୍ବା VIP ଟ୍ରେନ୍ ଅଛି, ତେବେ ଏହାକୁ ଷ୍ଟେଶନରେ ସର୍ବୋତ୍ତମ ଏବଂ ସୁଗମ ପ୍ଲାଟଫର୍ମ ଦିଆଯାଏ। ଯଦି କୌଣସି କାରଣରୁ ପ୍ଲାଟ୍ଫର୍ମରେ ପରିବର୍ତ୍ତନ ହୁଏ, ତେବେ ରେଳବାଇ ସାର୍ବଜନୀନ ଘୋଷଣା ପ୍ରଣାଳୀ ମାଧ୍ୟମରେ ଷ୍ଟେଶନରେ ଉପସ୍ଥିତ ଯାତ୍ରୀମାନଙ୍କୁ ଏହା ବିଷୟରେ ସୂଚନା ଦେଇଥାଏ। ୨୦୧୮ରେ, ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (CAG) ତାଙ୍କ ରିପୋର୍ଟରେ କହିଥିଲେ ଯେ, ରେଳ ଷ୍ଟେଶନଗୁଡ଼ିକରେ ଟ୍ରେନ୍ଗୁଡ଼ିକ ଅଟକିବା ପାଇଁ ପର୍ଯ୍ୟାପ୍ତ ପ୍ଲାଟଫର୍ମ ନାହିଁ। CAG କହିଛନ୍ତି ଯେ, ଟ୍ରେନଗୁଡିକ ଅଟକାଇବା ପାଇଁ ପଥ (ପ୍ଲାଟଫର୍ମ/ଲାଇନ)ର ଅଭାବ ଏବଂ ୨୪ କିମ୍ବା ତା’ଠାରୁ ଅଧିକ କୋଚ୍ ବିଶିଷ୍ଟ ଟ୍ରେନଗୁଡିକୁ ପରିଚାଳନା କରିବା ପାଇଁ ପର୍ଯ୍ୟାପ୍ତ ଲମ୍ବ ପ୍ଲାଟ୍ଫର୍ମର ଅଭାବ ଟ୍ରେନ୍ଗୁଡିକ ବିଳମ୍ବର ମୁଖ୍ୟ କାରଣ।
ସୂଚନା ଥାଉକି, ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଶନିବାର ରାତିରେ ଦଳଚକଟା ଘଟି ୧୮ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ମହାକୁମ୍ଭରେ ସ୍ନାନ କରିବା ପାଇଁ ପ୍ରୟାଗରାଜ ଯାଉଥିଲେ। ଷ୍ଟେଶନରେ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଘଟଣା ସମୟରେ ଟ୍ରେନ୍ଟି NDLSର ପ୍ଲାଟଫର୍ମ ନମ୍ବର ୧୪ରେ ପହଞ୍ଚିବାର ଥିଲା। କିନ୍ତୁ ଟ୍ରେନ୍ ଆସିବାର କିଛି ସମୟ ପୂର୍ବରୁ ପ୍ଲାଟ୍ଫର୍ମ ପରିବର୍ତ୍ତନ ହୋଇଯାଇଥିଲା, ଯାହା ଫଳରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ସେମାନଙ୍କର ପ୍ଲାଟ୍ଫର୍ମ ପରିବର୍ତ୍ତନ କରିବା ପାଇଁ ଦୌଡ଼ିବା ଆରମ୍ଭ କଲେ। ଏପରି ପରିସ୍ଥିତିରେ ବ୍ରିଜ୍ ଉପରେ ବସିଥିବା ଯାତ୍ରୀମାନେ ଚାପି ହୋଇଗଲେ। ତଥାପି ରେଳବାଇ ଏହାକୁ ଅସ୍ବୀକାର କରିଛି। ଉତ୍ତର ରେଳବାଇର ସିପିଆରଓ ହିମାଂଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ‘କୌଣସି ଟ୍ରେନ୍ ବାତିଲ କରାଯାଇ ନାହିଁ କିମ୍ବା କୌଣସି ଟ୍ରେନ୍ର ପ୍ଲାଟଫର୍ମ ପରିବର୍ତ୍ତନ କରାଯାଇ ନାହିଁ।’ କିନ୍ତୁ ହଠାତ୍ ପ୍ଲାଟଫର୍ମ ପରିବର୍ତ୍ତନ ଯୋଗୁ ଦଳାଚକଟା ଘଟିବା ପ୍ରଥମ ଘଟଣା ନୁହେଁ।