ଆଇଟିଆଇ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଆଇଟିଆଇ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ଯାଜପୁର ସଦର : ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନ ବା ଆଇଟିଆଇ ବରୁଆଁର ପ୍ରଶାସନିକ ଗୃହ ନିର୍ମାଣରେ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି । ଆଇଟିଆଇ ଉନ୍ନତି ନିମନ୍ତେ ରାଜକୋଷରୁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ବରାଦ କରାଯାଉଛି । ହେଲେ ଏହି ଅର୍ଥ ସଠିକ୍‌ ବିନିଯୋଗ ହେଉନଥିବା ସାଧାରଣରେ ଅଭିଯୋଗ ହେଉଛି । ପୂର୍ବ ସରକାରଙ୍କ ସମୟରେ ଯାଜପୁର ସରକାରୀ ଶିଳ୍ପ ତାଲିମ୍‌ ଅନୁଷ୍ଠାନର ପ୍ରଶାସନିକ ଗୃହ ନିର୍ମାଣ ପାଇଁ ରାଜ୍ୟ ପାଣ୍ଠିରୁ ପ୍ରକଳ୍ପ ବ୍ୟୟ ଅଟକଳ ୧୮,୯୯୯ କୋଟି ଟଙ୍କା ପୂର୍ତ୍ତ ବିଭାଗ ଜରିଆରେ ଅନୁମୋଦନ ହୋଇଛି । ଏହି ଅର୍ଥ ବିନିମୟରେ ଆଜକୁ ଦିର୍ଘ ୩ ବର୍ଷ ଧରି କାର୍ଯ୍ୟ ଚାଲୁ ରହିଛି । ପ୍ରକଳ୍ପ କେଉଁ ଠିକାଦାର ସଂସ୍ଥା କରୁଛି ଏବଂ ଏହାର ଅବଧି ସମୟସୀମାର କୌଣସି ସୂଚନା ଫଳକ ନଥିବାର ଦେଖିବାକୁ ମିଳିଛି । ଏହି ପ୍ରକଳ୍ପର ଏକ ଶ୍ରେଣୀ ଗୃହ ପୂର୍ଣ୍ଣାଙ୍ଗ ପରେ ଶିଳ୍ପ ତାଲିମ୍‌ ଅନୁଷ୍ଠାନକୁ ହସ୍ତାନ୍ତର କରିବାର ମାତ୍ର ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢିବା ସମୟରେ ହଠାତ୍‌ କିଛି ସ୍ଥାନରୁ ସିମେଣ୍ଟ ପ୍ଲାଷ୍ଟର ଖସିପଡିବା ଜଣାପଡିଛି । ଘଟଣାରେ କୌଣସି ଛାତ୍ରଛାତ୍ରୀଙ୍କର କ୍ଷତି ହୋଇନଥିବା ଜଣାପଡିଛି । ଏଥିରୁ ଏହି କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଏହି ଘଟଣା ସମ୍ପର୍କରେ ଶିଳ୍ପ ତାଲିମ୍‌ ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ପଚାରିବାରେ ଅଧ୍ୟକ୍ଷଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା । ଏପରିକି ଏହି ପ୍ରକଳ୍ପ କିଏ କରୁଛି କାହିଁକି କରୁଛି କେଉଁ ଠିକାଦାର ସଂସ୍ଥା କରୁଛି, କେତେ ବ୍ୟୟ ଅଟକଳ ପରିମାଣ ଓ ଏହାର ଅବଧି ସମ୍ପର୍କରେ କିଛି ଜାଣିନଥିବା ପ୍ରକାଶ କରିଥିଲେ । ଏହି ପ୍ରକଳ୍ପରେ କାର୍ଯ୍ୟକାରୀ ହେଉଥିବା ବାଲି, ଇଟା,ସିମେଣ୍ଟ, ଲୁହାଛଡ଼, ଚିପ୍ସ ଆଦି ଅତି ନିମ୍ନମାନର ହୋଇଥିବା ବେଳେ ସଠିକ୍‌ ଭାଗ ମାପରେ ହେଉନଥିବାରୁ ସାଧାରଣରେ ଅଭିଯୋଗ ହେଉଛି । ଯାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଅର୍ଥର ସଦ ବିନିଯୋଗ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।