ଆଇଟିଡିଏର ପିଏଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ସମନ୍ୱିତ ଆଦିବାସୀ  ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ପ୍ରଶାସକ  (ପିଏ) ବିଶ୍ୱଦର୍ଶୀ ସାହୁଙ୍କ ୧୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ  ହୋଇଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି । ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।   
ପୁରୁଣା ଭୁବନେଶ୍ୱର ଶ୍ରୀରାମ ନଗରରୁ  ୩୬୦୦ ବର୍ଗଫୁଟ୍‌ର ବହୁତଳ କୋଠା,  ଲକ୍ଷ୍ମୀସାଗରସ୍ଥିତ ଭଗବାନ୍‌ ଟାୱାର ତୃତୀୟ  ମହଲାରେ ୧୫୦୦ ବର୍ଗଫୁଟ୍‌ର ଫ୍ଲାଟ୍‌ ନଂ. ୩୦୪,  ୟୁନିଟ୍‌-୩ ଖାରବେଳନଗର ଇଭୋସ୍‌ ଗ୍ୟାଲେକ୍ସିର  ଚତୁର୍ଥ ମହଲାରେ ଫ୍ଲାଟ ନଂ.୪୦୨, ବାଲେଶ୍ୱର  ଏନ୍‌ଏନ୍‌ ସେନ୍‌ ରୋଡ୍‌ସ୍ଥିତ ସୁକୁମାର ନାୟକ  ଆପାର୍ଟମେଣ୍ଟରେ ଫ୍ଲାଟ୍‌ ନଂ.୩୦୨ ଠାବ ହୋଇଛି ।  ଇଭୋସ୍‌ ଗ୍ୟାଲେକ୍ସିର ଚତୁର୍ଥ ମହଲାରେ ଫ୍ଲାଟ  କିଣିବା ନିମନ୍ତେ ଶ୍ରୀ ସାହୁ ୮୨ ଲକ୍ଷ ଟଙ୍କା ଅଗ୍ରୀମ  ଦେଇଛନ୍ତି । 
ସେହିପରି ଯାଜପୁରରେ  ସମ୍ପର୍କୀୟଙ୍କ ଘର, ବଣାଇଁସ୍ଥିତ  ସରକାରୀ କ୍ୱାର୍ଟର୍ସ ଓ କାର୍ୟ୍ୟାଳୟରେ  ଚଢ଼ଉ କରି ଭିଜିଲାନ୍ସ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।  ଭୁବନେଶ୍ୱର ଓ ପୁରୀରେ ଶ୍ରୀ  ସାହୁଙ୍କ ୯ଟି ପ୍ଲଟ୍‌ ଠାବ ହୋଇଛି ।  ୧୫୦ ଗ୍ରାମ୍‌ ସୁନା, ନଗଦ ୪ ଲକ୍ଷ  ୫୧ ହଜାର ଟଙ୍କା, ଏକ ଦାମୀ କାର୍‌,  ୪ ବାଇକ୍‌ ମିଳିଛି । ଗାଡ଼ି ଏବଂ ଗୃହପୋକରଣର  ମୂଲ୍ୟ ୨୧ ଲକ୍ଷ ୧୪ ହଜାର ଟଙ୍କା ହେବ । ବ୍ୟାଙ୍କ ଓ ବୀମା ଜମା ବାବଦ ୬୧ ଲକ୍ଷ ୪୨ ହଜାର ଟଙ୍କା ଠାବ  ହୋଇଛି । ଶ୍ରୀ ସାହୁଙ୍କ ସ୍ତ୍ରୀଙ୍କ ନାମରେ ଭୁବନେଶ୍ୱର  ବାପୁଜୀନଗର ଷ୍ଟେଟ୍‌ ବ୍ୟାଙ୍କରେ ଏକ ଲକର ରହିଛି ।  ଶ୍ରୀ ସାହୁ କହିଛନ୍ତି, ପରିବାରର ଅନେକ ସଦସ୍ୟ ଚାକିରିଆ । ବ୍ୟବସାୟ ମଧ୍ୟ କରୁଛନ୍ତି ।