ଆଜି ବିଜେପିର ଟିକେଟ୍ ବଣ୍ଟନ : ମନ୍ତ୍ରୀମାନଙ୍କ ସହ କଥାହେବେ ବିଏଲ ସନ୍ତୋଷ ଆଦିବାସୀ ବିଧାୟକ ଓ ସାଂସଦ ନେବେ ପ୍ରଶିକ୍ଷଣ
ଭୁବନେଶ୍ୱର : ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବ ବିଜେପି । ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ବିଜେପିର ଜାତୀୟ ସାଂଗଠନିକ ସାଧାରଣ ସମ୍ପାଦକ ଭି ସତୀଶ ଓ ଜାତୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ବି ଉପସ୍ଥିତ ରହିବେ ।
ତୋମାରଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ବିଜେପିର କୋର କମିଟି ବୈଠକ ବସିବ । ବୈଠକରେ ନୂଆପଡ଼ା ପ୍ରାର୍ଥୀ ଚୟନ ନେଇ ଆଲୋଚନା ହେବ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ବିଶଦ ଆଲୋଚନା କରାଯିବା ପରେ କେନ୍ଦ୍ରକୁ ପଠାଯିବ । ସେହିପରି ଆଦିବାସୀ ବିଧାୟକ ଓ ସାଂସଦଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବି ହେବ । ଯେଉଁଥିରେ ବିଧାୟକ ଓ ସାଂସଦମାନେ ୨୦ରୁ ୨୫ ଗ୍ରାମକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ଆଦର୍ଶ ପଞ୍ଚାୟତରେ ରୂପାନ୍ତରିତ କରିବେ । ଏହାଛଡ଼ା ରାଜ୍ୟ ବିଜେପି କମିଟି ସଂକ୍ରାନ୍ତରେ ବି ଆଲୋଚନା ହେବବୋଲି ଜାଣିବାକୁ ମିଳିଛି । ସାଂଗଠନିକ କ୍ଷେତ୍ରରେ ଜାତୀୟସ୍ତରର ନେତାମାନେ ବିଧାୟକ, ସାଂସଦ ଓ ନେତାମାନଙ୍କୁ ଟିପ୍ସ ମଧ୍ୟ ଦେବେ ।