ଆଜି ସୁନାରେ ଝଲସିବେ : ଆଜି ସୁନାରେ ଝଲସିବେ
ପ୍ରାୟ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ମଧ୍ୟରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ବାହୁଡ଼ାଯାତ୍ରା । ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରୁ ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସମସ୍ତ ପରମ୍ପରିକ ନୀତିକାନ୍ତି ସଂପନ୍ନ ହୋଇ ନୀତି ନିର୍ଘଣ୍ଟର ନିର୍ଦ୍ଧାରିତ ସମୟର ପ୍ରାୟ ଏକ ଘଣ୍ଟା ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲେ ମଧ୍ୟ ମାଉସୀ ମା’ମନ୍ଦିର ସମ୍ମୁଖରେ ପୋଡ଼ପିଠା ଭୋଗ ଓ ଶ୍ରୀନଅର ସମ୍ମୁଖରେ ଚିତ୍ତାକର୍ଷକ ଲକ୍ଷ୍ମୀନାରାୟଣ ଭେଟ ପରେ ଫ୍ଲଡ଼ ଲାଇଟ୍ରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଇ ରାତ୍ର ୯ଟା ୩୧ମିନିଟ୍ ସୁଦ୍ଧା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲଗାଯାଇଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖରେ ସନ୍ଧ୍ୟା ୬ଟା ୨୩ ମିନିଟ୍ରେ ପହଞ୍ଚôଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସନ୍ଧ୍ୟା ୭ଟା ୨୦ ମିନିଟ୍ରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚôଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ୭ଟା ୫୦ ମିନିଟ୍ରେ ପହଞ୍ଚôବା ପରେ ଅଟକି ରହିଥିଲା ।
ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିରରୁ ପାଲିଙ୍କିରେ ଆସିଥିବା ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କୁ ଭେଟ କରାଇଥିଲେ । ଏହାକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଏ । ରାତ୍ର ୯ଟାରେ ଲକ୍ଷ୍ମୀନାରାୟଣ ଭେଟ ଶେଷ ହେବା ପରେ ପୁ୍ନଶ୍ଚ ନନ୍ଦିଘୋଷ ରଥକୁ ଟଣାଯାଇ ସିଂହାଦ୍ୱାର ସମ୍ମୁଖରେ ଲଗାଯାଇଛି । ଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାରକୁ ରଥ ଗଡ଼ିବା ସମୟରେ ପରମ୍ପରା ଅନୁଯାୟୀ ମାଉସୀମା’ ମନ୍ଦିର ନିକଟରେ ରଥ ପହଞ୍ଚôବା ପରେ ଠାକୁରମାନଙ୍କୁ ପୋଡ଼ପିଠା ଭୋଗ କରାଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁ ଉତ୍ତରାଭିମୁଖ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ ବାହୁଡ଼ାଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବାବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିଭଳି ଫଳ ମିଳିଥାଏ । ଆଜି ରାତିରେ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚôବା ପରେ ପ୍ରଶାସନ ପକ୍ଷରୁ ଆସନ୍ତା କାଲି ରଥ ଉପରେ ହେବାକୁ ଥିବା ମହାପ୍ରଭୁଙ୍କ ସୁନାବେଶ ପାଇଁ ପ୍ରସ୍ତୁତି ଚାଲିଛି । ରବିବାର ଦିନ ଅନୁଷ୍ଠିତ ହେବ ଠାକୁରମାନଙ୍କ ବଡ଼ତଢାଉ ବା ସୁନାବେଶ । ଏହାପରେ ଅଧରପଣା ନୀତି ଓ ଶେଷରେ ଠାକୁରମାନେ ଆସନ୍ତା ମଙ୍ଗଳବାର ଦିନ ନୀଳାଦ୍ରି ବିଜେ କରିବେ । ଆଜି ସକାଳ ୯ଟା ୫୫ ମିନିଟ୍ରେ ଆରମ୍ଭ ହୋଇଥିଲା ବାହୁଡ଼ା ଜୁଲାଇ ୬ ତାରିଖ ରବିବାର ଶ୍ରୀ ହରିଶୟନ ଏକାଦଶୀରେ ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚିତ୍ତାକର୍ଷକ ବଡ଼ତଢାଉ ବା ସୁନା ବେଶ । ନାନାଦି ସ୍ୱର୍ଣ୍ଣ ଅଳଙ୍କାର ଓ ଆଭୁଷଣରେ ଝଲସିବେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥ । ବିଭିନ୍ନ ଆଭୂଷଣ ଓ ଆୟୁଧରେ ସଜ୍ଜିତ ହୋଇ ଠାକୁରମାନେ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ନିର୍ଘଣ୍ଟ ଅନୁଯାୟୀ ରବିବାର ସକାଳ ୬ଟାରୁ ୬ଟା ୩୦ମିନିଟ୍ ମଧ୍ୟରେ ରଥ ଉପରେ ଠାକୁରମାନଙ୍କ ମଙ୍ଗଳଆଳତି କରାଯିବ । ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶ, ୧୦ଟାରୁ ୧୦ଟା ୩୦ମିନିଟ୍ ମଧ୍ୟରେ ଗୋପାଳବଲ୍ଲଭ, ଦିନ ୧୧ଟାରୁ ୧୨ଟା ମଧ୍ୟରେ ସକାଳଧୂପ, ୧୨ଟା ୩୦ରେ ମଇଲମ, ଦିନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶ ଶେଷ, ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ, ୩ଟା ୩୦ମିନିଟ୍ରୁ ୪ଟା ମଇଲମ, ୪ଟାରେ ଶାଢୀ ଖଣ୍ଡୁଆ ଲାଗି ସନ୍ଧ୍ୟା ଆଳତି, ୪ଟା ୩୦ମିନିଟ୍ରୁ ୫ଟା ଏକାଦଶୀ ସର୍ବାଙ୍ଗ, ୫ଟାରୁ ୬ଟା ୩୦ମିନିଟ୍ ମଧ୍ୟରେ ସୁନାବେଶ ପରେ ସନ୍ଧ୍ୟା ଆଳତି କରାଯାଇ ରାତି ୮ଟାରୁ ୯ଟା ମଧ୍ୟରେ ସନ୍ଧ୍ୟା ଧୂପ ଶେଷ ହେବ । ୯ଟା ୧୫ମିନିଟ୍ରେ ମହାଦୀପ ଉଠି ବନ୍ଦାପନା କରାଯିବ । ୧୦ଟାରୁ ୧୧ଟା ମଧ୍ୟରେ ସୁନାବେଶ ମଇଲମ, ୧୧ଟାରେ ଚନ୍ଦନଲାଗି, ୧୨ଟାରେ ବଡ଼ସିଂହାର ବେଶ, ୧୨ଟା ୩୦ମିନିଟ୍ରେ ବଡ଼ସିଂହାର ଭୋଗ ଓ ୧୫ଟା ୪୫ମିନିଟ୍ରେ ମଇଲମ, ରାତ୍ର ୧ଟାରେ ମହାସ୍ନନା ପୂଜା ଠା, ୧ଟା ୩୦ମିନିଟ୍ରେ ଶୟନ ଠାକୁର ବିଜେ କରିବେ । ମହାସ୍ନାନ ଶେଷ ହେବ ୧ଟା ୪୦ମିନିଟ୍ରେ । ୧ଟା ୫୦ମିନିଟ୍ରେ ମଇଲମ । ୨ଟା ୧୦ମିନିଟ୍ରେ ଚନ୍ଦନଲାଗି । ରାତ୍ର ୩ଟାରେ ବଲ୍ଲଭ ଓ ବଡ଼ସିଂହାର ବେଶ, ୩ଟା ୩୦ମିନିଟ୍ରେ ବଡ଼ସିଂହାର ଭୋଗ କରାଯାଇ ରାତ୍ର ୪ଟାରେ ହରିଶୟନ ନୀତି ସଂପାଦିତ ହେବ ଏବଂ ମହାପ୍ରଭୁ ପହୁଡ଼ ଯିବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି । ବର୍ଷକ ମଧ୍ୟରେ ରତ୍ନସିଂହାସନ ଉପରେ ମହାପ୍ରଭୁ ଦଶହରା, ଦୋଳପୂର୍ଣ୍ଣିମା, କୁମାରପୂର୍ଣ୍ଣମୀ, କାର୍ତ୍ତିକପୂର୍ଣ୍ଣମୀ ଓ ବାମନଜନ୍ମରେ ୫ଥର ସୁନା ବେଶ ହେଉଥିବା ବେଳେ ଆଷାଢ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନା ବେଶ କରାଯାଏ । ରଥ ଉପରେ ଅନୁଷ୍ଠିତ ହେଉଥିବା ସୁନାବେଶ ସବୁଠାରୁ ଚିତାକର୍ଷକ । ଏହି ବେଶରେ ଠାକୁରମାନେ ସର୍ବାଧିକ ଅଳଙ୍କାର ଓ ଆୟୁଧରେ ଭୂଷିତ ହେବେ । କୁହାଯାଏ ଠାକୁରଙ୍କର ୧୪୫ କ୍ୱିଣ୍ଟାଲ ସ୍ୱର୍ଣ୍ଣାଳଙ୍କାର ମଧ୍ୟରୁ ପ୍ରାୟ ୭୩ କ୍ୱିଣ୍ଟାଲ ଆଭୂଷଣ ଭାବେ ବ୍ୟବହାର କରାଯାଏ । ଗବେଷକମାନଙ୍କ ମତରେ ଏହି ବଡ଼ତଢାଉ ବେଶ ପ୍ରାୟ ୬୦୦ ବର୍ଷ ତଳେ ଆରମ୍ଭ ହୋଇଥିଲା । ସୂର୍ଯ୍ୟବଂଶର ପ୍ରଥମ ନରପତି କପିଳେନ୍ଦ୍ର ଦେବ ରାଜ୍ୟ ଜୟ କରି ବିପୁଳ ପରିମାଣର ଧନ ରତ୍ନ ଓଡ଼ିଶାକୁ ଆଣିଥିଲେ । ତତ୍କାଳୀନ ତଢାଉକରଣଙ୍କ ପରାମର୍ଶ କ୍ରମେ ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଆସୁଛି । ଗତ ୬୦୦ ବର୍ଷ ମଧ୍ୟରେ ବିଧର୍ମୀ ମାନଙ୍କ ଦ୍ୱାରା ଶ୍ରୀମନ୍ଦିରର ରତ୍ନଭଣ୍ଡାର ବାରମ୍ବାର ଲୁଣ୍ଠିତ ହୋଇଛି । ସୁନାବେଶ ଦର୍ଶନ ପାଇଁ ପୁରୀରେ ପ୍ରାୟ ୨୦ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଉଛି । ସୁନାବେଶରେ କେତେକ ନିର୍ଦ୍ଦିଷ୍ଟ ସେବକ ଏକକ ସେବା ଓ ଗୋଷ୍ଠୀଗତ ସେବା କରିବେ । ଭିତରଚ୍ଛ, ତଳୁଚ୍ଛ, ଭଣ୍ଡାରମେକାପ, ପତିମହାପାତ୍ର, ବାଡ଼ଗ୍ରାହୀ ଦଇତାପତି ଏକକ ସେବା କରିବେ । ପାଳିଆ ପୁଷ୍ପାଳକ, ପାଳିଆ ମେକାପ, ପାଳିଆ ଖୁଣ୍ଟିଆ ଓ ଦଇତା ସେବକମାନେ ରଥ ଉପରେ ଠାକୁରମାନଙ୍କର ସୁନାବେଶରେ ଗୋଷ୍ଠୀଗତ ସେବା କରିବେ । ୧୨୩୨ ମସିହାରେ ପ୍ରଥମେ ସୁନାବେଶ ଆରମ୍ଭ ହୋଇଥିଲା ବୋଲି କେତେକ ଗବେଷକ ମତ ଦିଅନ୍ତି । ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ, ଯାନବାହନ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ୨୦୦ ପ୍ଲାଟୁନ୍ ଫୋର୍ସ ।