ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

 ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ମିଳିତ ଆନୁକୂଲ୍ୟରେ ଆଜି ରାଜ୍ୟସ୍ତରୀୟ ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ମାଟି ଓ ଜାତିପ୍ରୀତିର ପଟାନ୍ତରର ନାହିଁ । 
ଇଂରେଜ ବିରୋଧୀ ସଂଗ୍ରାମର ଅନ୍ୟତମ ଶ୍ରେଷ୍ଠ ନାୟକ ଥିଲେ କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଧରଣୀଧର ଧର ନାଏକ । ପାହାଡ଼ ଜଙ୍ଗଲଭରା କେନ୍ଦୁଝରର ମୁକ୍ତିକାମୀ ଭୂୟାଁମାନଙ୍କୁ ସ୍ୱାଧୀନତାର ମନ୍ତ୍ର ପଢେଇ ଧରଣୀଧର ସେମାନଙ୍କୁ ଯେପରି ଶକ୍ତିଶାଳୀ ବ୍ରିଟିଶ ଶକ୍ତି ବିରୁଦ୍ଧରେ ଲଢ଼ିବାକୁ ମାନସିକ ଓ ଶାରୀରିକ ଭାବେ ସକ୍ଷମ କରାଇ ପାରିଥିଲେ, ତାହା ଭାରତୀୟ ମୁକ୍ତି ସଂଗ୍ରାମର ଏକ ଯୁଗାନ୍ତକାରୀ ଅଧ୍ୟାୟ ବୋଲି କହିଥିଲେ । ସମ୍ମାନନୀୟ ଅତିଥି ଭାବେ ବିଧାନସଭାର ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଯୋଗଦେଇ ଧରଣୀଧର ଜଣେ କ୍ରାନ୍ତିକାରୀ ଯୋଦ୍ଧା ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଜନଜାତି ସଂସ୍କୃତି ଗବେଷକ ଏବଂ ଲେଖକ କ ଡଃ ଅଖିଳ ବିହାରୀ ଓତା ଧରଣୀଧର ଭୂୟାଁଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
  ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଞ୍ଜୟ ସିଂହଙ୍କ ସଭାପତିତ୍ୱରେ ଅନ୍ୟତମ ଅତିଥି ଭାବେ କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱରର ସଭାପତି ପ୍ରଫେସର ଡ. ହାଡ଼ିବନ୍ଧୁ ପଟ୍ଟନାୟକ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିଦେ୍ର୍ଦଶକ ସନ୍ତୋଷ ଦାସ, ଉପ ନିଦେ୍ର୍ଦଶକ ଦିପ୍ତିମୟୀ ମହାପାତ୍ର, ସୁଚେତା ପ୍ରିୟଦର୍ଶିନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।