ଆସନ୍ତା ଏପ୍ରିଲରୁ ହେବ ଜନଗଣନା 

 ଆସନ୍ତା ଏପ୍ରିଲରୁ ହେବ ଜନଗଣନା 

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏହା ସହ ୨୦୨୭ ଫେବୃଆରୀରେ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ହେବ । ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି । ଆଜି ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ବସିଥିଲା । ବୈଠକରେ ନିଷ୍ପତି ନିଆଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବ ପାତ୍ର ଗଣନା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ଯାଇ ଜନ ଗଣନା କରାଯିବ । ଜନଗଣନା ପାଇଁ ନିଯୁକ୍ତ ହେବେ ଲକ୍ଷଧିକ ଜନ ଗଣନା ଅଧିକାରୀ । ଏହା ପୂର୍ବରୁ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର । ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ । ୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜରଙ୍କୁ ନିଯୁକ୍ତ କରାଯିବ । ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ ୱେବସାଇଟ ଜରିଆରେ ପଞ୍ଜିକୃତ କରି ପାରିବେ ବୋଲି ଜନଗଣନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।