ଇଣ୍ଡୋନେସିଆରେ ବିଜୁ ହଲ୍ ଲୋକାର୍ପିତ କଲେ ଅପରାଜିତା

 ଭୁବନେଶ୍ୱର : ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟସ୍ତରରେ ସ୍ୱରୋତ୍ତୋଳନ କରିବାକୁ ବହୁଦଳୀୟ ସଂସଦୀୟ ପ୍ରତିନିଧି ଇଣ୍ଡୋନେସିଆ ଗସ୍ତ କରିଛନ୍ତି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଇଣ୍ଡୋନେସିଆର ଓଡ଼ିଆ ସମାଜକୁ ଭେଟିଛନ୍ତି । ଇଣ୍ଡୋନେସିଆର ଭାରତୀୟ ଦୂତାବାସରେ ସେଠାକାର ଭୂମିପୁତ୍ର ତଥା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ବିଜୁ ହଲର ଲୋକାର୍ପଣ କରିଛନ୍ତି । ଏହାସହ ସେଠାରେ ବିଜୁ ପଟ୍ଟନାୟକଙ୍କର ଏକ ଫଳକକୁ ଉନ୍ମୋଚନ କରିଥିଲେ । ଯାହାକୁ ଏକ୍ସରେ ପୋଷ୍ଟ କରି ଜଣାଇଛି ଇଣ୍ଡୋନେସିଆ ସ୍ଥିତ ଭାରତୀୟ ଦୂତାବାସ ।
ଏ ଅବସରରେ ସେଠାରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ଅପରାଜିତା କିଛି ସମୟ ଭାବ ବିନିମୟ କରି ଓଡ଼ିଶା ସହ ଇଣ୍ଡୋନେସିଆର ବହୁ ପୁରାତନ ସାଂସ୍କୃତିକ ଏବଂ ଐତିହାସିକ ସମ୍ପର୍କର ଅବତାରଣା କରିଥିଲେ । ସେହିପରି ତକ୍ରାଳୀନ ଇଣ୍ଡୋନେସିଆ ସରକାର ବିଜୁ ପଟ୍ଟନାୟକଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସେଠାର ସର୍ବଶ୍ରେଷ୍ଠ ପୁରଷ୍କାର ବିଙ୍ଗଟଙ୍ଗ୍ ଯଶ ଉତ୍ତମ ଏବଂ ଇଣ୍ଡୋନେସିଆର ଭୂମିପୁତ୍ର ସମ୍ମାନ ବିଷୟରେ କହିଥିଲେ । ତେବେ ଦୁଇଟି କାରଣ ପାଇଁ ଇଣ୍ଡୋନେସିଆ ଗସ୍ତରେ ଥିବା ଅପରାଜିତା କହିଛନ୍ତି ପ୍ରଥମତଃ ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ନେଇ ଭାରତର ପକ୍ଷ ରଖିବା ଏବଂ ଅନ୍ୟଟି ବିଶ୍ୱ ସମୂହ ଆଗରେ ପାକିସ୍ତାନ ଭାରତ ବିରୋଧରେ କରୁଥିବା ମିଛ  ଅପପ୍ରଚାରର ଉନ୍ମୋଚନ କରିବା । ଇଣ୍ଡୋନେସିଆରେ ଥିବା ପ୍ରବାସୀ ଭାରତୀୟଙ୍କୁ ଜଣେ ଜଣେ ଭାରତୀୟ ଦୂତଭାବେ ଅବିହିତ କରି ସେମାନଙ୍କୁ ମଧ୍ୟ ଆତଙ୍କବାଦ ବିରୋଧରେ ସ୍ୱରୋତ୍ତୋଳନ କରିବାକୁ ଅପିଲ୍ କରିଛନ୍ତି ଅପରାଜିତା ।