ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ଦୁର୍ଘଟଣାରେ ଚାଲିଗଲା ୪  ଜୀବନ

ଆଜି ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ୫୭ ନମ୍ବର ଜାତୀୟ ରାଜପଥ ଆଦର୍ଶ ବିଦ୍ୟାଳୟ ନିକଟରେ ବସ ସହ କାରର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ବସ୍‌ଟି କାରକୁ ପିଟିବା ପରେ କାର ତଳେ ଚାପି ହୋଇ ରହିଯାଇଥିଲେ ସ୍ବାମୀ ଓ ସ୍ତ୍ରୀ । ଗାଡିକୁ ଓଲଟାଇ ଦମ୍ପତିଙ୍କ ମୃତଦେହ ବାହାର କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ ପହଞ୍ଚି ସ୍ଥିତି ଆୟତ କରିବାକୁ ଚେଷ୍ଟା ଚଳାଇଛି । ସେପଟେ ନବରଙ୍ଗପୁରରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତାରାଗାଁ ଛକ ନିକଟରେ ବସ ଓଲଟିବାରୁ ଜଣଙ୍କ ମୃତ୍ୟୁ ହୋଇଛି । ରାଇଘରରୁ ଜୟପୁର ଅଭିମୁଖେ ଯାଉଥିବା ଏସ୍‌ବିଟି ନାମକ ଏକ ଘରୋଇ ବସ୍‌ ତାରାଗାଁ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଆଉ ବସ୍‌ ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଏହା ସହିତ ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେହିଭଳି ଗଞ୍ଜାମ ଦିଗପହଣ୍ଡିରେ ବି ଆଜି ଅଘଟଣ ଘଟିଛି । ବସ୍‌ ବାଇକ ମୁହାଁମୁହିଁ ଧକ୍କା ହେବାପରେ ବାଇକଚାଳକଙ୍କ ମୃତ୍ୟୁ ହୋଇଛି । କଇଠଖଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି ।  ମୃତକ ଜଣକ ନୂଆଗଡ ଗ୍ରାମର କୁରେଶୁ ପାତ୍ର ବୋଲି ଜଣା ପଡ଼ିଛି । ସେ ମଧୁବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଆଜି ସକାଳୁ ସେ ବାଇକ୍‌ ଯୋଗେ ଯାଉଥିବାବେଳେ ବସ୍‌ ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଏଥିରେ ଘଟଣାସ୍ଥଳରେ କୁରେଶୁ ପାତ୍ରଙ୍କ ମୃତ୍ୟୁ ହୋଇଥିଲା ।