ଏଆଇସିସିର ପ୍ରସ୍ତାବ
ନିକଟରେ ଗୁଜରାଟରେ ଅହମ୍ମଦାବାଦରେ ଶେଷ ହୋଇଥିବା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଏବଂ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଜାତୀୟ କାର୍ଯ୍ୟକାରିଣୀ କମିଟି(ସିଡବ୍ଲୁସି)ର ଦୁଇଦିନିଆ ବୈଠକରେ ଯେଉଁ ସଂକେତ ପ୍ରଦାନ କରିଛି, ତାହା ହେଉଛି ତୃଣମୂଳ ସ୍ତରରେ ସାଂଗଠନିକ ସଂସ୍କାର ଏବଂ ଦଳର ଆଦର୍ଶଗତ ସଂକ୍ରାନ୍ତ ସ୍ପଷ୍ଟତା ଆଣିବା । ଉଲ୍ଲେଖଯୋଗ୍ୟ ଯେ, ଦେଶ ସ୍ୱାଧୀନତା ପରେ ଦୀର୍ଘ ପାଂଚ ଦଶନ୍ଧିରୁ ଅଧିକ ସମୟ ଧରି ଦେଶର ଶାସନ ଡୋରି ଧରିଥିବାବେଳେ ଏବେ ଗତ ଏକ ଦଶନ୍ଧିରୁ ଅଧିକ ସମୟ କ୍ଷମତାଠାରୁ ଦୂରରେ କେବଳ ରହିନାହିଁ, ଗୋଟିଏ ପରେ ଗୋଟିଏ ରାଜ୍ୟରେ ମଧ୍ୟ କ୍ଷମତା ହରାଇଛି । ଦଳର ସାଂଗଠନିକ ସ୍ଥିତି ମଧ୍ୟ ସଂକୁଚିତ ହୋଇଯାଇଛି । ଦଳର ବହୁ ତୁଙ୍ଗ ନେତା ଇସ୍ତଫା ଦେଇ ଅନ୍ୟଦଳକୁ ଚାଲି ଯାଇଛନ୍ତି । ଦେଶର ସର୍ବବୃହତ ଏବଂ ସର୍ବପୁରାତନ ରାଜନୈତିକ ଦଳ ଭାବେ ପରିଚିତ କଂଗ୍ରେସ ଏବେ ଏପରି ଏକ ସ୍ଥିତିରେ ପହଁଚିଛି ଯେ, ନିଜର ସତ୍ତା ବଂଚାଇବା ଲାଗି ରାଜ୍ୟସ୍ତରରେ ଆଂଚଳିକ ଦଳଗୁଡିକ ସହ ମେଂଟ କରିବାକୁ ବାଧ୍ୟ ହୋଇଛି । ତଥାପି କେତେକ ରାଜ୍ୟରେ ବିଧାନସଭା ହେଉ ପାର୍ଲିଆମେଂଟ ନିର୍ବାଚନରେ ଖାତା ଖୋଲିବାକୁ କଂଗ୍ରେସ ସମର୍ଥ ହୋଇନାହିଁ । ଏହାର ମୂଳକାରଣ ଦଳର ତୃଣମୂଳ ସ୍ତରରେ ସଂଗଠନ ଭୁଶୁଡି ପଡିବା ଏବଂ ଆଉ କୌଣସି ଆଦର୍ଶଗତ ମୂଲ୍ୟବୋଧ ନ ରହିବା । ଗୁଜରାଟରେ ଦୀର୍ଘ ୬୪ବର୍ଷ ବ୍ୟବଧାନରେ ଉଭୟ ଏଆଇସିସି ଓ ସିଡବ୍ଲୁସିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଦୀର୍ଘ ୩୦ବର୍ଷ ହେଲା ମଧ୍ୟ କଂଗ୍ରେସ କ୍ଷମତାଠାରୁ ଦୂରରେ ରହିଛି । ଗୁଜରାଟ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜନୀତିରେ ମଡେଲ ଓ ବିଜେପି ଶାସନ ନିୟନ୍ତ୍ରଣାଧୀନ ରହିଛି । ବୈଠକରେ କଂଗ୍ରେସ ସାମ୍ବିଧାନିକ ମୂଲ୍ୟବୋଧ ତଥା ଧର୍ମ ନିରପେକ୍ଷତାକୁ ବହୁବାଦ, ସଂଘୀୟବାଦ ଏବଂ ସମୁହ ବିକାଶ ଉପରେ ନିଜର ସଂକଳ୍ପ ପୁନଃ ଘୋଷଣା କରିଛି । ଯାହାକି ଏବେ ବିପଦରେ ବୋଲି ଦଳ ଅଭିଯୋଗ କରେ । ଦଳର ନେତା ରାହୁଳ ଗାନ୍ଧୀ ସାମାଜିକ ନ୍ୟାୟ, ଦେଶବ୍ୟାପୀ ଜାତ ଭିତ୍ତିକ ଜନଗଣନା ଏବଂ ସଂରକ୍ଷଣ ବ୍ୟବସ୍ଥାରେ ଥିବା ୫୦ପ୍ରତିଶତ ସୀମା ଉଚ୍ଛେଦ ନେଇ ନିଜର ଆଭିମୁଖ୍ୟ ଦୋହରାଇଛନ୍ତି । ଏହା ହିଁ ଦଳ ଓ କଂଗ୍ରେସ ସରକାରର ଭବିଷ୍ୟତ ନୀତି ଆଧାରିତ ହେବ, ଏଥିରେ ସନେ୍ଦହ ନାହିଁ । ଏଥିସହ ଦଳ ତୃଣମୂଳ ସ୍ତରରେ ସାଂଗଠନିକ ସଂସ୍କାର ଆଣିବା ସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ ଏବଂ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ଦଳ ନିଜର ହାଇକମାଣ୍ଡ ସଂସ୍କୃତି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ନେଇ ସଂକେତ ପ୍ରଦାନ କରିଛି । ଜିଲ୍ଲାସ୍ତରୀୟ ନେତୃତ୍ୱ ଏବଂ ଜିଲ୍ଲା ନେତୃତ୍ୱ ଦଳର ମୌଳିକ ନିୟମ ସମ୍ପର୍କରେ ନିଷ୍ପତି ନେବର ସହ ଉତ୍ତରଦାୟିତ୍ୱ ବହନ କରିବ ବୋଲି ଘୋଷଣା କରିଛି । ଯାହାକି ହାଇକମାଣ୍ଡ ସଂସ୍କୃତିର ପରିସମାପ୍ତି ଘଟାଇବା ନେଇ ଆଶା କରାଯାଏ । ଏହା ନିସନେ୍ଦହ ଯେ, କଂଗ୍ରେସ ସମସ୍ତ ରାଜ୍ୟ ଶାଖା ୟୁନିଟରେ କ୍ଷମତା ବିବାଦ, ଆଭ୍ୟନ୍ତରୀଣ କନ୍ଦଳ , ଗୋଷ୍ଠୀ ବିବାଦ ଅସ୍ଥିମଜ୍ଜା ହୋଇଛି, ଯାହାକି ଦଳର ନିର୍ବାଚନୀ ସମ୍ଭାବନାରେ କ୍ଷତି ପହଁଚାଉଛି । ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦୀର୍ଘ ୧୦ବର୍ଷ ଅପ୍ରତ୍ୟାଶିତ ସଫଳତା ପାଇଥିଲା ଯାହା ବିଜେପିକୁ ଏକାକୀ ସରକାର ଗଢିବାରୁ ବଂଚିତ କରିଥିଲା । ଏହି ସଫଳତା ପରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଦଳ ସଫଳତା ପାଇବା ନେଇ କେବଳ ଗଣ ମାଧ୍ୟମରେ କେନ୍ଦ୍ର ବିନ୍ଦୁ ନଥିଲା, କଂଗ୍ରେସ ସପକ୍ଷରେ ଏକ ହାୱା ମଧ୍ୟ ସୃଷ୍ଟି ହୋଇଥିଲା । ମାତ୍ର ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ ଜିତୁ ଜିତୁ ହରିଆନାରେ ହାରିଯାଇଥିବାବେଳେ ମହାରାଷ୍ଟ୍ରରେ ଘୋର ପରାଜୟର ସମ୍ମୁଖୀନ ହୋଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଖାତା ଖୋଲିପାରିନଥିଲା । ଏହା ସତ୍ୟ ଯେ, ସର୍ବପୁରାତନ ଜାତୀୟ ଦଳ କଂଗ୍ରେସରେ ଗୋଷ୍ଠୀ କନ୍ଦଳ, ପରସ୍ପରର ଗୋଡ ଟଣା ଟଣି କାହିଁ କେତେ ବର୍ଷରୁ ଏକ ସଂସ୍କୃତି, ପରମ୍ପରାରେ ପରିଣତ ହୋଇଛି । ତେବେ ସବୁ କ୍ଷେତ୍ରରେ ହାଇକମାଣ୍ଡ ନିଷ୍ପତ୍ତି ନେଇଥାନ୍ତି । ଅହମ୍ମଦାବାଦ ବୈଠକରେ ହାଇକମାଣ୍ଡ ଓ ଗୋଷ୍ଠୀ କନ୍ଦଳ, ସଂସ୍କୃତିର ପରିସମାପ୍ତ ପାଇଁ ଦଳ ପ୍ରସ୍ତାବ ଗ୍ରହଣ କରିବା ନିଶ୍ଚିତ ଭାବେ ଶୁଭଙ୍କର ବୋଲି କୁହାଯାଇପାରେ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩