ଜନ୍ମ ଓ ଜୀବନର ଉଦେ୍ଦଶ୍ୟ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ସଂସାରରେ ଆମେ ଜନ୍ମ ଓ ଜୀବନର ଉଦେ୍ଦଶ୍ୟ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଏ ପୃଥିବୀରେ ମନୁଷ୍ୟ କେବଳ ତା' ନିଜ ପାଇଁ ଜନ୍ମ ହୋଇନାହିଁ । ପୃଥିବୀର ପ୍ରତ୍ୟେକ ପ୍ରାଣୀ କେବଳ ସେମାନଙ୍କ ପାଇଁ ଜନ୍ମ ହୁଅନ୍ତି । କେବଳ ମନୁଷ୍ୟ ଏ ପୃଥିବୀ ପାଇଁ ଜନ୍ମ ହୁଏ ନାହିଁ । ପୃଥିବୀର ପ୍ରକୃତି, ପୃଥିବୀର ଜୀବଜଗତ, ପୃଥିବୀର ମାନବ ସମାଜ ଏବଂ ପ୍ରକୃତିର ସମସ୍ତ ଉପାଦାନ ଠାରୁ ସେ ଅନେକ କିଛି ଗ୍ରହଣ କରେ । ସେସବୁକୁ ଛାଡ଼ି ମନୁଷ୍ୟ ବଞ୍ଚିପାରିବ ନାହିଁ । ତେଣୁ ମନୁଷ୍ୟ ଭାବରେ ସମାଜରେ ବଞ୍ଚୁଥିବା ବେଳେ କେବଳ ନିଜ କଥା ଚିନ୍ତା ନକରି ପ୍ରକୃତିର ଉପାଦାନ, ଜୀବଜନ୍ତୁ ସମାଜର ଅନ୍ୟ ପାଇଁ ମାନଙ୍କ ପାଇଁ ମଧ୍ୟ ଚିନ୍ତା କରିବା ଆବଶ୍ୟକ । କାହା ଠାରୁ କିଛି ଛଡ଼େଇ ନେବା ବଡ଼କଥା ନୁହେଁ । ହେଲେ କାହାକୁ ଯଦି କିଛି ଆବଶ୍ୟକ ସମୟରେ ଦେଇପାରୁଛି ତାହା ଏକ ବଡ଼ ଅବଦାନ । ମନୁଷ୍ୟ କ୍ଷେତ୍ରରେ ପଶୁମାନଙ୍କ ଭଳି ବଞ୍ଚିବା କୌଣସି ଆଦର୍ଶ ନୁହେଁ । ଏ ପ୍ରକାରର ଜୀବନଯାପନ କରୁଥିବା ଲୋକଙ୍କୁ କେହି କେବେ ମନେ ରଖନ୍ତି ନାହିଁ । ପୃଥିବୀ ଓ ପରିବେଶର ପ୍ରତ୍ୟେକଙ୍କ ଠାରୁ ମନୁଷ୍ୟ ଅନେକ କିଛି ଗ୍ରହଣ କରେ । ଆମ୍ବ ଗଛଟିଏ କେବଳ ଫଳ ଦିଏ ନାହିଁ । ବଞ୍ଚିବା ପାଇଁ ଅମ୍ଳଜାନ ମଧ୍ୟ ଦିଏ । ତାହା ଅନ୍ୟମାନଙ୍କ ପାଇଁ ଅଭିପ୍ରେତ । ଠିକ୍ ସେହିପରି ପ୍ରକୃତିର ସମସ୍ତ ଉପାଦାନ କେବଳ ଉପାଦାନ ମାତ୍ର ନୁହେଁ । ଜୀବଜଗତ ଏବଂ ପ୍ରାଣୀ ଜଗତର ବଞ୍ଚିବା ପାଇଁ ଯାହା ଆବଶ୍ୟକ ସବୁକିଛି ପ୍ରକୃତି ଦିଏ ।
ପ୍ରାଣୀ ଭାବରେ ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ । ଅନ୍ୟ ପ୍ରାଣୀମାନେ ପ୍ରକୃତି ଠାରୁ କେବଳ ନିଅନ୍ତି । ପ୍ରକୃତିକୁ ଶୋଷଣ କରନ୍ତି ନାହିଁ । ଯେତିକି ଆବଶ୍ୟକ କେବଳ ସେତିକି ହିଁ ନିଅନ୍ତି, କିନ୍ତୁ ମନୁଷ୍ୟ କ୍ଷେତ୍ରରେ ଆଉ କିଛି ଅଧିକା ଘଟେ । ତାହା ହେଲା ଲୋଭ । ଜଣେ ଲୋଭୀ ବ୍ୟକ୍ତି ସମଗ୍ର ପୃଥିବୀଟାକୁ ମୋର ବୋଲି କହି ଦେଇପାରିବ । ମନୁଷ୍ୟର ଆବଶ୍ୟକତା ଠାରୁ ପୂରଣ କରିବା ପାଇଁ ପ୍ରକୃତି ଭିତରେ ସବୁକିଛି ଅଛି । ମନୁଷ୍ୟର ସମସ୍ତ ଆବଶ୍ୟକତାକୁ ଏବଂ ସୁରକ୍ଷାକୁ ଯୋଗାଇ ଦେବା ପାଇଁ ସମାଜ ଭିତରେ ସମସ୍ତେ ଅଛନ୍ତି । ମନୁଷ୍ୟ ନିଜ ଆବଶ୍ୟକତା ଠାରୁ କିଛି ଅଧିକା ପ୍ରକୃତିରୁ ତଥା ସମାଜରୁ ନିଏ । କିନ୍ତୁ ଲୋଭର ବଶବର୍ତ୍ତୀ ହେବା ଉଚିତ୍ ନୁହେଁ ଏବଂ ଅନାବଶ୍ୟକ ଭାବରେ କିଛି ନେବା ଉଚିତ୍ ନୁହେଁ । ଏହାର ସାରାଂଶ ଭାବେ ଆମେ ଏତିକି କହିପାରିବା ଯେ ଜୀବନରେ ପାରୁଛ ଯଦି ଅନ୍ୟକୁ ଦିଅ, ନେବାକୁ ଲାଳାୟିତ ହୁଅ ନାହିଁ କି ବ୍ୟାକୁଳ ହୁଅନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।