"ଏକ୍ସ’ଉପରେ ପ୍ରାଧାନ୍ୟ ଦିଅନ୍ତୁ ସରକାର : ‘ଆଟା’ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର
ବ୍ରହ୍ମବରଦା: ଅତ୍ୟାଧୁନିକ ଯୁଗରେ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ଖବରକୁ ଖୁବ କମ ସମୟ ମଧ୍ୟରେ ଦେଶର କୋଣ ଅନୁକୋଣର ଲୋକଙ୍କ ପାଖରେ ପହଁଚାଇବା ପାଇଁ ବର୍ତ୍ତମାନର ସୋସିଆଲ ମିଡ଼ିଆ ଏକ ପ୍ରମୁଖ ମାଧ୍ୟମ ପଲଟିଛି । ଏହାକୁ ଭିତିକରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଏହାର ବହୁଳ ପ୍ରଚାର ପ୍ରସାର କରୁଥିବାର ଦେଖିବାକୁ ମିଳୁଛି । ତା ସହିତ ଏହି ସୋସିଆଲ ମିଡିଆର ସାହାରା ନେଇ ସରକାର ମଧ୍ୟ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମରେ ତ୍ୱରିତ ପ୍ରଚାର ପ୍ରସାର କରୁଛନ୍ତି । ସେହିପରି ସାରା ବିଶ୍ୱରେ ରହିଥିବା ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମଧ୍ୟରୁ ବର୍ତ୍ତମାନର ଏକ୍ସ ବା ପୂର୍ବର (ଟ୍ୱିଟର) ଅନ୍ୟତମ । ଯାହା ସାରା ବିଶ୍ୱର ଜନମାନସରେ ବେଶ ଲୋକପ୍ରିୟ ଓ ଆଦୃତ । ଏହି କ୍ରମରେ ସାରା ରାଜ୍ୟରେ ଏହାର ବହୁଳ ବ୍ୟବହାର ଓ ପ୍ରଶିକ୍ଷଣ ବ୍ୟତୀତ ସମାଜର ପଛ ଧାଡିରେ ଥିବା ଲୋକଙ୍କ ସମସ୍ୟାର ସମାଧାନ, ବିକାଶ ଓ ଉନ୍ନତି ପାଇଁ ଆଗେଇ ଆସିଛନ୍ତି "ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍’(ଆଟା) ସଂଗଠନର କର୍ମକର୍ତା । ସୂଚନା ମୁତାବକକି ଏହି "ଆଟା’ ସଂଗଠନ ଆଜକୁ ପ୍ରାୟ ୪ରୁ ଊର୍ଦ୍ଧ ବର୍ଷ ହେବ ସକ୍ରିୟ ରହି ସାରା ଓଡ଼ିଶାର ୩୦ ଗୋଟି ଜିଲା ଓ ୩୧୪ ବ୍ଲକ ସମେତ ସମସ୍ତ ପୌରପରିଷଦର ଯୁବକ ଯୁବତୀ ଆକ୍ଟିଭିଷ୍ଟସ୍ମାନଙ୍କୁ ସାମିଲ କରି ପାରିଛି । ଏହି ଅନୁଷ୍ଠାନ ଜରିଆରେ ଅନେକ ସାଧାରଣ ଲୋକମାନଙ୍କ ସମସ୍ତ ସରକାରୀ କ୍ଷେତ୍ରରେ ଉଚିତ.ନ୍ୟାୟ ପାଇବା ସହିତ ମୌଳିକ ଅଧିକାରରୁ ବଂଚିତ ଥିବା ସାଧାରଣ ଅନଗ୍ରସର ଲୋକମାନେ ସେମାନଙ୍କ ରାସନ୍କାର୍ଡ, ଭତା, ସ୍ୱାସ୍ଥ୍ୟ ,ପାନୀୟଜଳ, ରାସ୍ତାଘାଟ, ବିଦୁ୍ୟତ, ପରିବହନ ଓ କୃଷି ଆଦି କ୍ଷେତ୍ରରେ ସମସ୍ତ ସୁବିଧା ପାଇବାର ସୁଯୋଗ ନେଇ ପାରିଛନ୍ତି । ସେହିପରି ଭାବେ ଯାଜପୁର ଜିଲାରେ କିଭଳି ପ୍ରଶାସନିକ ସ୍ତରରେ "ଏକ୍ସ"ର ଆକ୍ଟିଭିଷ୍ଟସ୍ ମାନଙ୍କ ଦ୍ୱାରା ହେଉଥିବା ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ହେବ ଏବଂ ସମସ୍ତ ସରକାରୀ ମୁଖ୍ୟ କାର୍ଯ୍ୟାଳୟ ମାନଙ୍କରେ ‘ଏକ୍ସ’ର ବହୁଳ ବ୍ୟବହାର ଓ ସମାଧାନ ସୁନିଶ୍ଚିତ ହେବ ସେ ନେଇ "ଆଟା’ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ଜିଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲଙ୍କୁ ୧୮ତାରିଖ ଆଟା ସଂଗଠନ ପକ୍ଷରୁ ବରିଷ୍ଠ ସଦସ୍ୟ ଦୀପକ କୁମାର ପ୍ରଧାନ, ଯାଜପୁର ଜିଲା ସଂଯୋଜକ ସବ୍ୟସାଚୀ ସାହୁ, ପିଂଟୁ ସାହୁ, ଅହମଦ ଖାନ୍, ବିଶ୍ୱନାଥ ଦାସ, ସରୋଜ ବେହେରା, ନିରାକାର ବେହେରା, ଅବୁଦୁଲ୍ ମୁକ୍ତାଦିରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏକ୍ସର ବହୁଳ ବ୍ୟବହାର ଦିଗରେ ଜନ ସଚେତନତା ସୃଷ୍ଟି କରିବାପାଇଁ ଦାବିପତ୍ର ପ୍ରଦାନ କରିବା ସହ ଏକ୍ସ ଦ୍ୱାରା ହେଉଥିବା ଅଭିଯୋଗକୁ ଗୁରୁତ୍ୱ ଦେଇ ତ୍ୱରିତ ସମାଧାନ ନିମନ୍ତେ ନିବେଦନ କରିଥିଲେ ।