କ୍ରୋମନଗର ବିଦ୍ୟାଳୟ : ନାମଲେଖା ବନ୍ଦ ନିଷ୍ପତ୍ତି ବଢାଉଛି ଅସନ୍ତୋଷ

 ବ୍ୟାସନଗର: ଓଡ଼ିଶା ଖଣି ନିଗମ ପରିଚାଳିତ ଫେରୋକ୍ରୋମ କାରଖାନା ପରିସରରେ ଥିବା କ୍ରୋମନଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ୱୟରେ ନାମ ଲେଖା ବନ୍ଦ ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ୧୯୬୭ ଏବଂ ୧୯୭୦ ମସିହାରୁ ସ୍ଥାପିତ ହୋଇ ନିରନ୍ତର ଭାବେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରିଆସୁଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ହାସଲ କରି ଏବେ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଆସୁଛି । ବିଦ୍ୟାଳୟରେ ପାଠ ପଢ଼ି ପିଲାମାନେ କୃତିତ୍ୱ ଅର୍ଜ୍ଜନ କରିବା ସହ ଅବିଭାବକମାନେ ସନ୍ତୋଷ ଲାଭ କରୁଥିଲେ । ଏହି ବିଦ୍ୟାଳୟଦ୍ୱୟ କାରଖାନା ପରିସରରରେ ଅବସ୍ଥିତ ଥିବାରୁ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ବର୍ଷ ହେଲା କାରଖାନା କର୍ତୃପକ୍ଷ ଏହାର ପରିଚାଳନା ଦାୟିତ୍ୱ ହାତକୁ ନେଇ ନିଜ ଅଧିନରେ ରଖିଆସିଛି । ମାତ୍ର ବିଡ଼ମ୍ବନା ଗତ କିଛି ବର୍ଷ ହେଲା କାରଖାନା କର୍ତ୍ତୃପକ୍ଷ ବିଦ୍ୟାଳୟର ହେପାଜତକୁ ଅଣଦେଖା କରିଆସିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ସର୍ବନିମ୍ନ ତଥା ଆବଶ୍ୟକୀୟ ତଥା ମୈାଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିଆସୁଛନ୍ତି । ବିଦ୍ୟାଳୟରେ ପାନୀୟ ଜଳର ଅଭାବ ଦେଖାଦେଇଥିବା ବେଳେ ପାଇଖାନା ଅଭାବରୁ ଅପ୍ରୀତିକର ପରିସ୍ଥିତି ଉପୁଜୁଛି । ବିଶେଷକରି ଛାତ୍ରୀ ଓ ଶିକ୍ଷୟତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଦ୍ୟାଳୟଟି ଏବେ ସଂପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଶ୍ରେଣୀଗୃହ ଓ ଅଫିସ ଘରର ଛାତ କେତେ ବେଳେ ଯେ ଭୁଶୁଡି ନ ଯିବ ତା’ର କିଛି ଠିକ ଠିକଣା ନାହିଁ । ବହୁ ଶ୍ରେଣୀ ଗୃହର ଆଜବେଷ୍ଟସ ଛାତ ଉଡ଼ିଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନାହିଁ । ବିପଦ ସଂକୁଳ ଶ୍ରେଣୀଗୃହ କାରଣରୁ ୮୪ଜଣ ଛାତ୍ରଛାତ୍ରୀଙ୍କୁ  ୧ଟି ଗୃହ ମଧ୍ୟରେ କଷ୍ଟେ ମଷ୍ଟେ ବସାଇ ଶିକ୍ଷକମାନେ ଶିକ୍ଷାଦାନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆଗ୍ରହ ସୃଷ୍ଟି କରିବା ପରିବର୍ତେ କାରଖାନା କର୍ତୃପକ୍ଷ ସର୍ବନିମ୍ନ ମୈାଳିକ ସୁବିଧା ସୁଯୋଗ ନ ଦେଇ କ୍ରମାଗତ ଭାବେ ବାହାନା କରି ଖସି ଯିବା ସହ ବିଦ୍ୟାଳୟରେ କମ ସଂଖ୍ୟକ ପିଲାଙ୍କ ଉପସ୍ଥାନକୁ ଏବେ ପ୍ରସଙ୍ଗ କରିବା ଯୋଜନା ପରିଚାଳନା ଓ ଦୋଷ ଘୋଡାଇବାର ଦୂରଭିସନ୍ଧି ବୋଲି କୁହାଯାଉଛି । ଏହାଛଡ଼ା କାରଖାନା କର୍ତ୍ତୃପକ୍ଷ ବିଦ୍ୟାଳୟର କିଛି ଉନ୍ନତି କରିବା ପରିବର୍ତ୍ତେ ଏହାକୁ ବିପଦ ମୁଖକୁ ଠେଲି ଦେବାର ମସୁଧା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ବିଦ୍ୟାଳୟର ପରିଚାଳନା ଦାୟିତ୍ୱରେ ଥିବା କାରଖାନାର ଅଧିକାରୀଙ୍କ ଦୋଷ ଦୁର୍ବଳତା ଦିଶୁଛି ନା ଦିଶୁଛି ଗୋଡ ଦିଟା ଦିଶୁଛି ସଦୃଶ ହୋଇଛି! କାରଖାନା କର୍ତ୍ତୃପକ୍ଷ ପାଶ୍ୱବର୍ତ୍ତୀ ଅଂଚଳର ବିକାଶ କ’ଣ କରିବ ବରଂ ନିଜ ପରିସରରେ ଥିବା ଏକ ଚାଳିତ ଶିକ୍ଷାନୁଷ୍ଠାନକୁ ଧ୍ୱଂସ ସ୍ତୁପରେ ପରିଣତ କରିବାର କିଛି ବର୍ଷର ଚକ୍ରାନ୍ତ ଏବେ ଧରାପଡିଯିବା ସହ ବିଭିନ୍ନ ମହଲରେ ପ୍ରତିବାଦର ସ୍ୱର କ୍ରମଶଃ ବଢ଼ିବାରେ ଲାଗିଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରୁଦ୍ର ନାରାୟଣ ନାୟକ, ଶିକ୍ଷୟିତ୍ରୀ ରୁନାଲୀ ପହି, ବର୍ଷା ପଟ୍ଟନାୟକ ପ୍ରମୁଖ ଭୂବନେଶ୍ୱର ଯାଇ ଓଏମସି ପରିଚାଳନା ନିଦେ୍ର୍ଦଶକଙ୍କୁ ସାକ୍ଷାତ କରି ବିଦ୍ୟାଳୟଦ୍ୱୟର ସାମ୍ପ୍ରତିକ ପରିସ୍ଥିତି ସଂର୍ପକରେ ବୁଝାଇବା ସହ ବିଦ୍ୟାଳୟର ଉନ୍ନତିକରଣ ସହ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଓଏମସିର କର୍ମଚାରୀ ଭାବେ ବିବେଚନା କରି ସେହି ହାରରେ ଦରମା ଦେବାକୁ ଦାବୀ ଜଣାଇଥିଲେ । ପରିଚାଳନା ନିଦେ୍ର୍ଦଶକ ମଧ୍ୟଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହା ପୂର୍ବରୁ ତା ୧୦/୦୮/୨୦୨୪ରେ କୋରେଇ ବିଧାୟକ ଆକାଶ ଦାସ ନାୟକ ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଆସି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସହ ଏହାକୁ ଏକ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ଦୃଢ଼ ପ୍ରତିଶୃତି ଦେବା ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କାରଖାନା ମୁଖ୍ୟ ରଶ୍ମିରଂଜନ ପରିଡ଼ା, ବରିଷ୍ଠ ଅଧିକାରୀ ରଶ୍ମିରଂଜନ ବିଶ୍ୱାଳ ଆଦିଙ୍କୁ ଏ ବାବଦରେ ପରାମର୍ଶ ଦେବା ସହ ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ କହିଥିଲେ । ମାତ୍ର ବିଦ୍ୟାଳୟର ଉନ୍ନତି କରିବା ତ ଦୂରର କଥା ଓଲଟି ବିଦ୍ୟାଳୟକୁ ବନ୍ଦ କରିବାକୁ ଯୋଜନା କରିବା ଅନେକଙ୍କୁ ତାଜୁବ କରିଛି । 
ପ୍ରକାଶଥାଉକି, ଗତ ତା ୦୬/୦୧/୨୦୨୫ରେ କାରଖାନା ତରଫରୁ ସ୍ଥାନୀୟ ମନ୍ଦିର ପ୍ରାଙ୍ଗଣରେ କାରଖାନାର ବରିଷ୍ଠ ପଦାଧିକାରୀ ରଶ୍ମିରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆହ୍ୱାନ କରି କାରଖାନାର ମାନବ ସମ୍ବଳ ବିଭାଗର ପଦାଧିକାରୀ ଦେବାଶିଷ ସାମଲ ବିଦ୍ୟାଳୟ ବନ୍ଦ କରିବା ସଂର୍ପକରେ ସୂଚନା ଦେବା ପରେ ଉପସ୍ଥିତ ସ୍ଥାନୀୟ ବ୍ୟକ୍ତିବିଶେଷ ଆଦି ଘୋର ଉଦ୍ବେଗ ପ୍ରକାଶ କରିବା ସହ ନିଜ ନିଜର ଆଭିମୁଖ୍ୟ ସଂର୍ପକରେ ପ୍ରକାଶ କରିଥିଲେ ।  କାଳେ କୈାଣସି ପରିସ୍ଥିତିରେ କାରଖାନା କର୍ତ୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିଦେବେ ସେଥିପାଇଁ ସେମାନେ ତତ୍ପର ହେବା ସହ କ୍ରୋମନଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସୁରକ୍ଷା କମିଟି ଗଠନ କରି ତାହାରି ମାଧ୍ୟମରେ ନିଜର ଦାବୀ ଓ ଯୁକ୍ତିକୁ ଶାଣିତ କରିଛନ୍ତି । ଓଡ଼ିଶା ଖଣି ନିଗମ ପାରିପାଶ୍ୱିର୍କ ଉନ୍ନତିର ଦ୍ୱାହି ଦେଇ ରାଜ୍ୟରେ ଡିଣ୍ଡିମ ପିଟାଉଥିବା ବେଳେ ନିଜ ଅଧିନରେ ଥିବା ଏହି ବିଦ୍ୟାଳୟରେ କି ଉନ୍ନତି କରିଛି ବୋଲି ବହୁ ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି । ଏବାବଦରେ କମିଟି ଗଠିତ ହୋଇ ବହୁ ପଦାଧିକାରୀ ଓ ଜନ ପ୍ରତିନିଧି ଫେରୋକ୍ରୋମ କାରଖାନାର ୟୁନିଟ୍ ହେଡ଼, ଯାଜପୁର ରୋଡ ସ୍ଥିତ ଓଏମସିର ରିଜିଓନାଲ ମ୍ୟାନେଜର,  କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ ଯାଜପୁର,  କୋରେଇ ବିଧାୟକ ଆକାଶଦାସ ନାୟକ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରମୁଖଙ୍କୁ ଅବଗତ କରାଯାଇଛି । ବିଦ୍ୟାଳୟ ବନ୍ଦକୁ ରୋକିବା ସହ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଓଏମସି କର୍ମଚାରୀ ଭାବେ ବିବେଚନା କରିବା ସହ ବିଦ୍ୟାଳୟର ହୃତ୍ଗୈାରବ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ଗୃହ, ପ୍ରାଚୀର, ମଧ୍ୟାହ୍ନ ଭୋଜନ, ପାଣି, ପାଇଖାନା ଆଦିର ସୁବନେ୍ଦାବସ୍ତ କରିବା ପାଇଁ କମିଟି ଦାବୀ କରିଛି । ଏହି କମିଟିରେ ବହୁ ପୁରାତନ ଛାତ୍ର/ଛାତ୍ରୀ ରହିଥିବା ବେଳେ ପୈାର ପରିଷଦର୧ ନଂ ୱାର୍ଡ଼ର କାଉନସିଲର ବିଜୟ କୁମାର ଜେନା, ୨ ନଂ ୱାର୍ଡର କାଉନସିଲର କୁନି ହାଂସଦା, ୩ନଂ ୱାର୍ଡର କାଉନସିଲରଙ୍କ ପ୍ରତିନିଧି ଅନୂପ କୁମାର ନାୟକ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ଓ ଦୁଷ୍ମନ୍ତ କୁମାର ରାଉତ, ଶିକ୍ଷକ ନେତା ପିତବାସ ମିଶ୍ର, ସଂଗ୍ରାମ କିଶୋର ପହି ଓ ଇନ୍ଦ୍ରମଣି ଭୂୟାଁ, କାରଖାନାର ଅବସରପ୍ରାପ୍ତ ପଦାଧିକାରୀ ଅନୂପ କୁମାର ରାଉତ ପ୍ରମୁଖ ରହି ପରବର୍ତୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରୁଛନ୍ତି ।