ଏନଏସି ଘୋଷଣା ଦାବିରେ କଂଗ୍ରେସର ଗଣଧାରଣା
ଧର୍ମଶାଳା: ସୋମବାର ଜାରକା ଅଞ୍ଚଳକୁ ଏନଏସି ଘୋଷଣା ଦାବିରେ କଂଗ୍ରେସ ପକ୍ଷରୁ ୧୬ନଂ ଜାତୀୟ ରାଜପଥର ଫ୍ଲାଏ ଓଭର ବ୍ରିଜ ତଳେ ପ୍ରତୀକ ଗଣଧାରଣା ଦିଆଯାଇଥିବା ଜଣାପଡ଼ିଛି । କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଗଣଧାରଣାରେ ସାମିଲ ହୋଇ ରାଜ୍ୟ ସରକାର ତୁରନ୍ତ ଜାରକାକୁ ଏନଏସି ଘୋଷଣା କରିବାକୁ ଦାବି କରିଥିଲେ । କଂଗ୍ରେସ ପକ୍ଷରୁ କୁହାଯାଇଛି କି ୧୯୮୯ ମସିହାରେ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ସମୟରେ ଜାରକାକୁ ବିଜ୍ଞାପିତ ଅଞ୍ଚଳ ପରିଷଦକରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ୧୯୯୮ ମସିହାରେ ଦ୍ୱିତୀୟ ଥର ପାଇଁ ଜାରକାକୁ ଏନଏସି ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ତାହା କାର୍ଯ୍ୟକାରୀ ନହୋଇ ନାଲି ଫିତା ତଳେ ବନ୍ଧା ହୋଇ ରହିଯାଇଥିଲା । ୨୦୨୪ ମସିହାରେ ବିଜେଡ଼ି ସରକାର ସମୟରେ ଜାରକାକୁ ଏନଏସି ଘୋଷଣା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ବିଜେପି ସରକାର ଆସିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୨ଗୋଟି ନୂଆ ଏନଏସି ଅଞ୍ଚଳଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ତାଲିକା ମଧ୍ୟରୁ ଜାରକା ଅଞ୍ଚଳକୁ ଏନଏସ ମାନ୍ୟତା ପ୍ରଦାନ କରିବାରୁ ବାଦ ଦିଆଯାଇଛି । ଏହାର ପ୍ରତିବାଦରେ ଆଜି କଂଗ୍ରେସ ଦଳ ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବା ସହ ଜାରକା ଅଞ୍ଚଳକୁ ତୁରନ୍ତ ଏନଏସି ଘୋଷଣା କରିବାକୁ ଦାବି କରାଯାଇଛି । ସଂଯୋଜକ ପ୍ରଫୁଲ୍ଲ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ତରାଇ, ନରୋତ୍ତମ ନାୟକ, ନକୁଳ ଜେନା, ବାବୁଲି ମଲିକ, ଯୁବନେତା ସଂଜୟ କୁମାର ରାଉତ, ଦୀପକ ବଳ, ଅମରେନ୍ଦ୍ର ସାମଲ ,ମିହିର ଖୁଂଟିଆ,ଉଗ୍ରସେନ ମହାନ୍ତି, ପ୍ରଭାତ ରାଉତ, ସାଗର ପାଳ, ବିଶ୍ୱରଞ୍ଜନ ଜେନା ପ୍ରମୋଦ ମହାନ୍ତି , ନୀଳମଣି ସ୍ୱାଇଁ, ନାରାୟଣ ରାଉତ,ଭାନୁପ୍ରତାପ ସ୍ୱାଇଁ, ଗଗନ ବିହାରୀ ସ୍ୱାଇଁ, ସେକ ଇକବଲ, ଦେବାଶିଷ ପରିଡ଼ା,କାର୍ତର୍ିକ ସାହୁ, କେଶବ ମଲ୍ଲିକ ଓ ସେକ ଇଦୋ ପ୍ରମୁଖ ଯୋଗଦେଇ ଜାରକାକୁ ତୁରନ୍ତ ଏନଏସି ଘୋଷଣା କରିବାକୁ ଦାବି କରିବା ସହ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ।