ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ 

 ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦ ସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଘରୁ ଦିବା ୧.୪୫ମି. ସମୟରେ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣୀ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ମୁଖ୍ୟପୂଜକ କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା’ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ଉପଯୁକ୍ତ ମାର୍ଜନା ଓ ସ୍ନାନ ପରେ ଶାବର ମତରେ ପୂଜା ଅର୍ଚ୍ଚନା କରିଥିଲେ । ପୂଜା ପରେ ଦୁଇଜଣ ପାଇକ ଠାକୁରାଣୀଙ୍କ ପାଟଖଣ୍ଡା ଓ ଆଜ୍ଞାମାଳ ସହିତ ଗୋପାଳପ୍ରସାଦ ଗ୍ରାମସ୍ଥିତ ପାଟଣା ସାହିରେ ଥିବା ପତିଆରଙ୍କ ବାସଗୃହକୁ ଡାକି ଯାଇଥିଲେ । ବିଧି ଅନୁଯାୟୀ ପାଇକମାନେ ତିନି ଥର ଡାକିଲା ପରେ ପତିଆର ସ୍ନାନାଦି କର୍ମ ସମାପନ କରି ପୂଜା ମଣ୍ଡପକୁ ବିଜେ କରିଥିଲେ । ମୁଖ୍ୟ ଦେହୁରୀଙ୍କ ହସ୍ତରୁ ପାଣି ନେଇ ପତିଆର ପଂଚାଙ୍ଗ ଧୌତ ପରେ ପୂଜା ପିଢ଼ ସମ୍ମୁଖରେ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପରିଧାନ କରି ଆସନ ଗ୍ରହଣ କରିଥିଲେ । ଏହାପରେ ଦେହୁରୀ ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାର ବିଧି ଅନୁଯାୟୀ ପୂଜା କରିଥିଲେ । ପାରମ୍ପରିକ ଢୋଲ, ନିଶାଣ, ମହୁରୀ ଆଦି ବାଦ୍ୟ ନାଦ ମଧ୍ୟରେ ପତିଆରଙ୍କ ମସ୍ତକରେ ଗୁଡ଼ର ସହସ୍ରଧାର ଢଳା ଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପୂଜାକୁ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା କୁହାଯାଏ । ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବଦ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି । ପୂର୍ବ ସୂଚନାକୁ ଆଧାର କରି  ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀକୁ ଚିହ୍ନଟ କରିଥାନ୍ତି । ଏହି ଉତ୍ସବ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ତାଳଚେର ଉପଜିଲ୍ଲାପାଳ ତଥା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସମୀର କୁମାର ଜେନା ଉପସ୍ଥିତ ରହି ଉତ୍ସବର ତଦାରଖ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମା’ ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟମାନଙ୍କ ସମେତ ରାଜେନ୍ଦ୍ର କୁମାର ସିଂହ, ଜଗନ୍ ମୋହନ ଗଡ଼ନାୟକ,ମା ହିଙ୍ଗୁଳାଙ୍କ ସେବାୟତ ଅଭୟ ପତିଆର, ଡିଲେଶ୍ୱର ସାମଲ, ହାଡିବନ୍ଧୁ ମହାନ୍ତି, ମୁଚିଆ ଦେହୁରୀ,ବାୟା ବାରିକ, ଦୁର୍ଗାଚରଣ ବାରିକ, ମୁରଲୀ ଗଡନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।