‘ଏସଏଚଜି ଉପରେ ଘରୋଇ ବ୍ୟାଙ୍କର ଦାଉ’
- ଭଦ୍ରକ ଘଟଣାରେ କମିଟି କରନ୍ତୁ ସରକାର : ବିଜେଡ଼ି
- ଏସଏଚଜିକୁ ସାହୁକାର କରୁଥିଲେ ପୂର୍ବ ସରକାର
- ଆମ ସରକାର ମହିଳାଙ୍କୁ ସଶକ୍ତ କରୁଛନ୍ତି : ପ୍ରଭାତୀ
ଭୁବନେଶ୍ୱର : ଭଦ୍ରକରେ ମା’ଙ୍କ ଋଣ ଟଙ୍କା ଶୁଝିନପାରିବାରୁ ଝିଅଙ୍କୁ ମାଡ଼ ହେବା ଘଟଣା ବିଧାନସଭାକୁ ସରଗରମ କରିଦେଇଛି । ଏନେଇ ବିରୋଧୀ ସରକାରଙ୍କ ଉପରେ ବର୍ଷିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର କଡ଼ା ଜବାବ ଦେଇଛନ୍ତି ।
‘ଭଦ୍ରକରେ ମା’ ନେଇଥିଲା ଏସଏଚଜି ଋଣ, କିସ୍ତି ଖିଲାପ ଯୋଗୁ ଝିଅ ମାଡ ଖାଇ ଲହୁଲୁହାଣ, ମହିଳା ସଶକ୍ତିକରଣରେ ଏକଦା ସଫଳ ଓଡ଼ିଶାର ଏବେକାର ଏକ ଉଦାହରଣ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କହିଥିଲେଯେ, କିସ୍ତି ଖିଲାପ ଯୋଗୁଁ ଜଣେ ଝିଅଙ୍କୁ ମାଡ଼ ମରାଯାଇଛି । ବିଭିନ୍ନ ଗଣମାଧ୍ୟମରେ ଝିଅ ମନ୍ତବ୍ୟ ଦେଇଛନ୍ତି । ରାସ୍ତାରେ ଗୋଡାଇ ଗୋଡାଇ ସେମାନେ ଝିଅକୁ ମାଡ ମାରିବା ସହ ପିନ୍ଧିଥିବା ଡ୍ରେସକୁ ଛିଣ୍ଡାଇ ଦେଇଥିଲେ । ମା’ର ମୃତ୍ୟୁ ପରେ ଝିଅ ୩ ମାସ ଶୁଝିଥିଲା । କିନ୍ତୁ ପରେ ଝିଅଟି ଜାଣିବାକୁ ପାଇଥିଲାଯେ, ଋଣ ଗ୍ରହୀତାଙ୍କ ମୃତ୍ୟୁ ପରେ ବାକି ଥିବା କିସ୍ତି ବୀମାରୁ କଭର ହେବ । ଯେଉଁଥିପାଇଁ ସେ ଆଉ କିସ୍ତି ଶୁଝିନଥିଲା । ଏହା ଏସଏଚଜି ଗାଇଡଲାଇନ । ଦ୍ରୌପଦୀ ଭଳି ଅତ୍ୟାଚାର କରାଗଲା ଝିଅଟି ଉପରେ । ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ମୁଁ ଦାବି କରୁଛି, ଉପମୁଖ୍ୟମନ୍ତ୍ରୀ ଘଟଣା ଉପରେ ଗୋଟିଏ କମିଟି କରି ତଦନ୍ତ କରନ୍ତୁ ।
କଂଗ୍ରେସ ବାସୁଦେବପୁର ବିଧାୟକ ଅଶୋକ ଦାସ ଆଲୋଚନାରେ ଭାଗନେଇ କହିଛନ୍ତି, ମନୋରମାଙ୍କ ପକ୍ଷାଘାତରେ ମୃତ୍ୟୁ ହେଲା । ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଝିଅ ଦୁର୍ଦ୍ଦଶାର ଶିକାର ହେଲେ । ଉପମୁଖ୍ୟମନ୍ତ୍ରୀ କହିଲେ ଏସଏଚଜି ଋଣ ବାବଦରେ ସରକାରଙ୍କ କୌଣସି ଭୂମିକା ନାହିଁ । କିନ୍ତୁ ଆମର ଦାବି ଯଦି ଏସଏଚଜି ହେଉଛି ତେବେ ୠଣ ଶୁଝିବା ନେଇ ମଧ୍ୟ ନିୟମ ରହୁ ।