ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ନେପାଳ ବର୍ଡରରୁ ଶଙ୍କର ଗିରଫ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ : ନେପାଳ ବର୍ଡରରୁ ଶଙ୍କର ଗିରଫ

ଭୁବନେଶ୍ୱର : ଏସଆଇ କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଗିରଫ ହୋଇଛି । ନେପାଳ ସୀମାନ୍ତରେ ଉତ୍ତରାଖଣ୍ଡ ଅଞ୍ଚଳରେ ସେ ଆତ୍ମଗୋପନ କରିଥିଲା । କ୍ରାଇମବ୍ରାଞ୍ଚ ଆଜି ତାକୁ ଗିରଫ କରିଛି । ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । କିନ୍ତୁ ସିବିଆଇ ଏଯାବତ୍‌ ତଦନ୍ତ ଆରମ୍ଭ କରିନଥିବାବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଜାରି ରଖିଥିଲା ।

    ଶଙ୍କରର ଗିରଫ ପରେ ଏବେ ବହୁ ବଡ଼ବଡ଼ିଆ ଚିନ୍ତାରେ ପଡ଼ିଯାଇଛନ୍ତି । ଏହି ମାମଲାରେ ଶଙ୍କରକୁ ମାଷ୍ଟରମାଇଣ୍ଡ କୁହାଯାଉଥିଲେବି ତାହା ପଛରେ ବଡ଼ ମୁଣ୍ଡ ଥିବା ଅନୁମାନ କରାଯାଉଛି । ସେହିପରି ଆନ୍ତଃରାଜ୍ୟ ଲିଙ୍କ୍‌ ରହିଥିବାରୁ ଏହାର ସିବିଆଇ ବି ଛାନଭିନ କରିବ । ଶଙ୍କର ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହୋଇଥିଲା । ଫଳରେ ସେ ଦେଶ ଛାଡ଼ି ଯାଇପାରିନଥିଲା । ଶଙ୍କରକୁ ଏବେ ଓଡ଼ିଶା ଅଣା ଯାଉଥିବାବେଳେ ତାକୁ ଆସନ୍ତାକାଲି କୋର୍ଟରେ ହାଜର କରି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ । ପୂର୍ବରୁ ଶଙ୍କରର ଖାସ ସହଯୋଗୀ ମୁନାକୁ ମଧ୍ୟ ଦଶପଲାରୁ ଗିରଫ କରାଯାଇଥିଲା । ମୁନା ଏକ ଫାର୍ମ ହାଉସରେ ଲୁଚି ରହିଥିଲା । ତା’ଠୁ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚ ପାଇଛି । ତେବେ ଶଙ୍କରକୁ ଧରି ପାରିନଥିବାରୁ ସରକାରଙ୍କୁ ଓ କ୍ରାଇମବ୍ରାଞ୍ଚକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା ।