କରାଟେ ବେଲ୍ଟ ଗ୍ରେଡିଂ : ଜାତୀୟସ୍ତରରେ ସ୍ୱର୍ଣ୍ଣ ପଦକଧାରୀ ସମ୍ମାନିତ
ଚିଲିକା: ଅପ୍ ଏ ୱଇନ କରାଟେ ଏକାଡେମୀ ପକ୍ଷରୁ ଗୀତା ଭବନରେ ଦ୍ୱାଦଶତମ କରାଟେ ବେଲ୍ଟ ଗ୍ରେଡିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଏକାଡେମୀ ପକ୍ଷରୁ ଗତ ବର୍ଷଠାରୁ ଟଙ୍ଗ-ଲି, ମୁଡ ମାର୍ଶାଲ ଆର୍ଟକୁ ସାମିଲ କରାଯାଇଛି । ଏହି ମାର୍ଶାଲ ଆର୍ଟରେ ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ନଭେମ୍ବର ମାସରେ କାମ୍ବୋଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ତଥା କରାଟେ ବ୍ଲାକ ବେଲ୍ଟ ଅଧିକରିଣୀ ସାଗରିକା ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଶାଲ ଆର୍ଟ ପ୍ରଶିକ୍ଷଣ ସମ୍ପର୍କରେ ଅନେକ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରାଜ୍ୟ ପ୍ରଶାସନିକ ପ୍ରଶିକ୍ଷଣ କେନ୍ଦ୍ରର ଉପନିଦେ୍ର୍ଦଶକ ସୌମ୍ୟକାନ୍ତ ସୋମ୍ୟଦର୍ଶୀ ଓ ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧିବକ୍ତା ତଥା ଉକôଳ ସମ୍ମିଳନୀର ସଭାପତି ଶକ୍ତି ଶଙ୍କର ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ ସାଗରିକା ନାଥ କରାଟେ ପ୍ରଶିକ୍ଷଣ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରିି ଉତ୍ତୀର୍ଣ୍ଣ ହୋଇଥିବା ପାଞ୍ଚଜଣ ଛାତ୍ରଛାତ୍ରୀଙ୍କୁ ବ୍ଲାକ ବେଲ୍ଟ ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅପ ଏ ୱଇନର ନିଦେ୍ର୍ଦଶିକା ମୂର୍ଚ୍ଛନା ସୁବୁଦ୍ଧି ପରିଚାଳନା କରିଥିବାବେଳେ ପଶ୍ଚିମବଙ୍ଗରୁ ଆସିଥିବା ପରୀକ୍ଷା ଅଧିକ୍ଷକ ରାନା ଦେ, ଅଜିତ କୁମାର ପଲ ଓ ଭୁବନେଶ୍ୱରର ଲଲାଟେନ୍ଦୁ ପରିଜା ଓ ବଳରାମ ନାୟକ ଉପସ୍ଥିତ ରହିଥିଲେ ।